ଗଣକବି ବୈଷ୍ଣବ ପାଣିଙ୍କ ଜୟନ୍ତୀରେ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ମିଳିଲା ଗଣକବି ସମ୍ମାନ

Published: Nov 30, 2023, 11:23 am IST

ଭୁବନେଶ୍ୱର: ସାହିତ୍ୟ ହେଉଛି ସମାଜର ପ୍ରତିବିମ୍ବ, ପ୍ରତିରୂପ ଓ ପ୍ରତିଛବି। ସମାଜର ପ୍ରତ୍ୟେକ ଦୃଶ୍ୟ ଓ ଘଟଣା ସାହିତ୍ୟରେ ପ୍ରତିଫଳିତ ହୋଇଥାଏ ବୋଲି ରାଜ୍ୟପାଳ ରଘୁବର ଦାସ ପ୍ରକାଶ କରିଛନ୍ତି।

ଭୁବନେଶ୍ୱର ଜୟଦେବ ଭବନରେ ଗଣକବି ବୈଷ୍ଣବ ପାଣିଙ୍କ ୧୪୧ତମ ଜୟନ୍ତୀ ଉତ୍ସବରେ ଯୋଗ ଦେଇ ରାଜ୍ୟପାଳ କହିଛନ୍ତି ଯେ ଗଣକବି ଲୋକପ୍ରିୟ କବି, ମହାନ ସାରସ୍ୱତ ସାଧକ ଓ ସଫଳ ଅଭିନେତା ଭାବରେ ବିପୁଳ ଶ୍ରଦ୍ଧା ଓ ସମ୍ମାନରେ ଅଧିକାରୀ ହୋଇପାରିଥିଲେ। ସେ ନିଜ ସର୍ଜନା ମାଧ୍ୟମରେ ସମାଜକୁ ମାର୍ଗଦର୍ଶନ କରାଇବା ସହ ଉଚ୍ଚତର ଚେତନାର ଉତ୍‌ପ୍ରେରକ ଥିଲେ।

ଓଡ଼ିଆ ଭାଷା ସାହିତ୍ୟର ଶ୍ରୀ ଓ ସମୃଦ୍ଧି ପାଇଁ ତାଙ୍କର ଅବଦାନ ଅବିସ୍ମରଣୀୟ। ସମାଜର ସମସ୍ତଙ୍କର ବିକାଶ ଓ ସମସ୍ତଙ୍କୁ ସମାନ ଅଧିକାର ମିଳିବା ପାଇଁ ତାଙ୍କର ଲେଖନୀ କ୍ରିୟାଶୀଳ ଥିଲା। ପ୍ରଧାନମନ୍ତ୍ରୀଙ୍କ “ସବ୍‌କା ସାଥ, ସବ୍‌କା ବିକାଶ, ସବ୍‌କା ବିଶ୍ୱାସ, ସବ୍‌କା ପ୍ରୟାସର ମୂଳଭିତ୍ତି ବୈଷ୍ଣବ ପାଣିଙ୍କ ରଚନାର ସାକାର ପ୍ରୟୋଗ ବୋଲି ରାଜ୍ୟପାଳ କହିଛନ୍ତି।

ଉତ୍ସବରେ ବିଧାୟକ ତଥା ଗଣକବି ବୈଷ୍ଣବ ପାଣି ସ୍ମୃତି ସଂସଦର ଅଧ୍ୟକ୍ଷ ତଥା ବିଧାୟକ ପ୍ରତାପ ଜେନା, ଭୁବନେଶ୍ୱର ମେୟର ସୁଲୋଚନା ଦାସ, ସ୍ମୃତି ପରିଷଦର ସଂପାଦକ ନିରଞ୍ଜନ ପ୍ରଧାନ, ଉପସଭାପତି ରଜନୀକାନ୍ତ ପରିଡ଼ା ପ୍ରମୁଖ ଗଣକବିଙ୍କ ସର୍ଜନା, ସାଧନା ଓ ସିଦ୍ଧି ସଂପର୍କରେ ଆଲୋଚନା କରିଥିଲେ।

ବିଶିଷ୍ଟ ସଂଗୀତଜ୍ଞ ପ୍ରେମ ଆନନ୍ଦଙ୍କୁ ଗଣକବି ସମ୍ମାନ ଓ ପଲ୍ଲୀ ମଙ୍ଗଳ ସାଂସ୍କୃତିକ ସଂସଦକୁ ସମ୍ବର୍ଦ୍ଧିତ କରାଯିବା ସହ ଜୟନ୍ତୀ ଉପଲକ୍ଷେ ଆୟୋଜିତ ପ୍ରତିଯୋଗିତାର କୃତୀ ପ୍ରତିଯୋଗୀମାନଙ୍କୁ ପୁରସ୍କୃତ କରାଯାଇଥିଲେ। ବିଶିଷ୍ଟ ସଂଚାଳିକା ସୁଚେତା ପ୍ରିୟଦର୍ଶିନୀ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ।

Related posts