ପ୍ରିୟଙ୍କା ଚୋପ୍ରା, ଅଭିଷେକ ବଚ୍ଚନ ଓ ଜନ ଆବ୍ରାହମ୍ଙ୍କ ଅଭିନୀତ ସୁପରହିଟ୍ ଫିଲ୍ମ ‘ଦୋସ୍ତାନା’ ରିଲିଜ୍ ହେବାର ୧୧ ବର୍ଷ ପରେ ଏହାର ସିକ୍ବେଲ୍ ହେବା ନେଇ ସୂଚନା ମିଳିଛି । କରନ୍ ଜୋହର୍ ଇନ୍ଷ୍ଟାଗ୍ରାମ୍ରେ ପୋଷ୍ଟ କରି ଏ ସମ୍ବନ୍ଧୀୟ ସୂଚନା ଦେଇଛନ୍ତି । ଏହି ସିକ୍ବେଲରେ ଅଭିନେତା କାର୍ତ୍ତିକ୍ ଆର୍ଯ୍ୟନ୍ ଓ ଜାହ୍ନବୀ କପୁର୍ ନଜର ଆସିବେ । ତେବେ ଏହି ଫିଲ୍ମର ତୃତୀୟ ଚରିତ୍ରରେ ଅର୍ଥାତ୍ ତୃତୀୟ ଅଭିନେତାଙ୍କ ସମ୍ପର୍କରେ ସୂଚନା ମିଳିପାରିନାହିଁ । ତେବେ ମିଳିଥିବା ସୂଚନା ଅନୁସାରେ ଏହି ତୃତୀୟ ଅଭିନେତା ଜଣକ ଏହି ଫିଲ୍ମ ଜରିଆରେ ବଲିଉଡ୍ ଡେବ୍ୟୁ କରିବେ । ତରୁଣ ମନସୁଖାନୀଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମଟି ବକ୍ସ ଅଫିସ୍ରେ ବେଶ୍ ହିଟ୍ ସାବ୍ୟସ୍ତ ହୋଇଥିଲା । ତେବେ ସିକ୍ବେଲ୍ ଫିଲ୍ମର ନିର୍ଦ୍ଦେଶନା ଭାର ଗ୍ରହଣ କରିବେ କୋଲିନ୍ ଡି କୁହ୍ନା । କରନ୍ ଜୋହରଙ୍କ ପ୍ରଡକ୍ସନ୍ ହାଉସ୍ ଧର୍ମା ଫିଲ୍ମସ୍ ବ୍ୟାନ୍ରରେ ଏହି ଫିଲ୍ମଟି ପ୍ରସ୍ତୁତ ହେବ । ବହୁତ ଦିନ ହେବ ‘ଦୋସ୍ତାନା-୨‘କୁ ନେଇ ଚର୍ଚ୍ଚା ଲାଗି ରହିଥିଲା । କାର୍ତ୍ତିକ୍ ଏବେ ‘ଲଭ୍ ଆଜକଲ୍-୨’ର ଶୁଟିଂରେ ବ୍ୟସ୍ତ ଥିବାବେଳେ ଧଡକ ଗାର୍ଲ ଜାହ୍ନବୀ କପୁର୍ ’ରୁହୀ-ଅଫ୍ଜା’ ଓ ‘କାରଗିଲ୍ ଗାର୍ଲ’ ଶୁଟିରେ ବ୍ୟସ୍ତ ରହିଛନ୍ତି ।