୧୭ଟି ଅତି ପଛୁଆ ବର୍ଗଙ୍କୁ ଅନୁସୂଚିତ ବର୍ଗରେ ସାମିଲ୍‌ କଲେ ଯୋଗୀ ସରକାର

Published: Jun 29, 2019, 2:30 pm IST

ଉତ୍ତରପ୍ରଦେଶରେ ଦଳିତଙ୍କ ସମାନ ପରି ସାମାଜିକ ସଂରଚନା ରଖୁଥିବା ୧୭ଟି ଅତି ପଛୁଆ ବର୍ଗଙ୍କୁ ଅନୁସୂଚିତ ଜାତିରେ ସାମିଲ୍‌ କରିବା ନେଇ ଦଶକ ଦଶକ ଧରି ଦାବି ରହିଥିଲା । ସମୟେ ସମୟେ ସରକାର ଏହା ଉପରେ କିଛି କରିବା ନେଇ ପ୍ରୟାସ କରୁଥିବାବେଳେ ମଉକା ଦେଖି ଯୋଗୀ ସରକାର ଏହି ପ୍ରୟାସକୁ ନିଜ ପକ୍ଷଭୁକ୍ତ କରିନେଇଛନ୍ତି ।  ଉତ୍ତରପ୍ରଦେଶର ଯୋଗୀ ଆଦିତ୍ୟନାଥ ସରକାର ରାଜ୍ୟର ୧୭ଟି ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରିଛନ୍ତି। ଏହି ବର୍ଗରେ ରହିଛନ୍ତି କହାର, କେବଟ, ମଲ୍ଲାହ, ନିଷାଦ, କୁମହାର, କଶ୍ୟପ, ବିନ୍ଦ, ପ୍ରଜାପତି, ଧୀବର, ଭର, ରାଜଭର, ଢୀମର, ଓ୍ବାଥମ୍‌, ତୁରହା, ମାଁଝୀ, ମଛୁଆ ଓ ଗୋଡ଼ିଆ ପ୍ରମୁଖ । ଏହାଦ୍ୱାରା ଏଣିକି ଏସବୁ ପଛୁଆ ବର୍ଗ ଏସ୍‌ସି ବର୍ଗଙ୍କ ପାଇଁ ଉଦ୍ଦିଷ୍ଟ ପ୍ରମାଣପତ୍ର ହାସଲ କରିପାରିବେ। ଏହାପୂର୍ବରୁ ମୁଲାୟମ୍‌ ସିଂ ଯାଦବ, ମାୟାବତୀ ଏବଂ ଅଖିଳେଶ ଯାଦବ ଏସବୁ ପଛୁଆ ବର୍ଗଙ୍କୁ ଏସ୍‌ସି ବର୍ଗରେ ସାମିଲ୍‌ କରାଇବା ପାଇଁ ଉଦ୍ୟମ କରିଥିଲେ। ତେବେ ସେମାନେ ଏଥିରେ ସଫଳ ହୋଇ ନ ଥିଲେ।

Related posts