ନୂଆଦିଲ୍ଲୀ: ମଙ୍ଗଲସୁତ୍ର ସମ୍ପର୍କରେ ଦେଇଥିବା ବିବୃତ୍ତିରେ କଂଗ୍ରେସ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଆକ୍ରମଣ କରିଛି। କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ନରେନ୍ଦ୍ର ମୋଦୀ ବିଶ୍ୱ ଗୁରୁ ନୁହଁନ୍ତି ବରଂ ବିଷ ଗୁରୁ। ଜୟରାମ ରମେଶ ଦାବି କରିଛନ୍ତି ଯେ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭୟଭୀତ ଅଛନ୍ତି ତେଣୁ ସେ ଧୃବିକରଣର ରାସ୍ତା ଆପଣେଇଛନ୍ତି।
ହିନ୍ଦୁସ୍ତାନ ଟାଇମ୍ସ ରିପୋର୍ଟ ଅନୁଯାୟୀ, ପ୍ରଧାନମନ୍ତ୍ରୀଙ୍କ ଅଭିଯୋଗ ଉପରେ ଜୟରାମ ରମେଶ ପୁଣିଥରେ ଆକ୍ରମଣ କରିଛନ୍ତି। ସେ କହିଛନ୍ତି ଯେ, ଦେଶର ପ୍ରଧାନମନ୍ତ୍ରୀ ଏପରି ଭାଷା କେବେବି ବ୍ୟବହାର କରିପାରିବେ ନାହିଁ, କିନ୍ତୁ ସେ ଏପରି କରୁଛନ୍ତି। ପ୍ରଧାନମନ୍ତ୍ରୀ ନିଜକୁ ବିଶ୍ୱ ଗୁରୁ ବୋଲି ବିବେଚନା କରନ୍ତି, କିନ୍ତୁ ଗତ କିଛି ଦିନ ମଧ୍ୟରେ ସେ ଯେଉଁ ଭାଷା ବ୍ୟବହାର କରିଛନ୍ତି। ଏହା ଦର୍ଶାଏ ଯେ, ସେ ଜଣେ ବିଶ୍ୱ ଗୁରୁ ନୁହଁନ୍ତି ବରଂ ଏକ ବିଷ ଗୁରୁ।
କଂଗ୍ରେସର ସାଧାରଣ ସମ୍ପାଦକ ଜୟରାମ ରମେଶ କହିଛନ୍ତି ଯେ, ନିକଟରେ ପ୍ରଧାନମନ୍ତ୍ରୀ ମୋଦୀ ଯେଉଁ ଭାଷା ବ୍ୟବହାର କରିଛନ୍ତି ତାହା ବିଭାଜନକାରୀ ଏବଂ ଧୃବିକରଣ। ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେଉଁ ବ୍ୟକ୍ତି ମଙ୍ଗଲସୁତ୍ରକୁ କେବେ ସମ୍ମାନ ଦେଇନାହିଁ, ଆଜି ସେ କହୁଛନ୍ତି ଯେ କଂଗ୍ରେସ ମଙ୍ଗଲସୁତ୍ରକୁ ଛଡ଼ାଇ ନେବ।
ପ୍ରଧାନମନ୍ତ୍ରୀ ମୋଦୀ କ’ଣ କହିଥିଲେ?:
ରବିବାର ରାଜସ୍ଥାନର ବାଂଶୱାଡାଠାରେ ଏକ ନିର୍ବାଚନ ରାଲିରେ ସମ୍ବୋଧିତ କରୁଥିବାବେଳେ ପ୍ରଧାନମନ୍ତ୍ରୀ ମୋଦୀ କଂଗ୍ରେସକୁ ଟାର୍ଗେଟ କରିଥିଲେ। ସେ କହିଥିଲେ ଯେ, କଂଗ୍ରେସ ଲୋକଙ୍କ କଷ୍ଟ ଉପାର୍ଜିତ ଟଙ୍କା ଏବଂ ସମ୍ପତ୍ତି ଅନୁପ୍ରବେଶକାରୀଙ୍କୁ ହସ୍ତାନ୍ତର କରିବ। କଂଗ୍ରେସର ଚିନ୍ତାଧାରା ସହରୀ ନକ୍ସଲଙ୍କ ଭଳି। ମୋର ମା ଓ ଭଉଣୀମାନେ, ସେମାନେ ତୁମର ମଙ୍ଗଲସୁତ୍ର ମଧ୍ୟ ଛାଡିବେ ନାହିଁ, ସେମାନେ ସେପର୍ଯ୍ୟନ୍ତ ଯିବେ।
କଂଗ୍ରେସ ନେତା ଜୟରାମ ରମେଶ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଦାବିକୁ ଖଣ୍ଡନ କରି କହିଛନ୍ତି ଯେ, ଏହା ସମ୍ପୂର୍ଣ୍ଣ ଭୁଲ ଏବଂ ଭିତ୍ତିହୀନ। ଦଳ ଏହାର ନିର୍ବାଚନୀ ଇସ୍ତାହାରରେ ଅର୍ଥନୈତିକ ଅସମାନତା ବିଷୟରେ କହିଥିଲା। ପ୍ରଧାନମନ୍ତ୍ରୀ ମିଥ୍ୟା ପ୍ରଚାର ପ୍ରସାର କରୁଛନ୍ତି। ଏହାପୂର୍ବରୁ କଂଗ୍ରେସ ନିର୍ବାଚନ ଆୟୋଗରେ ବିଜେପି ବିରୋଧରେ ଅଭିଯୋଗ କରିଥିଲା ଏବଂ ଘୋଷଣା ପତ୍ରକୁ ନେଇ ମିଥ୍ୟା ପ୍ରଚାର କରୁଥିବା ଅଭିଯୋଗ କରିଥିଲା।



