ଆଜି ଯୁକ୍ତ ଦୁଇ କଳା, ବାଣିଜ୍ୟ ଓ ଧନ୍ଦାମୂଳକ ଶିକ୍ଷାର ପରୀକ୍ଷା ଫଳ ପ୍ରକାଶ ପାଇଛି। ଭୁବନେଶ୍ୱରଠାରେ ସ୍କୁଲ୍ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ଦାଶ ପରୀକ୍ଷା ଫଳ ଘୋଷଣା କରିଛନ୍ତି। କଳାରେ ୬୫.୮୯% ପିଲା ପାସ୍ କରିଥିବା ବେଳେ ବାଣିଜ୍ୟରେ ୭୦.୨୬ % ପାସ୍ କରିଛନ୍ତି। ଚଳିତ ଥର କଳାରେ ୨ ଲକ୍ଷ ୩୫ ହଜାର ୧୫୦ ପିଲା ପରୀକ୍ଷା ଦେଇଥିବା ବେଳେ ୧ ଲକ୍ଷ ୫୨ ହଜାର ୩୨୩ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୧୮,୭୭୩ ଜଣ ପ୍ରଥମ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ୨୨,୯୪୪ ଜଣ ଦ୍ୱିତୀୟ ଓ ୧ ଲକ୍ଷ ୧୦ ହଜାର ୪୫୨ ଜଣ ତୃତୀୟ ଶ୍ରେଣୀରେ ପାସ୍ କରିଥିଲେ। କଳାରେ ବାଲେଶ୍ବର ଜିଲ୍ଲାରେ ସର୍ବାଧିକ ପାସ୍ ହାର (୭୫.୬୭%) ରହିଛି। ନବରଙ୍ଗପୁରରେ ସର୍ବନିମ୍ନ ପାସ୍ ହାର (୪୭.୪୬%) ରହିଛି। କଳାରେ ଦୁଇଟି କଲେଜର ଫଳାଫଳ ଶୂନ୍ୟ ରହିଛି। ସେହିପରି ବାଣିଜ୍ୟରେ ୨୬,୭୯୪ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବା ବେଳେ ୧୮,୮୨୬ ଜଣ ପାସ୍ କରିଛନ୍ତି। ସେମାନଙ୍କ ମଧ୍ୟରୁ ୫,୬୨୯ ଜଣ ପ୍ରଥମ ଶ୍ରେଣୀରେ ପାସ୍ କରିଥିବା ବେଳେ ୩,୭୮୬ ଜଣ ଦ୍ୱିତୀୟ ଶ୍ରେଣୀରେ ଓ ୯,୪୨୨ ଜଣ ତୃତୀୟ ଶ୍ରେଣୀରେ ଉତ୍ତୀର୍ଣ୍ଣ ହୋଇଛନ୍ତି। ବାଣିଜ୍ୟରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ପାସ୍ ହାର୍ ୮୬.୮୯% ରହିଥିବାବେଳେ ଦେବଗଡ଼ରେ ସର୍ବନିମ୍ନ (୨୪.୩୪%) ରହିଛି। ବାଣିଜ୍ୟରେ ଚାରୋଟି କଲେଜର ଫଳାଫଳା ଶୂନ୍ୟ ରହିଛି। www.chseodisha.nic.in ଏବଂ www.orissaresults.nic.in ୱେବସାଇଟ୍ରେ ନିଜ ରୋଲ୍ ନମ୍ବର ଓ ରେଜିଷ୍ଟ୍ରେସନ୍ ନମ୍ବର ଦେଇ ପରୀକ୍ଷା ଫଳ ଜାଣିପାରିବେ। ତେବେ ଗତ ବର୍ଷ ତୁଳନାରେ ଚଳିତ ବର୍ଷ ଉଭୟ ବିଭାଗରେ ପାସ୍ ହାର କମିଛି। ଏହି ପାସ୍ ହାର ହ୍ରାସକୁ ନେଇ ତର୍ଜମା କରାଯିବ ବୋଲି ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି।