ନୂଆଦିଲ୍ଲୀ: ଦେଶର ବିଭିନ୍ନ ବିଭାଗରେ ଥିବା ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ପ୍ରଥମ ନିଲାମ ପ୍ରକ୍ରିୟା ଆସନ୍ତାକାଲି ଅର୍ଥାତ୍ ୨୯ ନଭେମ୍ବରରେ କରାଯିବ। କେନ୍ଦ୍ର ଖଣି ମନ୍ତ୍ରଣାଳୟ ପକ୍ଷରୁ ଏଭଳି ଖଣିର ନିଲାମ କାର୍ଯ୍ୟ ପ୍ରଥମ ଥର ହେବାକୁ ଯାଉଛି। ଏହି ନିଲାମ ପ୍ରକ୍ରିୟାକୁ କେନ୍ଦ୍ର ଖଣି, କୋଇଲା ଓ ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହଲ୍ଲାଦ ଜୋଷୀ ଉଦ୍ଘାଟନ କରିବେ। ଏଥିରେ ୨୦ଟି ଖଣିର ନିଲାମ କରାଯିବ। ଦେଶର ବିଭିନ୍ନ ଭାଗରେ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ଥିବା ଏହି ଖଣି ସବୁ ରହିଛି। ଇ-ଅକ୍ସନ ପ୍ରକ୍ରିୟାରେ (ଅନ୍ଲାଇନ) ଏହି ନିଲାମ କାର୍ଯ୍ୟ ଅତ୍ୟନ୍ତ ସ୍ୱଚ୍ଛତାର ସହ ସମ୍ପନ୍ନ ହେବ । ଏଭଳି ଖଣିର ନିଲାମ କେନ୍ଦ୍ର ସରକାରଙ୍କର ଏକ ଐତିହାସିକ ନିଷ୍ପତ୍ତି; କାରଣ ଏହା ଦ୍ୱାରା ଆମ ଦେଶର ଅର୍ଥନୀତି ସମୃଦ୍ଧ ହେବା ସହିତ ଜାତୀୟ ନିରାପତ୍ତା ବୃଦ୍ଧି ପାଇବ। ସର୍ବୋପରି ଭାରତର ପାରମ୍ପରିକ ପ୍ରଦୂଷଣ ବହୁଳ ଇନ୍ଧନ ଓ ଊର୍ଜା ବ୍ୟବହାର ପରିହାର କରି ଏହି ନୂଆ ସ୍ୱଚ୍ଛ ଊର୍ଜା ହାସଲ କରିବାକୁ ଯେଉଁ ପ୍ରୟାସ ଚଳାଇଛି ତାହା ସଫଳ ହୋଇପାରିବ।
ଆମ ଦେଶର ଅର୍ଥନୀତିକ ବିକାଶ ଓ ଜାତୀୟ ନିରାପତ୍ତା ପାଇଁ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥର ଉପଯୋଗ ଅତ୍ୟନ୍ତ ଅପରିହାର୍ଯ୍ୟ ହୋଇପଡିଛି । ବିଶେଷକରି ନୂଆ ଊର୍ଜା କ୍ଷେତ୍ରର ଆବଶ୍ୟକତା ପୂରଣ ପାଇଁ ଏଭଳି ଖଣିଜ ପଦାର୍ଥର ବିଶେଷ ପ୍ରୟୋଜନିୟତା ରହିଥିବାବେଳେ ତାହା ଯଥେଷ୍ଟ ମିଳୁନାହିଁ । ତେଣୁ ମାଟି ତଳେ ରହିଥିବା ଏହି ଗୁରୁତ୍ୱପୂର୍ଣ୍ଣ ଖଣିଜକୁ ଉତ୍ତୋଳନ କରି ଭାରତ ତାହାର ବିନିଯୋଗ କରିବାକୁ ଯାଉଛି । ଯେଉଁ ଅଳ୍ପ କେତେକ ଦେଶରେ ଏଭଳି ଅତି ମୂଲ୍ୟବାନ ଖଣିଜ ସମ୍ପଦ ରହିଛି