ନୂଆଦିଲ୍ଲୀ: କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋ (ସିବିଆଇ) ଶୁକ୍ରବାର ଦିନ ହରିୟାଣାର ସରକାରୀ ବିଦ୍ୟାଳୟରେ ମିଳିଥିବା ଚାରି ଲକ୍ଷ ନକଲି ଛାତ୍ରଙ୍କ ସଂପର୍କରେ ଏକ ଏଫଆଇଆର ପଞ୍ଜିକରଣ କରିଛି। ଅଧିକାରୀମାନେ ଏହି ସୂଚନା ପ୍ରଦାନ କରିଛନ୍ତି।
ଅଧିକାରୀ କହିଛନ୍ତି ଯେ, ନଭେମ୍ବର ୨ ତାରିଖ ୨୦୧୯ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟ ଦେଇଥିବା ନିର୍ଦ୍ଦେଶ ପରେ ଏହି ମାମଲାର ତଦନ୍ତ ସିବିଆଇକୁ ହସ୍ତାନ୍ତର କରାଯାଇଛି। ସିବିଆଇ ସୁପ୍ରିମକୋର୍ଟରେ ଏକ ପିଟିସନ ଦାଖଲ କରିଥିଲା ଯେ, ଏହି ମାମଲାର ଯାଞ୍ଚ ପାଇଁ ବହୁ ସଂଖ୍ୟକ ଲୋକ ଆବଶ୍ୟକ କରିବେ ଏବଂ ଯାଞ୍ଚ କାର୍ଯ୍ୟ ରାଜ୍ୟ ପୋଲିସକୁ ହସ୍ତାନ୍ତର କରାଯାଉ।
ନିକଟରେ ସିବିଆଇର ଏହି ଆବେଦନକୁ ସୁପ୍ରିମକୋର୍ଟ ପ୍ରତ୍ୟାଖ୍ୟାନ କରିଥିଲେ, ପରେ ଅନୁସନ୍ଧାନକାରୀ ସଂସ୍ଥା ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ କରିଥିଲା। ୨୦୧୬ ରେ ପଞ୍ଜାବ ଏବଂ ହରିୟାଣା ହାଇକୋର୍ଟଙ୍କୁ କୁହାଯାଇଥିଲା ଯେ, ତଥ୍ୟ ଯାଞ୍ଚରୁ ଜଣାପଡିଛି ଯେ ହରିୟାଣାର ବିଭିନ୍ନ ସରକାରୀ ବିଦ୍ୟାଳୟରେ ୨୨ ଲକ୍ଷ ଛାତ୍ରଛାତ୍ରୀ ଅଛନ୍ତି, କିନ୍ତୁ ବାସ୍ତବରେ କେବଳ ୧୮ ଲକ୍ଷ ଛାତ୍ରଛାତ୍ରୀଙ୍କୁ ମିଳିଥିଲେ। ଏବଂ ଚାରି ଲକ୍ଷ ଛାତ୍ରଛାତ୍ରୀ ନକଲି ବାହାରିଥିଲେ।
ଅଦାଲତଙ୍କୁ ଏହା ମଧ୍ୟ କୁହାଯାଇଛି ଯେ, ସମାଜର ପଛୁଆ କିମ୍ବା ଗରିବ ଶ୍ରେଣୀର ଛାତ୍ରଛାତ୍ରୀମାନଙ୍କୁ ସେମାନଙ୍କୁ ବିଦ୍ୟାଳୟକୁ ଯିବାକୁ ଏବଂ ମଧ୍ୟାହ୍ନ ଭୋଜନ ଯୋଜନା ଅଧୀନରେ ପ୍ରୋତ୍ସାହିତ କରିବା ପାଇଁ କିଛି ସୁବିଧା ଦିଆଯାଇଥିଲା। ଚାରି ଲକ୍ଷ ‘ଅସ୍ତିତ୍ଵହୀନ’ ଛାତ୍ରଛାତ୍ରୀଙ୍କ ଉପରେ ଅର୍ଥର ଅପବ୍ୟବହାର ଘଟଣାର ତଦନ୍ତ ପାଇଁ ବରିଷ୍ଠ ଅଧିକାରୀ ନିଯୁକ୍ତ କରିବାକୁ ହାଇକୋର୍ଟ ରାଜ୍ୟ ସତର୍କତା ବିଭାଗକୁ ନିର୍ଦ୍ଦେଶ ଦେଇଛନ୍ତି।
ଭିଜିଲାନ୍ସ ବ୍ୟୁରୋର ସୁପାରିଶ କ୍ରମେ ହରିୟାଣାରେ ଏହି ମାମଲାରେ ସାତଟି ଏଫ୍ଆଇଆର୍ ପଞ୍ଜିକୃତ ହୋଇଥିଲା। ୨୦୧୯ ମସିହାରେ ଏହି ମାମଲାର ଶୁଣାଣି ବେଳେ ହାଇକୋର୍ଟ କହିଛନ୍ତି ଯେ, ଏହି ମାମଲାରେ ଏଫ୍ଆଇଆର୍ ପଞ୍ଜୀକୃତ ହେବା ପରେ ମଧ୍ୟ ତଦନ୍ତ ଅତ୍ୟନ୍ତ ମନ୍ଥର ଅଟେ। ଏହା ପରେ ସେମାନେ ସଠିକ୍, ପୁଙ୍ଖାନୁପୁଙ୍ଖ ଏବଂ ତ୍ୱରିତ ତଦନ୍ତ ପାଇଁ କେନ୍ଦ୍ରୀୟ ଅନୁସନ୍ଧାନ ବ୍ୟୁରୋକୁ ଏହି ମାମଲା ହସ୍ତାନ୍ତର କରିଥିଲେ।
ନଭେମ୍ବର ୨ ତାରିଖ ୨୦୧୯ ତାରିଖର ଏକ ସପ୍ତାହ ମଧ୍ୟରେ ସମସ୍ତ ଡକ୍ୟୁମେଣ୍ଟ ହସ୍ତାନ୍ତର କରିବାକୁ ରାଜ୍ୟ ଭିଜିଲାନ୍ସ ବିଭାଗକୁ କୁହାଯାଇଛି ଏବଂ ତିନିମାସ ମଧ୍ୟରେ ରିପୋର୍ଟ ଦାଖଲ କରିବାକୁ ସିବିଆଇକୁ ନିର୍ଦ୍ଦେଶ ଦେଇଛି।