ନୂଆଦିଲ୍ଲୀ: ରବିବାର ଦିନ ଆନ୍ଧ୍ରପ୍ରଦେଶର ଗୁଣ୍ଟୁର ଜିଲ୍ଲାରେ ଆସନ୍ତା ମାସରେ ହେବାକୁ ଥିବା ଲୋକସଭା ଓ ବିଧାନସଭା ନିର୍ବାଚନ ପାଇଁ ପ୍ରଚାର କରୁଥିବାବେଳେ କେହି ଜଣେ ଜନସେନା ପାର୍ଟି ନେତା ତଥା ଟଲିଉଡ ଅଭିନେତା ପୱନ କଲ୍ୟାଣଙ୍କ ଉପରକୁ ପଥର ଫିଙ୍ଗିଥିଲେ, କିନ୍ତୁ ସେ ଏଥିରୁ ରକ୍ଷା ପାଇଯାଇଛନ୍ତି। ଗୁଣ୍ଟୁର ଜିଲ୍ଲାର ତେନାଲିରେ ଏହି ଘଟଣା ଘଟିଥିଲା, ଯେତେବେଳେ ପୱନ କଲ୍ୟାଣ ଟିଡିପି-ଜେଏସପି-ବିଜେପି ପ୍ରାର୍ଥୀଙ୍କ ସମର୍ଥନରେ ନିର୍ବାଚନୀ ରାଲି କରୁଥିଲେ। ଜେଏସପି ନେତାଙ୍କଠାରୁ କିଛି ଦୂରରେ ପଥର ପଡିଥିଲା। ଏହି ଘଟଣା ଯୋଗୁଁ ରାଲି ସମୟରେ ଉତ୍ତେଜନା ବଢିଯାଇଥିଲା।
ଜେଏସପି କର୍ମୀମାନେ ପଥର ଫିଙ୍ଗୁଥିବା ବ୍ୟକ୍ତିଙ୍କୁ ଧରି ପୋଲିସକୁ ହସ୍ତାନ୍ତର କରିଥିଲେ। ସମାନ ଘଟଣା ମୁଖ୍ୟମନ୍ତ୍ରୀ ୱାଇ.ଏସ. ଜଗନ୍ ମୋହନ ରେଡ୍ଡୀଙ୍କ ନିର୍ବାଚନ ପ୍ରଚାର ସମୟରେ ଘଟିଥିଲା। ଯେଉଁଥିରେ ଜଗନ୍ ମୋହନ ଆହତ ହୋଇଥିଲେ। ଶନିବାର ଦିନ ଅଜିତ ସିଂ ନଗର ଅଞ୍ଚଳରେ ପଥର ମାଡ ହେବା ପରେ YSR କଂଗ୍ରେସ ପାର୍ଟି (YSRCP) ମୁଖ୍ୟଙ୍କ ବାମ ଆଖିରେ ଆଘାତ ଲାଗିଥିଲା।
ଡାକ୍ତରମାନେ ତୁରନ୍ତ ତାଙ୍କୁ ପ୍ରଥମ ଚିକିତ୍ସା କରିଥିଲେ। ମୁଖ୍ୟମନ୍ତ୍ରୀ “ମେମନ୍ଥ ସିଦ୍ଧମ ଯାତ୍ରା” ରେ ଅଛନ୍ତି। ଯେତେବେଳେ ଏହି ଆକ୍ରମଣ ହୋଇଥିଲା ସେତେବେଳେ ସେ ଲୋକଙ୍କୁ ଅଭିବାଦନ ଜଣାଇବା ପାଇଁ ଏକ ବସ୍ରେ ଠିଆ ହୋଇଥିଲେ। ଜଗନ୍ ମୋହନ ରେଡ୍ଡୀଙ୍କ ପାଖରେ ଠିଆ ହୋଇଥିବା ବିଜୟୱାଡା ପଶ୍ଚିମr ବିଧାୟକ ଭେଲମପଲ୍ଲୀ ଶ୍ରୀନିବାସ ରାଓଙ୍କ ମଧ୍ୟ ବାମ ଆଖିରେ ଆଘାତ ଲାଗିଥିଲା। ୧୭୫ ସଦସ୍ୟ ବିଶିଷ୍ଟ ଆନ୍ଧ୍ରପ୍ରଦେଶ ବିଧାନସଭା ଏବଂ ୨୫ ଟି ଲୋକସଭା ଆସନ ପାଇଁ ମେ ୧୩ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବ।