୧୪ ବର୍ଷ ପରେ ଅଯୋଧ୍ୟା ଆତଙ୍କୀ ଆକ୍ରମଣ ଘଟଣାର ଶୁଣାଣୀ : ୪ ଜଣଙ୍କୁ ଆଜୀବନ

Published: Jun 18, 2019, 4:26 pm IST

ଅଯୋଧ୍ୟା ରାମଜନ୍ମଭୂମି ପରିସରରେ ୨୦୦୫ରେ ହୋଇଥିବା ଆତଙ୍କୀ ହମଲାର ମଙ୍ଗଳବାର ଶୁଣାଣି ହୋଇଛି। ୧୪ ବର୍ଷ ପରେ ଏହି ମାମଲାର ଶୁଣାଣି କରିଛନ୍ତି ପ୍ରୟାଗରାଜର ଏକ ବିଶେଷ ଅଦାଲତ। ନୈନୀ ସେଣ୍ଟ୍ରାଲ୍‌ ଜେଲ୍‌ରେ ହୋଇଥିବା ଏହି ବିଶେଷ ଅଦାଲତ ଅଭିଯୁକ୍ତ ଚାରି ଦୋଷୀଙ୍କୁ ଆଜୀବନ କାରାଦଣ୍ଡ ଦେଇଥିବାବେଳେ ଜଣଙ୍କୁ ଦୋଷମୁକ୍ତ କରିଛନ୍ତି। ଏହି ଅଭିଯୁକ୍ତଙ୍କ ଉପରେ ଷଡଯନ୍ତ୍ର କରିବାର ଅଭିଯୋଗ ରହିଥିଲା। ବହୁ ସମୟ ଧରି ନୈନୀ ଜେଲ୍‌ରେ ଏହି ଅଭିଯୁକ୍ତମାନେ ବନ୍ଦୀ ରହିଥିଲେ। ଏହି ମାମଲାର  ଶୁଣାଣି ସ୍ପେଶାଲ୍‌ ବିଚାରପତି ଜଜ୍‌ ଦିନେଶ୍‌ ଚନ୍ଦ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା। ଏହି ଅଭିଯୁକ୍ତମାନଙ୍କୁ ଆଜୀବନ କାରାଦଣ୍ଡ ସହିତ ୪୦ ହଜାର ଟଙ୍କାର ଜୋରିମାନା ମଧ୍ୟ  କରାଯାଇଛି। ଏହି ଅଭିଯୁକ୍ତମାନେ ହେଲେ ଡ. ଇରଫାନ୍‌, ମୋହମ୍ମଦ ସକିଲ୍‌, ମୋହମ୍ମଦ ନସୀମ୍‌, ଫାରୁଖ୍‌। ଏହି ମାମଲାରେ ପାଖାପାଖି ୬୩ଜଣ ସାକ୍ଷୀଙ୍କ ବୟାନକୁ ରେକର୍ଡ କରାଯାଇଥିଲା। ଯେଉଁଥିରେ ୧୪ଜଣ ପୁଲିସ୍‌ କର୍ମଚାରୀ ରହିଥିଲେ। ୨୦୦୫ରେ ହୋଇଥିବା ଏହି ଆତଙ୍କୀ ଆକ୍ରମଣ ଘଟଣାରେ ପାଞ୍ଚ ଆତଙ୍କବାଦୀଙ୍କ ଓ ଜଣେ ଟୁରିଷ୍ଟ ଗାଇଡଙ୍କ ସମେତ ସାତଜଣ ମୃତ୍ୟୁବରଣ କରିଥିଲେ। ଏହି ଆକ୍ରମଣ ଆତଙ୍କୀ ସଂଗଠନ ଲଶ୍କର-ଏ-ତୋୟବା ଦ୍ବାରା କରାଯାଇଥିଲା।

Related posts