ନୂଆଦିଲ୍ଲୀ: ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା ଆଜି ଦିଲ୍ଲୀରେ ପ୍ରଧାନମନ୍ତ୍ରୀଙ୍କ ବାସଭବନରେ ପହଞ୍ଚିଛନ୍ତି। ଏଠାରେ ସେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭେଟିଛନ୍ତି। ଉଭୟଙ୍କ ମଧ୍ୟରେ ହୋଇଥିବା ବୈଠକର ପ୍ରସଙ୍ଗ କ’ଣ, ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ କିନ୍ତୁ ରାଜସ୍ଥାନର ବିଜେପି ସଂଗଠନରେ ବଡ଼ ଧରଣର ପରିବର୍ତ୍ତନ ଦେଖାଦେଇପାରେ ବୋଲି ବିଶ୍ୱାସ କରାଯାଉଛି। ଏହି ବୈଠକ ମଧ୍ୟ ଏହା ସହିତ ଜଡିତ ହୋଇପାରେ। ପ୍ରକାଶ ଯୋଗ୍ୟ ଯେ, ଗତ ସପ୍ତାହରେ ମୁଖ୍ୟମନ୍ତ୍ରୀ ଭଜନଲାଲ ଶର୍ମା କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହାଙ୍କୁ ଭେଟିଥିଲେ।
ସୂଚନାଯୋଗ୍ୟ ଯେ, ରାଜସ୍ଥାନ ବିଧାନସଭା ନିର୍ବାଚନରେ ବିଜେପି ଏକ ବଡ଼ ବିଜୟ ହାସଲ କରିଥିଲା। କଂଗ୍ରେସକୁ କ୍ଷମତାରୁ ହଟାଇ ବିଜେପି ବହୁ ସଂଖ୍ୟାରେ ଭୋଟ୍ ନେଇ ସରକାର ଗଠନ କରିଥିଲା। ମାତ୍ର ୬ ମାସ ପରେ ଲୋକସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା ଏବଂ ବିଜେପିକୁ ଅନେକ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ମୋଟ ୨୫ ଟି ଲୋକସଭା ଆସନ ମଧ୍ୟରୁ ୨୪ ଟି ଜିତିଥିବା ବିଜେପି ଏଥର ମାତ୍ର ୧୪ ଟି ଆସନରେ ସୀମିତ ଥିଲା। ଏଥି ସହିତ କଂଗ୍ରେସର ପ୍ରଦର୍ଶନ ଉତ୍କୃଷ୍ଟ ଥିଲା।
ବିଧାନସଭାରେ ବିଜୟ ପରେ ଲୋକସଭା ନିର୍ବାଚନରେ ବିଜେପିର ଖରାପ ପ୍ରଦର୍ଶନକୁ ନେଇ ଅନେକ କଳ୍ପନାଜଳ୍ପନା ଚାଲିଥିଲା। ପରାଜୟର ଆକଳନ କରି ବିଜେପି ନେତୃତ୍ୱ ଅନେକ ମନ୍ଥନ କରିଥିଲେ। ଏହାର ଏକ କାରଣ ମଧ୍ୟ ସାମ୍ନାକୁ ଆସିଛି ଯେ ବୋଧହୁଏ ରାଜସ୍ଥାନର ଲୋକମାନେ ବିଜେପି ରାଜ୍ୟ ସରକାରଙ୍କ ଉପରେ ଅସନ୍ତୁଷ୍ଟ ଅଛନ୍ତି, ଯାହାର ଫଳାଫଳ ଲୋକସଭା ନିର୍ବାଚନରେ ଦେଖିବାକୁ ମିଳିଥିଲା। ଏଥି ସହିତ ବର୍ତ୍ତମାନ କଳ୍ପନାଜଳ୍ପନା ଚାଲିଛି ଯେ ଏଭଳି ପରିସ୍ଥିତିରେ ବିଜେପିର ସଂଗଠନ ତଥା ରାଜ୍ୟର ନେତୃତ୍ୱରେ ପରିବର୍ତ୍ତନ ହୋଇପାରେ।
ସୂଚନାଯୋଗ୍ୟ ଯେ, ମୁଖ୍ୟମନ୍ତ୍ରୀ ଭଜନ ଲାଲ ଶର୍ମା କେନ୍ଦ୍ର ମନ୍ତ୍ରୀ ଅମିତ ଶାହାଙ୍କୁ ଭେଟି ରାଜସ୍ଥାନରେ ହାରିଥିବା ଆସନଗୁଡ଼ିକର ସବିଶେଷ ତଥ୍ୟ ଦାଖଲ କରିଥିଲେ। ଏହା ସହ ରାଜସ୍ଥାନରେ ବିଜେପିର ରାଜ୍ୟ ସଭାପତିଙ୍କ ପରିବର୍ତ୍ତନକୁ ନେଇ କଳ୍ପନାଜଳ୍ପନା ଆରମ୍ଭ ହୋଇଥିଲା।