ହସ୍ପିଟାଲରେ ପଶି ରୋଗୀକୁ ଗୁଳି ମାଡ଼: ଘଟଣାସ୍ଥଳରେ ଚାଲିଗଲା ଜୀବନ

Published: Jul 14, 2024, 6:36 pm IST

ନୂଆଦିଲ୍ଲୀ: ଆଜି ଦିଲ୍ଲୀର ଗୁରୁ ତେଗ ବାହାଦୁର ହସ୍ପିଟାଲରେ ଏକ ଅଭାବନୀୟ ଘଟଣା ଘଟିଛି। ଜିଟିବି ଡାକ୍ତରଖାନାରେ ପଶି ଜଣେ ଦୁର୍ବୃତ୍ତ ରୋଗୀଙ୍କୁ ଗୁଳି କରିଛି। ଏହି ରୋଗୀଜଣଙ୍କ ୩୨ ବର୍ଷିୟ ରିୟାଜୁଦ୍ଦିନ ବୋଲି ଜଣାପଡିଛି। କୁହାଯାଉଛି ଯେ, ରିୟାଜୁଦ୍ଦିନଙ୍କୁ ପ୍ରାୟ ୨୧ ଦିନ ହେଲା ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା।

ହସ୍ପିଟାଲ ପ୍ରଶାସନ ଦ୍ୱାରା ମିଳିଥିବା ସୂଚନା ଅନୁଯାୟୀ, ପେଟ ସଂକ୍ରମଣ ଅଭିଯୋଗ ହେତୁ ରିୟାଜୁଦ୍ଦିନଙ୍କୁ ଜୁନ୍ ୨୩ ତାରିଖରେ ଭର୍ତ୍ତି କରାଯାଇଥିଲା। ସେବେଠାରୁ ସେ ଏଠାରେ ଚିକିତ୍ସିତ ହେଉଥିଲେ। ଆଜି ଅପରାହ୍ନ ପ୍ରାୟ ୪ ଟାରେ ଜଣେ ବାଳକ ତାଙ୍କୁ ଭେଟିବାକୁ ଆସି ଗୁଳି ଚଳାଇଥିଲା। ରିଆଜୁଦ୍ଦିନଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଥିଲା।

ଅଭିଯୁକ୍ତଙ୍କ ବୟସ ପ୍ରାୟ ୧୮ ବର୍ଷ ହେବ ବୋଲି ଦିଲ୍ଲୀ ପୋଲିସ ସୂଚନା ଦେଇଛି।

ନିକଟ ଅତୀତରେ ଦେଶର ରାଜଧାନୀ ଦିଲ୍ଲୀରେ ଏଭଳି ଅନେକ ଘଟଣା ସାମ୍ନାକୁ ଆସିଛି। ଏହାପୂର୍ବରୁ ଜୁଲାଇ ୧୩ ତାରିଖରେ ରାଜଧାନୀର ଲାଜପତ ନଗରରେ ଆଖିବୁଜା ଗୁଳି ମାଡ଼ ହୋଇଥିଲା। ସୂଚନା ଅନୁଯାୟୀ, ଆକ୍ରମଣକାରୀମାନେ ଏଠାରେ ପ୍ରାୟ ୧୦-୧୨ ରାଉଣ୍ଡ ଗୁଳି ଚଳାଇଥିଲେ। ଏହି ଘଟଣାରେ ଜଣେ ବ୍ୟକ୍ତି ଆହତ ହୋଇଥିବା ସୂଚନା ମିଳିଛି।

Related posts