ସେମାନେ ଅନ୍ୟ ଦେଶକୁ ତାହାର ଯୋଗାଣ ଓ ବିକ୍ରିବଟା ଉପରେ ନିୟନ୍ତ୍ରଣ ଲଗାଇଛନ୍ତି । ଫଳରେ ଏହି ଖଣିଜର ଯୋଗାଣ ଶୃଙ୍ଖଳା ବିପଦର ସମ୍ମୁଖୀନ ହୋଇଛି । ଏସବୁ ଖଣିଜ ପଦାର୍ଥ ମଧ୍ୟରେ ଲିଥିୟମ, ଗ୍ରାଫାଇଟ୍, କୋବାଲ୍ଟ, ଟାଇଟାନିୟମ ଓ ବିରଳ ମୃତ୍ତିକାର ଉପାଦାନ ଆରଇଇ ଆଦି ଅନ୍ୟତମ । କେବଳ ଭାରତ ନୁହେଁ ସମଗ୍ର ବିଶ୍ୱର ଅର୍ଥନୀତି ଭବିଷ୍ୟତରେ ଏହି ବିରଳ ଓ ଅତି ଗୁରୁତ୍ୱପୂର୍ଣ୍ଣ ଖଣିଜ ପଦାର୍ଥ ଉପରେ ନିର୍ଭର କରିବ ।
୨୦୩୦ ସୁଦ୍ଧା ଭାରତ ତାହାର ମୋଟ ବିଜୁଳି ଆବଶ୍ୟକତାର ୫୦ ଶତାଂଶ ଅଣପାରମ୍ପରିକ ଉତ୍ସରୁ ଉତ୍ପାଦନ କରିବାର ସାମର୍ଥ୍ୟ ସୃଷ୍ଟି କରିବାକୁ ଘୋଷଣା କରିଛି । ଏହି ବିଜୁଳି ଅଣ ଜୈବିକ ଉତ୍ସରୁ ସଂଗୃହୀତ ହେବ ଏବଂ କୋଇଲା ଓ ପେଟ୍ରୋଲିୟମକୁ ଜାଳେଣି ଭାବେ ବ୍ୟବହାର କରି ତାପଜ ବିଜୁଳି ଉତ୍ପାଦନ କରାଯିବ ନାହିଁ । ଆହୁରି ମଧ୍ୟ ଭାରତର ଊର୍ଜା ପରିବର୍ତ୍ତନ ଉଦ୍ୟମରେ ପାରମ୍ପରିକ ଇନ୍ଧନ ଚାଳିତ ଯାନବାହନକୁ ଅବ୍ୟାହତି ଦିଆଯାଇ ତା’ ସ୍ଥାନରେ ବିଜୁଳି ଚାଳିତ ଯାନ, ପବନ ଓ ସୌର ଚାଳିତ ଶକ୍ତି ପ୍ରକଳ୍ପ ତଥା ବ୍ୟାଟେରୀ ଷ୍ଟୋରେଜ ବ୍ୟବସ୍ଥା ଅନ୍ତର୍ଭୁକ୍ତ । ଏଥି ପାଇଁ ଲିଥିୟମ, ଗ୍ରାଫାଇଟ୍, କୋବାଲ୍ଟ, ଟାଇଟାନିୟମ ଓ ଅନ୍ୟାନ୍ୟ ବିରଳ ମୃତ୍ତିକାର ଆବଶ୍ୟକତା ଅଧିକ । କେବଳ ଊର୍ଜା କ୍ଷେତ୍ର ନୁହେଁ ଏସବୁ ଖଣିଜ ପଦାର୍ଥର ଆବଶ୍ୟକତା ପ୍ରତିରକ୍ଷା, କୃଷି, ଔଷଧ ଉତ୍ପାଦନ, ହାଇଟେକ ଇଲେକ୍ଟ୍ରୋନିକ୍ସ, ଟେଲି ଯୋଗାଯୋଗ, ପରିବହନ ଗିଗାଫ୍ୟାକ୍ଟ୍ରି ପ୍ରତିଷ୍ଠା ଆଦି କ୍ଷେତ୍ରରେ ଅଧିକ । ଏସବୁ କ୍ଷେତ୍ରର ଚାହିଦା ପୂରଣ ପାଇଁ ଆନ୍ତର୍ଜାତିକ ବଜାରକୁ ଯଥେଷ୍ଟ ଏଭଳି ଖଣିଜ ପଦାର୍ଥ ମିଳୁନାହିଁ । ତେଣୁ ଭାରତର ବିକାଶ ପ୍ରକ୍ରିୟା ଓ ନିରାପତ୍ତା ଦୃଷ୍ଟିରୁ ନିଜସ୍ୱ ଖଣିଜ ଉତ୍ସର ବ୍ୟବହାର ଅପରିହାର୍ଯ୍ୟ ହୋଇପଡିଛି ।
