ପାଟଣାଗଡ଼ ବିଧାୟକ ସରୋଜ ମେହେର ଗିରଫ

Published: Jun 24, 2019, 12:33 pm IST

ଶେଷରେ ଗିରଫ ହେଲେ ପାଟଣାଗଡ଼ ବିଜେଡି ବିଧାୟକ ସରୋଜ ମେହେର । ପୂର୍ତ୍ତବିଭାଗ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ଉଠ୍‌ବସ୍ କରିବା ଘଟଣାରେ ତାଙ୍କୁ ପାଟଣାଗଡ଼ ପୁଲିସ୍ ଗିରଫ କରିଛି। ଗିରଫ କରାଯିବା ପରେ ତାଙ୍କୁ ଏଡିଜେଙ୍କ କୋର୍ଟରେ ହାଜର କରାଯିବ ବୋଲି ସୂଚନା ରହିଛି  । ପୋଲିସ ଆଜି ବିଧାୟକ ସରୋଜ ମେହେରଙ୍କୁ ପାଟଣାଗଡ଼ ଥାନାରେ ଅଟକ ରଖିଥିଲା ।  ବେଲପଡ଼ା ବ୍ଲକ୍ ଗମ୍ଭାରୀ ଗାଁରେ ଏକ ରାସ୍ତାକାମ ଚାଲିଥିବା ବେଳେ ଏହା ଅତ୍ୟନ୍ତ ନିମ୍ନମାନର ହେଉଥିବା ନେଇ ଅଭିଯୋଗ ହୋଇଥିଲା। ଏ ଅଭିଯୋଗ ପାଇବା ପରେ ଜୁନ୍ ୫ ତାରିଖରେ ବିଧାୟକ ସରୋଜ ମେହେର ଉକ୍ତ ନିର୍ମାଣାଧୀନ ପିଚୁ ରାସ୍ତାର କାର୍ଯ୍ୟ ତଦାରଖ କରିବାକୁ ଯାଇଥିଲେ। ରାସ୍ତାକାମ ତଦାରଖ କରିବା ପରେ ବିଧାୟକ ସଙ୍ଗେ ସଙ୍ଗେ ଆକ୍ସନ୍ ମୋଡ୍‌କୁ ଚାଲି ଯାଇଥିଲେ। ସର୍ବସମ୍ମୁଖରେ ସେ କନିଷ୍ଠ ଯନ୍ତ୍ରୀ ଜୟକାନ୍ତ ଶବରଙ୍କୁ ୫ ମିନିଟ୍‌ ମଧ୍ୟରେ ଶହେ ଥର ଉଠ୍‌ବସ୍‌ ହେବାକୁ ନିର୍ଦ୍ଦେଶ ଦେଇଥିଲେ। ଉଠ୍‌ବସ୍‌ ନ ହେଲେ ଲୋକେ ମାଡ଼ମାରିବେ ବୋଲି ସେ କହୁଥିବା ଭିଡିଓରେ ଶୁଣିବାକୁ ମିଳିଥିଲା। ଏ ଘଟଣା ନେଇ ଜେଇ ଜୟକାନ୍ତ ଶବରଙ୍କ ପତ୍ନୀ ପାଟଣାଗଡ଼ ଥାନାରେ ଏତଲା ଦେଇଥିଲେ। ତାଙ୍କ ଅଭିଯୋଗ ଆଧାରରେ ପୁଲିସ୍ ଆଇପିସି ଓ ଏସ୍‌ସି ଏବଂ ଏସ୍‌ଟି ଆକ୍ଟରେ ବିଧାୟକଙ୍କ ନାଁରେ ମାମଲା ରୁଜୁ କରିଥିଲା।

Related posts