ଟି -୨୦ ବିଶ୍ୱକପ: ଚାମ୍ପିୟନ ଦଳକୁ ମିଳିବ କେତେ କୋଟି, ଉପ-ବିଜେତା ଦଳ ମଧ୍ୟ ହେବ ମାଲାମାଲ

Published: May 31, 2024, 4:05 pm IST

ନୂଆଦିଲ୍ଲୀ: ୨୦୨୪ ଟି -୨୦ ବିଶ୍ୱକପ ବିଷୟରେ ଆଲୋଚନା ଜୋରସୋରରେ ଚାଲିଛି। ଏହି ଟୁର୍ଣ୍ଣାମେଣ୍ଟ ଜୁନ୍ ୧ ତାରିଖରୁ ଆରମ୍ଭ ହେଉଛି। ଏଥର ଟି -୨୦ ବିଶ୍ୱକପ ଆମେରିକା ଏବଂ ୱେଷ୍ଟଇଣ୍ଡିଜ ଦ୍ୱାରା ଆୟୋଜିତ ହେବ। ଆମେରିକାର ନ୍ୟୁୟର୍କରେ ପହଞ୍ଚିବା ପରେ ଟିମ୍ ଇଣ୍ଡିଆ ଅଭ୍ୟାସ ଆରମ୍ଭ କରିଛି। ସମ୍ପ୍ରତି ୨୦୨୪ ଆଇପିଏଲ୍ ଶେଷ ହୋଇଛି, ଯେଉଁଥିରେ ଟାଇଟଲ୍ ବିଜେତା କେକେଆର୍ ଏବଂ ରନର୍ ଅପ୍ ହାଇଦ୍ରାବାଦ କୋଟି କୋଟି ଟଙ୍କାର ପୁରସ୍କାର ରାଶି ପାଇଛନ୍ତି। ତେବେ ୨୦୨୪ ଟି-୨୦ ବିଶ୍ୱକପ୍ ଟାଇଟଲ୍ ଜିତୁଥିବା ଏବଂ ରନର୍ ଅପ୍ ଦଳ କେତେ ପୁରସ୍କାର ରାଶି ପାଇବେ? ଆସନ୍ତୁ ଜାଣିବା….

୨୦୨୪ ଟି-୨୦ ବିଶ୍ୱକପ୍ ପୁରସ୍କାର ରାଶି:

ତେବେ ୨୦୨୪ ବିଶ୍ୱକପ ପାଇଁ ପୁରସ୍କାର ରାଶି ଏପର୍ଯ୍ୟନ୍ତ ସରକାରୀ ଭାବେ ଘୋଷଣା କରାଯାଇ ନାହିଁ। କିନ୍ତୁ ଯଦି ସମାନ ପୁରସ୍କାର ରାଶି ପୂର୍ବ ଅର୍ଥାତ୍ ୨୦୨୨ ଟି -୨୦ ବିଶ୍ୱକପ୍ ପରି ଦିଆଯାଏ, ତେବେ ଆସନ୍ତୁ ଜାଣିବା କେଉଁ ଦଳ କେତେ ପରିମାଣର ପୁରଷ୍କାର ରାଶି ପାଇବେ।

ଆଇସିସି ୨୦୨୨ ଟି -୨୦ ବିଶ୍ୱକପ ପାଇଁ ମୋଟ ପୁରସ୍କାର ରାଶି ୫.୬ ମିଲିୟନ ଡ଼ଲାର ରଖିଥିଲା, ଯାହାକି ଭାରତୀୟ ଟଙ୍କାରେ ଏହା ୪୬.୬ କୋଟି ଟଙ୍କା। ଯଦିଓ ଗତ ସଂସ୍କରଣରେ ୧୬ ଟି ଦଳ ଅଂଶଗ୍ରହଣ କରିଥିଲେ, ଏଥର କିନ୍ତୁ ସମୁଦାୟ ୨୦ ଟି ଦଳ ଅଂଶଗ୍ରହଣ କରୁଛନ୍ତି। ୨୦୨୨ ମସିହାରେ ଟାଇଟଲ ଜିତିଥିବା ଇଂଲଣ୍ଡକୁ ପ୍ରାୟ ୧୩ କୋଟି ଟଙ୍କା ମିଳିଥିବାବେଳେ ରନର୍ସଅପ୍ ପାକିସ୍ତାନକୁ ୬.୪୪ କୋଟି ଟଙ୍କା ଦିଆଯାଇଥିଲା।

ବିଜେତା ଏବଂ ରନର୍ସ ଅପ୍ ବ୍ୟତୀତ ଟପ୍ -୪ ରେ ପହଞ୍ଚିଥିବା ଦଳକୁ କୋଟି କୋଟି ଟଙ୍କା ମଧ୍ୟ ଦିଆଯାଇଥିଲା, ଯେଉଁଥିରେ ଭାରତ ଏବଂ ନ୍ୟୁଜିଲ୍ୟାଣ୍ଡ ମଧ୍ୟ ସାମିଲ ହୋଇଥିଲେ। ଉଭୟ ଦଳ ୩.୨୫ କୋଟି ଟଙ୍କା ପାଇଥିଲେ। ଏହା ବ୍ୟତୀତ ସୁପର ୧୨ ଏବଂ ସୁପର ୮ ରେ ପହଞ୍ଚିଥିବା ଦଳଗୁଡିକ ମଧ୍ୟ ପୁରସ୍କାର ରାଶି ପାଇଥିଲେ।

ପାକିସ୍ତାନକୁ ପରାସ୍ତ କରି ଇଂଲଣ୍ଡ ଟାଇଟଲ ଜିତିଥିଲା, ସେମିଫାଇନାଲରେ ଟିମ୍ ଇଣ୍ଡିଆ ହାରି ଯାଇଥିଲା।

Related posts