ଗ୍ରୀଷ୍ମ ପ୍ରବାହ ପାଇଁ ୨୫ ତାରିଖ ଯାଏଁ ସ୍କୁଲ ଛୁଟି ବଢିଲା,ସରକାରୀ ଓ ଘରୋଇ ସ୍କୁଲ ବନ୍ଦ ପାଇଁ ସରକାରଙ୍କ ନିର୍ଦ୍ଦେଶ

Published: Jun 18, 2019, 5:55 pm IST
school vacation extended till 25th June

ପ୍ରବଳ ଗ୍ରୀଷ୍ମ ପ୍ରବାହ ପାଇଁ ଖରା ଛୁଟି ବଢାଇଲେ ସରକାର। ଜୁନ୍‌ ୨୫ ଯାଏଁ ସ୍କୁଲ ଛୁଟି ବଢାଇଛନ୍ତି ସ୍କୁଲ ଓ ଗଣଶିକ୍ଷା ବିଭାଗ। ଏନେଇ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ସଚିବ ପ୍ରଦୀପ ମହାପାତ୍ର। ପଶ୍ଚିମ ଓଡ଼ିଶାରେ ଏବେବି ଜାରି ରହିଛି ଗ୍ରୀଷ୍ମ ପ୍ରବାହ। ଏପ୍ରିଲ୍‌ ୧୮ରୁ ଗ୍ରୀଷ୍ମକାଳୀନ ଛୁଟି ଦିଆଯାଇଥିଲା। ଓଡ଼ିଶାକୁ ମୌସୁମୀ ଆସିବାକୁ ବିଳମ୍ବ ହେଉଥିବାବେଳେ ପ୍ରବଳ ଗରମ ଅନୁଭୂତ ହେଉଛି। ସେହିପରି ବାତ୍ୟା ଫନି ଜନିତ କ୍ଷତି ହୋଇଥିବା ବିଦ୍ୟାଳୟଗୁଡ଼ିକର ମରାମତି କାର୍ଯ୍ୟ ମଧ୍ୟ ସମ୍ପୂର୍ଣ୍ଣ ହୋଇପାରିନାହିଁ।

କେବଳ ସରକାରୀ ସ୍କୁଲ ନୁହେଁ ରାଜ୍ୟର ସମସ୍ତ ଘରୋଇ ସ୍କୁଲକୁ ମଧ୍ୟ ବନ୍ଦ ରଖିବା ପାଇଁ ସରକାର ଏହି ନିର୍ଦ୍ଦେଶ ଦେଇଛନ୍ତି। ପୂର୍ବରୁ ସରକାରୀ ସ୍କୁଲଗୁଡିକ 18 ତାରିଖ ପର୍ଯ୍ୟନ୍ତ ଛୁଟି ରଖିବାକୁ କୁହାଯାଇଥିଲା। ଫଳରେ ଆସନ୍ତାକାଲି ଏହି ସ୍କୁଲଗୁଡିକ ଖୋଲିବାର ଥିଲା। ସେହିପରି ଆଜି ରାଜ୍ୟର ସମସ୍ତ ଘରୋଇ ସ୍କୁଲଗୁଡିକ ଗ୍ରୀଷ୍ମ ଛୁଟି ପରେ ଖୋଲାଯାଇଥିଲା। ସରକାରଙ୍କ ଏହି ନିର୍ଦ୍ଦେଶନାମା ଦ୍ବାରା ବର୍ତ୍ତମାନ ସମସ୍ତ ସ୍କୁଲ ବନ୍ଦ ରହିବ। ଆସନ୍ତା 26 ତାରିଖ ବୁଧବରା ଦିନ ସ୍କୁଲଗୁଡିକ ଖୋଲିବାକୁ କୁହାଯାଇଛି।

 

Related posts