
ନୂଆଦିଲ୍ଲୀ: ଡିସେମ୍ବର ୧୩ରେ ସଂସଦର ଅନୁପ୍ରବେଶ ମାମଲାରେ ସଂସଦ ସଚିବାଳୟ ୮ ଜଣ ସୁରକ୍ଷାକର୍ମୀଙ୍କୁ ନିଲମ୍ବିତ କରିଛି। ନିଲମ୍ବିତ ହୋଇଥିବା ସୁରକ୍ଷାକର୍ମୀମାନେ ହେଲେ ରାମପାଲ, ଅରବିନ୍ଦ, ବୀର ଦାସ, ଗଣେଶ, ଅନିଲ, ପ୍ରଦୀପ, ବିମିତ ଓ ନରେନ୍ଦ୍ର।
ଆଜି ପ୍ରଧାନମନ୍ତ୍ରୀ ମୋଦୀ ସଂସଦରେ ପହଞ୍ଚି କେନ୍ଦ୍ର ମନ୍ତ୍ରୀମାନଙ୍କ ସହ ବୈଠକ କରିଛନ୍ତି। ଗୃହମନ୍ତ୍ରୀ ଅମିତ ଶାହା, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, କେନ୍ଦ୍ରମନ୍ତ୍ରୀ ପ୍ରହ୍ଲାଦ ଯୋଶୀ ଏବଂ ଅନୁରାଗ ଠାକୁର ଏହି ବୈଠକରେ ଉପସ୍ଥିତ ଥିଲେ।
ପୁଲିସ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ସଂସଦ ବାହାରେ ପୂର୍ବରୁ ରେକି କରି ସାରିଥିଲେ। ସମସ୍ତ ଅଭିଯୁକ୍ତ ସୋସିଆଲ ମିଡିଆ ପେଜ୍ ‘ଭଗତ ସିଂହ ଫ୍ୟାନ୍ କ୍ଲବ୍’ ସହ ଜଡ଼ିତ ଥିଲେ।
ପ୍ରାୟ ଦେଢ଼ ବର୍ଷ ତଳେ ସମସ୍ତ ଅଭିଯୁକ୍ତଙ୍କୁ ମହୀଶୂରରେ ଠାବ କରାଯାଇଥିଲା। ଅଭିଯୁକ୍ତ ସାଗର ଜୁଲାଇରେ ଲକ୍ଷ୍ନୌରୁ ଦିଲ୍ଲୀ ଆସିଥିଲେ ମଧ୍ୟ ସଂସଦ ଭବନଭିତରକୁ ପ୍ରବେଶ କରିପାରିନଥିଲେ। ଡିସେମ୍ବର ୧୦ତାରିଖରେ ଗୋଟିଏ ପରେ ଗୋଟିଏ ସମସ୍ତେ ନିଜ ନିଜ ରାଜ୍ୟରୁ ଦିଲ୍ଲୀରେ ପହଞ୍ଚିଥିଲେ।
ଘଟଣା ଦିନ ସମସ୍ତ ଅଭିଯୁକ୍ତ ଇଣ୍ଡିଆ ଗେଟ୍ ନିକଟରେ ଏକାଠି ହୋଇ ସମସ୍ତଙ୍କୁ ରଙ୍ଗ ସ୍ପ୍ରେ ବଣ୍ଟନ କରିଥିଲେ। ପ୍ରାଥମିକ ତଦନ୍ତରୁ ଜଣାପଡ଼ିଛି ଯେ ସଂସଦ ସୁରକ୍ଷା ଉଲ୍ଲଂଘନର ମୁଖ୍ୟ ଷଡ଼ଯନ୍ତ୍ରକାରୀ ଅନ୍ୟ କେହି ଅଛନ୍ତି।