ଜାହାଜରେ ବନ୍ଧକ ନାହାନ୍ତି କୌଣସି ଭାରତୀୟ: ଇରାନର ରାଷ୍ଟ୍ରଦୂତ

Published: Apr 18, 2024, 9:15 pm IST

ନୂଆଦିଲ୍ଲୀ: ଓମାନ ଗଲ୍ଫରୁ ଜବତ ହୋଇଥିବା କଣ୍ଟେନର ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ ରଖାଯାଇଥିବା ଖବର ଇରାନ ପ୍ରତ୍ୟାଖ୍ୟାନ କରିଛି। ଗଣମାଧ୍ୟମକୁ ଇରାନର ଭାରତରେ ରାଷ୍ଟ୍ରଦୂତ ଇରାଜ ଇଲାହି କହିଛନ୍ତି ଯେ, ଇରାନରେ ଧରାଯାଇଥିବା ଇସ୍ରାଏଲ ଜାହାଜରେ କୌଣସି ଭାରତୀୟଙ୍କୁ ବନ୍ଧକ ରଖାଯାଇ ନାହିଁ। କ୍ରୁ ଦଳର ସଦସ୍ୟମାନେ ଯେକୌଣସି ସ୍ଥାନକୁ ଯିବା ପାଇଁ ସ୍ଵାଧୀନ। ଏଥିପାଇଁ ସେମାନଙ୍କୁ କେବଳ ସେମାନଙ୍କ କମାଣ୍ଡରଙ୍କଠାରୁ ଅନୁମତି ନେବାକୁ ପଡିବ।

ଇରାନରେ ଜବତ ହୋଇଥିବା ଜାହାଜରୁ ଜଣେ ମହିଳା ଭାରତକୁ ଫେରିଛନ୍ତି, କିନ୍ତୁ ଅବଶିଷ୍ଟ ୧୬ ଜଣ ଭାରତୀୟ ଜାହାଜରେ ଅଛନ୍ତି। ସେମାନଙ୍କ ବିଷୟରେ ପରିସ୍ଥିତି କ’ଣ? ଏହାର ଜବାବରେ ଇରାନର ଭାରତରେ ଥିବା ରାଷ୍ଟ୍ରଦୂତ ଡକ୍ଟର ଇରାଜ ଇଲାହି କହିଛନ୍ତି ଯେ, “ସମସ୍ତ ଲୋକ ଜାହାଜର କ୍ୟାପଟେନଙ୍କ ଅଧୀନରେ ଅଛନ୍ତି। ଯଦି ସେମାନେ ଯିବାକୁ ଚାହାଁନ୍ତି ଏବଂ ଯଦି କ୍ୟାପଟେନ ଅନୁମୋଦନ କରନ୍ତି, ତେବେ ସେମାନେ ଇରାନ ଜଳମାର୍ଗ ମଧ୍ୟ ଦେଇ ଯାଇପାରିବେ।”

ପାକିସ୍ତାନୀ ନାଗରିକଙ୍କୁ ମୁକ୍ତ କରିଛି ଇରାନ:

ଏହାପୂର୍ବରୁ ଏପ୍ରିଲ ୧୬ ତାରିଖରେ ଜାହାଜରେ ଉପସ୍ଥିତ ଥିବା ଉଭୟ ପାକିସ୍ତାନୀ ନାଗରିକଙ୍କୁ ଇରାନ ମୁକ୍ତ କରିଥିଲା। ଦୁଇ ପାକିସ୍ତାନୀ ନାଗରିକଙ୍କ ମଧ୍ୟରୁ ଜଣେ ଜାହାଜରେ ଚିଫ ଅପରେଟିଂ ଅଫିସର ଭାବରେ କାର୍ଯ୍ୟ କରୁଥିଲେ।

Related posts