ମୁଖ୍ୟମନ୍ତ୍ରୀ କେଜ୍ରିୱାଲଙ୍କୁ ବଡ ଆଶ୍ଵସ୍ତି, ଜାମିନ ପ୍ରଦାନ କଲେ ସୁପ୍ରିମକୋର୍ଟ

Published: Jul 12, 2024, 11:04 am IST

ନୂଆଦିଲ୍ଲୀ: ସୁପ୍ରିମକୋର୍ଟ ଆଜି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଗିରଫଦାରୀକୁ ଚ୍ୟାଲେଞ୍ଜ କରି ଏକ ବଡ ରାୟ ଦେଇଛନ୍ତି। ଏହି ଇଡି ମାମଲାରେ କେଜ୍ରିୱାଲଙ୍କୁ କୋର୍ଟ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି।

କେଜ୍ରିୱାଲଙ୍କ ଆବେଦନ ଉପରେ ସୁପ୍ରିମକୋର୍ଟ ମଇ ୧୭ ତାରିଖରେ ସଂରକ୍ଷିତ ରଖିଥିଲେ। ଏପ୍ରିଲ ୧୫ ତାରିଖରେ ଆମ୍ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ କେଜ୍ରିୱାଲଙ୍କ ଆବେଦନ ଉପରେ କୋର୍ଟ ଇଡି ପକ୍ଷରୁ ଜବାବ ମାଗିଥିଲେ। ପ୍ରକୃତରେ କେଜ୍ରିୱାଲ ସୁପ୍ରିମକୋର୍ଟରେ ଦିଲ୍ଲୀ ହାଇକୋର୍ଟଙ୍କ ନିଷ୍ପତ୍ତିକୁ ଚ୍ୟାଲେଞ୍ଜ କରିଥିଲେ।

ଦିଲ୍ଲୀ ହାଇକୋର୍ଟ କ’ଣ କହିଛନ୍ତି?:

ଅରବିନ୍ଦ କେଜ୍ରିୱାଲଙ୍କ ଗିରଫଦାରୀକୁ ସମର୍ଥନ କରୁଥିବା ବେଳେ ଦିଲ୍ଲୀ ହାଇକୋର୍ଟ କହିଛନ୍ତି ଯେ, ଏଥିରେ ଇଡି କୌଣସି ଭୁଲ କରିନାହିଁ। କେଜ୍ରିୱାଲ ସମନ ପଠାଇବା ପରେ ମଧ୍ୟ ବାରମ୍ବାର ହାଜର ହୋଇ ନ ଥିବାରୁ କେନ୍ଦ୍ରୀୟ ଅନୁସନ୍ଧାନ ଏଜେନ୍ସି ପାଖରେ କୌଣସି ବିକଳ୍ପ ନଥିଲା।

ଇଡି ପରେ ସିବିଆଇ ମଧ୍ୟ ଗିରଫ କରିଥିଲା:

ମାର୍ଚ୍ଚ ୨୧ ତାରିଖରେ ଦିଲ୍ଲୀ ଅବକାରୀ ନୀତି ସହ ଜଡିତ ଅର୍ଥ ହେରଫେର ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଇଡି ଗିରଫ କରିଥିଲା। କେଜ୍ରିୱାଲଙ୍କୁ ଜୁନ୍ ୨୦ ତାରିଖରେ ନିମ୍ନ ଅଦାଲତ ଜାମିନ ପ୍ରଦାନ କରିଥିଲେ ମଧ୍ୟ କେନ୍ଦ୍ରୀୟ ତଦନ୍ତ ଏଜେନ୍ସି ପୁଣିଥରେ ଦିଲ୍ଲୀ ହାଇକୋର୍ଟଙ୍କ ନିକଟକୁ ଯାଇଥିଲେ। ଇଡି ଯୁକ୍ତି କରିଥିଲା ଯେ, ନିମ୍ନ ଅଦାଲତରେ ଏହି ଆଦେଶ ଏକପାଖିଆ।

ଦିଲ୍ଲୀ ଏକ୍ସାଇଜ୍ ପଲିସି ସହ ଜଡିତ ଏକ ଦୁର୍ନୀତି ମାମଲାରେ ଅରବିନ୍ଦ କେଜ୍ରିୱାଲଙ୍କୁ ଜୁନ୍ ୨୬ ତାରିଖରେ ପୁଣି ଗିରଫ କରାଯାଇଥିଲା।

Related posts