ସାଉଦି ଆରବରୁ ଭାରତ ଫେରିଲେ ୯ ଓଡିଆ ଶ୍ରମିକ

Published: Jun 26, 2019, 10:49 am IST

ଭାରତ ଫେରିଲେ ସାଉଦି ଆରବରେ ଫସିଥିବା ଓଡିଆ ଶ୍ରମିକ। ସାଉଦି ଆରବରେ ଫସିଥିବା ୯ଜଣ ଓଡିଆ ଶ୍ରମିକ ଦିଲ୍ଲୀରେ ପହଞ୍ଚିଛନ୍ତି। ଭାରତର ବୈଦେଶିକ ମନ୍ତ୍ରାଳୟର ସହଯୋଗରେ ଭାରତ ଫେରିଛନ୍ତି ଏହି ସବୁ ଶ୍ରମିକ। ପୁଣିଥରେ ଭାରତୀୟ କୂଟନୈତିକ ନୀତି ଏବଂ ବୈଦେଶିକ ମନ୍ତ୍ରାଳୟର କାର୍ଯ୍ୟ ସମସ୍ତଙ୍କୁ ଆକର୍ଷିତ କରିଛି। ମୋଦି ସରକାର ଆସିବା ପରଠାରୁ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ନିଜ କାମ ପାଇଁ ଅନେକ ପ୍ରଶଂସା ସାଉଁଟିଛି। ବିଦେଶରେ ଫସି ରହିଥିବା ଅନେକ ଭାରତୀୟକୁ ଆଣିବାରେ ସଫଳ ହୋଇଛି ବୈଦେଶିକ ମନ୍ତ୍ରାଳୟ। ଏବେ ପୁଣି ଥିରେ ଭାରତୀୟ ବୈଦେଶିକ ମନ୍ତ୍ରାଳୟ ୯ଜଣ ଓଡିଆଙ୍କୁ ଭାରତ ଫେରାଇ ଆଣିବାରେ ସଫଳ ହୋଇଛି। ସୂଚନାଯୋଗ୍ୟ ଯେ ସାଉଦି ଆରବରେ ୯ ଜଣ ଓଡିଆ ଫସି ରହିଥିଲେ। ସାଉଦି ଆରବରେ ଏହି ଶ୍ରମିକ ମାନଙ୍କୁ ନିର୍ଯ୍ୟାତନା ଦିଆଯାଉଥିବା ଏମାନେ ଅଭିଯୋଗ କରିଥିଲେ। ଏହାପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ପ୍ରଥମେ ଦୃଷ୍ଟି ଆକର୍ଷଣ କରିଥିଲେ। ଏହା ପରେ ବୈଦେଶିକ ମନ୍ତ୍ରାଳୟ ସେମାନଙ୍କୁ ଆଣିବା ପାଇଁ କାମ ଆରମ୍ଭ କରିଥିଲା। ଆଜି ସମସ୍ତ ୯ଜଣ ଯାକ ଓଡିଆ ଶ୍ରମିକ ଦିଲ୍ଲୀରେ ପହଞ୍ଚିଛନ୍ତି। ସମସ୍ତ ଶ୍ରମିକ ନୟାଗଡ,ଖୋର୍ଦ୍ଧା ଓ ଗଞ୍ଜାମ ଜିଲ୍ଲାର ହୋଇଥିବା ସୂଚନା ମିଳିଛି।

Related posts