
ନୂଆଦିଲ୍ଲୀ: ମନି ଲଣ୍ଡରିଂ ମାମଲାରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଆଜି ସକାଳେ ଝାଡଖଣ୍ଡର ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ଦିଲ୍ଲୀ ବାସଭବନରେ ପହଞ୍ଚିଛି। ଇଡି ଅଧିକାରୀମାନେ ଏହି ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ସୋରେନଙ୍କୁ ଜେରା କରିପାରନ୍ତି।
ଏହାପୂର୍ବରୁ ଜାନୁଆରୀ ୨୦ ତାରିଖରେ କେନ୍ଦ୍ରୀୟ ଏଜେନ୍ସି ଇଡି ଅର୍ଥ ହେରଫେର ମାମଲାରେ ତାଙ୍କ ବାସଭବନରେ ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନଙ୍କ ବିବୃତ୍ତି ରେକର୍ଡ କରିଥିଲା। ଏହା ପରେ ଜେରା ଶେଷ ହୋଇ ନ ଥିବାରୁ ତାଜା ସମନ ଜାରି କରାଯାଇଥିଲା। ଏଜେନ୍ସି ଅନୁଯାୟୀ, ଅନୁସନ୍ଧାନ ଝାଡଖଣ୍ଡର ମାଫିଆଙ୍କ ଦ୍ଵାରା ଜମି ମାଲିକାନାରେ ବେଆଇନ ପରିବର୍ତ୍ତନ ହେବାର ଏକ ବଡ ରାକେଟ୍ ସମ୍ବନ୍ଧୀୟ। ଏହାପୂର୍ବରୁ, ଜମି ଚୁକ୍ତି ସ୍କାମରେ ଜାନୁଆରୀ ୨୯ ତାରିଖରୁ ୩୧ ତାରିଖ ମଧ୍ୟରେ ହେମନ୍ତ ସୋରେନଙ୍କୁ ଜେରା କରିବାକୁ ଇଡି ସମୟ ମାଗିଥିଲା।
ଜାନୁୟାରୀ ୨୭ ତାରିଖରୁ ୩୧ ତାରିଖ ମଧ୍ୟରେ ଜେରା ପାଇଁ ଏକ ସମୟ ଏବଂ ସ୍ଥାନ ସ୍ଥିର କରି ହେମନ୍ତ ସୋରେନଙ୍କୁ ୨୫ ଜାନୁୟାରୀ ୨୦୨୪ ସୁଦ୍ଧା ଜଣାଇବାକୁ ଇଡି ଜାନୁଆରୀ ୨୨ ତାରିଖରେ ଏକ ସମନ ପଠାଇଥିଲା। ଏହା ପରେ ଝାଡଖଣ୍ଡ ମୁଖ୍ୟମନ୍ତ୍ରୀ ସୋରେନ ରବିବାର ନିଜେ ସେଠାରୁ ଦିଲ୍ଲୀ ଯାଇଥିଲେ। ବର୍ତ୍ତମାନ ସୋମବାର ଦିନ ଇଡି ଦଳ ଦିଲ୍ଲୀରେ ତାଙ୍କ ବାସଭବନରେ ପହଞ୍ଚିଛନ୍ତି।
୨୦୧୧ ବ୍ୟାଚ୍ ଇଣ୍ଡିଆନ୍ ଆଡମିନିଷ୍ଟ୍ରେଟିଭ୍ ସର୍ଭିସ (ଆଇଏଏସ୍) ଅଧିକାରୀ ଛବି ରଂଜନଙ୍କ ସମେତ ଇଡି ଏପର୍ଯ୍ୟନ୍ତ ୧୪ ଜଣଙ୍କୁ ଗିରଫ କରିଛି। ସେ ରାଜ୍ୟ ସାମାଜିକ କଲ୍ୟାଣ ବିଭାଗର ନିର୍ଦ୍ଦେଶକ ତଥା ରାଞ୍ଚିର ଡେପୁଟି କମିଶନର ଭାବରେ କାର୍ଯ୍ୟ କରିଥିଲେ।