୨୦୨୩ ଅଗଷ୍ଟ ୧୭ ତାରିଖରେ ସରକାର ଏମ୍ଏମ୍ଡିଆଇ ଆଇନରେ ସଂଶୋଧନ କରି ଏଥିରେ ୨୪ଟି ଖଣିଜ ପଦାର୍ଥକୁ ଅତି ଗୁରୁତ୍ୱପୂର୍ଣ୍ଣ (କ୍ରିଟିକାଲ) ଓ ରଣକୌଶଳାତ୍ମକ (ଷ୍ଟ୍ରାଟେଜିକ୍)ପର୍ଯ୍ୟାୟରେ ତାଲିକାଭୁକ୍ତ କରିଛନ୍ତି। ଏହି ସଂଶୋଧନ ଫଳରେ କେନ୍ଦ୍ର ସରକାର ଏସବୁ ଖଣିଜର ଉତ୍ତୋଳନ ଅଧିକାର ପାଇଛନ୍ତି। ଏହି ଖଣି ନିଲାମରୁ ଯେଉଁ ରାଜସ୍ୱ ମିଳିବ ତାହାର ଏକ ନିର୍ଦ୍ଦିଷ୍ଟ ଅଂଶ ସମ୍ପୃକ୍ତ ରାଜ୍ୟ ସରକାରଙ୍କୁ ପ୍ରଦାନ କରାଯିବ। ଏଥି ପାଇଁ ଏସବୁ ଖଣିଜର ରୟାଲିଟି ହାରରେ ମଧ୍ୟ ସଂଶୋଧନ କରାଯାଇଛି। ଖଣି ନିଲାମଧାରୀଙ୍କୁ ଉତ୍ସାହିତ କରିବା ପାଇଁ ଏସବୁ ଖଣିଜ ମୂଲ୍ୟକୁ ମଧ୍ୟ ସରକାର ଯୁକ୍ତିଯୁକ୍ତ କରିଛନ୍ତି।
ପ୍ଲାଟିନମ୍ ବର୍ଗର ଖଣିଜର ରୟାଲିଟି ହାର ୪ ଶତାଂଶ, ମୋଲିବଡେନମ୍ ର ୭.୫ %, ଗ୍ଲକୁନାଇଟ୍ ଓ ପଟାସର ହାର ୨. ୫% ଧାର୍ଯ୍ୟ କରାଯାଇ ୨୦୨୨ ମାର୍ଚ୍ଚ ମାସରୁ ଏହାକୁ ଲାଗୁ କରାଯାଇଛି। ସେହିଭଳି୨୦୨୩ ଅକ୍ଟେବାର ୧୨ରେ ସରକାର ଲିଥିୟମର ରୟାଲିଟି ହାର ୩%, ନାୟୋବିୟମ୍ର ୩ ଶତାଂଶ ଓ ଆଇଇଇ (ବିରଳ ମୃତ୍ତିକା)ର ରୟାଲିଟି ହାର ଏକ ଶତାଂଶ ଧାର୍ଯ୍ୟ କରିଛନ୍ତି।
ପ୍ରଥମ ପର୍ଯ୍ୟାୟରେ ଦେଶର ଏଭଳି ୨୦ଖଣିର ନିଲାମ କାର୍ଯ୍ୟ ଆସନ୍ତାକାଲିଠାରୁ ଅନ୍ଲାଇନରେ ଆରମ୍ଭ ହେବ। ଏହା ଇ-ଅକ୍ସନ ହେଉଥିବାରୁ ଏହି କାମ ଅତ୍ୟନ୍ତ ସ୍ୱଚ୍ଛ ପ୍ରକ୍ରିୟାରେ କରାଯିବ। ଖଣିଜ ପଦାର୍ଥ ଓ ଖଣିର ନାମ, ନିଲାମର ସର୍ତ୍ତାବଳୀ, ସମୟସୀମା ଓ ଅନ୍ୟାନ୍ୟ ସୂଚନା ଏମ୍ଏସ୍ଟିସି ଅକ୍ସନ ପ୍ଲାଟଫର୍ମ ଆଟ୍ ….. ରେ ଉପଲବ୍ଧ ହେବ।
ନଭେମ୍ବର୨୯ ତାରିଖ ସନ୍ଧ୍ୟା ୬ଟାରୁ ଏହି ପ୍ଲାର୍ଟଫର୍ମକୁ ଆକ୍ସେସ କରିହେବ। ଦୁଇ ପର୍ଯ୍ୟାୟ ବିଶିଷ୍ଟ ଆସେଣ୍ଡିଂ ଫରୱାର୍ଡ ଅକ୍ସନ ପ୍ରସେସରେ ଅତ୍ୟନ୍ତ ସ୍ୱଚ୍ଛ ଭାବରେ ଏହି ନିଲାମ ଆକ୍ସନ କରାଯିବ। ଯେଉଁ ନିଲାମ ଡକାଳି ଏଭଳି କାର୍ଯ୍ୟ ସର୍ବାଧିକା ବୋଲି (ହାଇଏଷ୍ଟେ ବିଡିଂ) ଲଗାଇବେ ତାଙ୍କୁ ନିଲାମ ଦିଆଯିବ।