ଆଜିଠୁ ବିଧାନସଭାର ବଜେଟ୍‌ ଅଧିବେଶନ୍‌, ପ୍ରଥମ ଥର ପାଇଁ ବିଜେପି ମୁଖ୍ୟ ବିରୋଧୀ ଦଳ ଭୂମିକାରେ

Published: Jun 25, 2019, 9:45 am IST

ଆଜିଠୁ ବିଧାନସଭାର ବଜେଟ୍ ଅଧିବେଶନ ଆରମ୍ଭ ହେଉଛି। ରାଜ୍ୟପାଳଙ୍କ ଅଭିଭାଷଣରୁ ବିଧାନସଭା କାର୍ଯ୍ୟ ଆରମ୍ଭ ହେବ। ଅଧିବେଶନର ପ୍ରଥମ ପର୍ଯ୍ୟା଼ୟ ଜୁଲାଇ ୨ ତାରିଖ ପର୍ଯ୍ୟନ୍ତ ଚାଲିବାକୁ ଥିବାବେଳେ ଦ୍ୱିତୀୟ ପର୍ଯ୍ୟାୟ ଜୁଲାଇ ୧୨ରୁ ଅଗଷ୍ଟ ୮ ତାରିଖ ପର୍ଯ୍ୟନ୍ତ ଚାଲିବ। ଜୁନ୍ ୨୮ ତାରିଖରେ ପୂର୍ଣ୍ଣାଙ୍ଗ ବଜେଟ୍ ଉପସ୍ଥାପନ ହେବ। ଷୋଡଶ ବିଧାନସଭାର ପ୍ରଥମ ଅଧିବେଶନ ଆରମ୍ଭ ହେବାକୁ ରହିଥିବାବେଳେ ବିରୋଧୀଙ୍କ ପାଇଁ ସରକାରଙ୍କୁ ଟାର୍ଗେଟ୍ କରିବା ପାଇଁ ବେଶ୍‌ କିଛି ରହିଛି। ପ୍ରଥମ ଥର ପାଇଁ ବିଜେପି ବିରୋଧୀ ଦଳ ଭୂମିକା ନିର୍ବାହ କରିବାକୁ ଯାଉଛି। ବିଜେପି ପାଖରେ ବାତ୍ୟା ପରବର୍ତ୍ତୀ ଥଇଥାନରେ ସରକାରଙ୍କ ବିଫଳତା, ବିପର୍ଯ୍ୟସ୍ତ ଆଇନ ଶୃଙ୍ଖଳା ସ୍ଥିତି, ଅଭାବୀ ଧାନ ବିକ୍ରି, ବିଧାୟକ ସରୋଜ ମେହେରଙ୍କ ଆଚରଣ ଭଳି ବିଭିନ୍ନ ପ୍ରସଙ୍ଗ ରହିଛି।   ଅନ୍ୟପକ୍ଷରେ ଅଶ୍ୱିନୀ ବୈଷ୍ଣବଙ୍କୁ ରାଜ୍ୟସଭା ପ୍ରାର୍ଥୀ କରିବା ନେଇ ବିଜେଡି-ବିଜେପିର ଭିତିରି ସର୍ମ୍ପକକୁ ନେଇ ମୁଖ୍ୟ ପ୍ରସଙ୍ଗ କରିବାକୁ ଯାଉଛି କଂଗ୍ରେସ। ତା’ସହ ବେକାରୀ ସମସ୍ୟା, ଆଇନଶୃଙ୍ଖଳା ପରିସ୍ଥିତି, ଫୋନି ପୁନରୁଦ୍ଧାରରେ ବିଫଳତା, ଚାଷୀ ସମସ୍ୟା, ଶିକ୍ଷା ଓ ସ୍ୱାସ୍ଥ୍ୟ ସେବାରେ ସମସ୍ୟା ବିଷୟ ବି କଂଗ୍ରେସ ଉଠାଇବ। ଭବାନୀପାଟଣା ବିଜେପି ବିଧାୟକ ପ୍ରଦୀପ୍ତ ନାୟକ ବିଧାନସଭାରେ ବିରୋଧି ଦଳ ନେତା ହୋଇଛନ୍ତି ସେହିପରି କଂଗ୍ରେସ ବିଧାୟକ ଦଳର ନେତା ଭାବେ ନରସିଂହ ମିଶ୍ରଙ୍କୁ ମନୋନୀତ କରାଯାଇଛି।

Related posts