ଜାପାନର ଓସାକାଠାରେ ଅନୁଷ୍ଠିତ ହେବାକୁ ଥିବା ଜି-୨୦ ଶିଖର ସମ୍ମିଳନୀରେ ଯୋଗଦେବା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଗୁରୁବାର ଜାପାନରେ ପହଞ୍ଚିଛନ୍ତି। ଆସନ୍ତା କାଲିଠାରୁ ଆରମ୍ଭ ହେବାକୁ ଥିବା ଏହି ଦୁଇ ଦିନିଆ ସମ୍ମିଳନୀରେ ମୋଦି ଷଷ୍ଠ ଥର ପାଇଁ ଯୋଗଦେବେ। ଏହାବ୍ୟତୀତ ଏହି ଅବସରରେ ସେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଫ୍ରାନ୍ସ ରାଷ୍ଟ୍ରପତି ଇମାନୁଏଲ ମାକ୍ରନ ଏବଂ ଜାପାନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କୁ ଭେଟି ଦ୍ବିପାକ୍ଷିକ ଆଲୋଚନା କରିବେ। ଜାପାନ ଗସ୍ତ ପୂର୍ବରୁ ମୋଦି ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ, ମହିଳା ସଶକ୍ତୀକରଣ, ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ପରିବେଶ ପ୍ରଦୂଷଣ ଏବଂ ଆତଙ୍କବାଦ ଭଳି ସମସ୍ୟା ପ୍ରସଙ୍ଗରେ ଆଲୋଚନା ହେବ। ଏହି ସମୟରେ ବିଭିନ୍ନ ଦେଶର ପ୍ରତିନିଧିମାନେ ଉପସ୍ଥିତ ରହିବେ। ସମ୍ମିଳନୀ ପରେ ମୋଦି ରୁଷ-ଭାରତ-ଚାଇନା(ଆରଆଇସି) ଏବଂ ଜାପାନ-ଆମେରିକା-ଭାରତ(ଜେଏଆଇ) ମଧ୍ୟରେ ହେବାକୁ ଥିବା ତ୍ରିପାକ୍ଷିକ ଆଲୋଚନାରେ ଭାଗନେବେ। ଏହାବ୍ୟତୀତ ୧୦ଟି ଦ୍ବିପାକ୍ଷିକ ବୈଠକରେ ଯୋଗଦେବାର କାର୍ଯ୍ୟକ୍ରମ ରହିଛି।