ଦେଖନ୍ତୁ ଆଗକୁ କ’ଣ ହେଉଛି….?: ସୁରେଶ ଗୋପୀଙ୍କ ଇସ୍ତଫା ଚର୍ଚ୍ଚାକୁ ନେଇ ସୁପ୍ରିୟା ଶ୍ରୀନେତଙ୍କ ବିବୃତ୍ତି

Published: Jun 10, 2024, 2:27 pm IST

ନୂଆଦିଲ୍ଲୀ: କେରଳର ଏକମାତ୍ର ବିଜେପି ସାଂସଦ ସୁରେଶ ଗୋପୀଙ୍କ ଇସ୍ତଫା ବିବୃତ୍ତି ପରେ କଂଗ୍ରେସ ନେତା ସୁପ୍ରିୟା ଶ୍ରୀନେତଙ୍କ ବିବୃତ୍ତି ସାମ୍ନାକୁ ଆସିଛି। ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଏହା ଦେଶର ଗଣତନ୍ତ୍ରର ଉପହାସ। ଜନସାଧାରଣ ନିଶ୍ଚିତ ଭାବରେ ପ୍ରତିକ୍ରିୟା କରିବେ। ମନ୍ତ୍ରୀ ପଦ ଓ ବିଭାଗ ବିଷୟରେ ସୁପ୍ରିୟା ଶ୍ରୀନେତ କହିଛନ୍ତି ଯେ, ଆଗକୁ ଦେଖନ୍ତୁ କଣ ହେଉଛି।

ଗତକାଲି ରାଷ୍ଟ୍ରପତି ଭବନ ସମାରୋହରେ କେରଳ ବିଜେପି ସାଂସଦ ସୁରେଶ ଗୋପୀ ମନ୍ତ୍ରୀ ଭାବେ ଶପଥ ଗ୍ରହଣ କରିଥିଲେ। ତେବେ ଶପଥ ଗ୍ରହଣ କରିବା ପରେ ସେ ଏକ ବିବୃତ୍ତି ଦେଇଥିଲେ ଯେ, ସେ କ୍ୟାବିନେଟର ଅଂଶ ହେବାକୁ ଚାହୁଁନାହାଁନ୍ତି କିନ୍ତୁ ସାଂସଦ ଭାବରେ କାର୍ଯ୍ୟ କରିବାକୁ ଚାହୁଁଛନ୍ତି। ସେ କହିଛନ୍ତି ଯେ, ମନ୍ତ୍ରୀ ପଦ ପାଇଁ ତାଙ୍କର କୌଣସି ଇଚ୍ଛା ନାହିଁ।

ଏହା ପରେ ଆଜି ସେ ଏହା ମଧ୍ୟ କହିଛନ୍ତି ଯେ, ଏପର୍ଯ୍ୟନ୍ତ ତାଙ୍କ ଦ୍ୱାରା କୌଣସି ନିଷ୍ପତ୍ତି ନିଆଯାଇ ନାହିଁ। ଦୁଇ ଦିନ ପରେ ସେ ଗଣମାଧ୍ୟମ ସହ କଥା ହେବେ ବୋଲି ସେ, କହିଛନ୍ତି। ପ୍ରକାଶ ଯୋଗ୍ୟ ଯେ, ସୁରେଶ ଗୋପୀ ହେଉଛନ୍ତି ପ୍ରଥମ ଲୋକସଭା ସାଂସଦ ଯିଏକି କେରଳରେ ବିଜେପିରୁ ଜିତିଛନ୍ତି। ସେ କେରଳର ଥ୍ରୀସୁର ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରି ସିପିଆଇ ପ୍ରାର୍ଥୀଙ୍କୁ ୭୫ ହଜାର ଭୋଟରେ ପରାସ୍ତ କରିଥିଲେ।

Related posts