ବଂଶବାଦ ରାଜନୀତିକୁ ସମାଲୋଚନା କରୁଥିବା ମାୟାବତୀ ଆଜି ଏକ ବଡ ଘୋଷଣା କରିଛନ୍ତି । ବହୁଜନ ସମାଜ ପାର୍ଟି ଅଧ୍ୟକ୍ଷା ମାୟାବତୀ ରବିବାର ଦିନ ଏକ ବୈଠକରେ ନିଜ ଭାଇ ଆନନ୍ଦ କୁମାରଙ୍କୁ ବିଏସପିର ରାଷ୍ଟ୍ରୀୟ ଉପାଧ୍ୟକ୍ଷ ଏବଂ ପୁତୁରା ଆକାଶ ଆନନ୍ଦଙ୍କୁ ରାଷ୍ଟ୍ରୀୟ ସଂଯୋଜକ ପଦରେ ନିଯୁକ୍ତ କରିଥିବା ଘୋଷଣା କରିଛନ୍ତି। ମାୟାବତୀଙ୍କ ଏଭଳି ପଦକ୍ଷେପ ଦଳୀୟ ମହଲରେ ବେଶ୍ ଚର୍ଚ୍ଚାର ବିଷୟ ହୋଇଛି। ଲୋକସଭା ନିର୍ବାଚନ ପରେ ରବିବାର ବିଏସପିର ବରିଷ୍ଠ ନେତା ଓ ଦଳୀୟ ପଦାଧିକାରୀଙ୍କ ସହ ମାୟାବତୀ ଲକ୍ଷ୍ନୌଠାରେ ପ୍ରଥମ ବୈଠକ କରିଛନ୍ତି। ଏହି ବୈଠକରେ ଦାନିଶ୍ ଅଲୀଙ୍କୁ ଲୋକସଭାରେ ବସପା ନେତା ଭାବେ ଚୟନ କରାଯାଇଛି । ଏହି ବୈଠକରେ ଉତ୍ତରପ୍ରଦେଶର ଉପନିର୍ବାଚନ ହେବାକୁ ଥିବା ୧୧ଟି ଆସନକୁ ନେଇ ଚର୍ଚ୍ଚା ମଧ୍ୟ କରାଯାଇଛି । ବୈଠକରେ ବିଭିନ୍ନ ରାଜ୍ୟରେ ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନ ପାଇଁ ଦଳୀୟ ପଦାଧିକାରୀଙ୍କୁ ମାର୍ଗଦର୍ଶନ ଦେଇଛନ୍ତି ।
Tags: