ଗତକାଲି ମାଞ୍ଚେଷ୍ଟରରେ ଖେଳାଯାଇଥିବା ଭରତ ବନାମ ପାକିସ୍ଥାନ ମ୍ୟାଚରେ ଭାରତର ବିଜୟ ପରେ ଟିମ ଇଣ୍ଡିଆକୁ ପ୍ରଶଂସକ ମାନେ ଅଭିବାଦନ ଜଣାଇଛନ୍ତି। ତେବେ ଟିମ ଇଣ୍ଡିଆର ବିଜୟକୁ ଉଚ୍ଛସିତ ପ୍ରଶଂସା କରିବା ସହିତ ଏହାକୁ ପାକିସ୍ଥାନ ବିପକ୍ଷରେ ଆଉ ଏକ ଷ୍ଟ୍ରାଇକ ବୋଲି କହିଛନ୍ତି କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା। ସେହିଭଳି ଅନ୍ୟନେତାମାନେ ମଧ୍ୟ ଭାରତୀୟ ଟିମର ପ୍ରଦର୍ଶନରେ ବହୁତ ଖୁସି ଅନୁଭବ କରି ଭବିଷ୍ୟତର ମ୍ୟାଚ ପାଇଁ ଅଭିନନ୍ଦନ ଜଣାଇଛନ୍ତି । ଅମିତ ଶାହା ଟୁଇଟ କରି ଲେଖିଛନ୍ତି, ପାକିସ୍ତାନ ଉପରେ ଟିମ ଇଣ୍ଡିଆ ଦ୍ୱାରା ଆଉ ଏକ ଷ୍ଟ୍ରାଇକ ଦେଖିବାକୁ ମିଳିଛି । ଫଳାଫଳ ପୂର୍ବଭଳି ରହିଛି । ପୂରା ଟିମକୁ ବହୁତ ଧନ୍ୟବାଦ । ଆପଣମାନଙ୍କର ପ୍ରଦର୍ଶନ ପ୍ରଶଂସନୀୟ ରହିଛି । ସଂପୂର୍ଣ୍ଣ ରୂପେ ଟିମକୁ ଅଭିନନ୍ଦନ ଜଣାଉଛି ବୋଲି ଶାହା କହିଛନ୍ତି । ଭାରତର ପ୍ରତ୍ୟେକ ନାଗରିକ ଏହି ବିଜୟକୁ ନେଇ ଉତ୍ସାହିତ ଏବଂ ଗର୍ବ ଅନୁଭବ କରୁଛନ୍ତି । ସେହିଭଳି ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ, କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀ, କେନ୍ଦ୍ରମନ୍ତ୍ରୀ ପୀୟୁଷ ଗୋୟଲ ବିଜୟ ପାଇଁ ଶୁଭକାମନା ଜଣାଇଛନ୍ତି । ଏହି ମ୍ୟାଚରେ ପାକିସ୍ତାନକୁ ଭାରତ ୮୯ ରନରେ ପରାସ୍ତ କରିଛି ।
Tags: