ଆଜିଠାରୁ ଆରମ୍ଭ ହେଲା ଅମରନାଥ ଯାତ୍ରା

Published: Jun 30, 2019, 9:27 am IST

ବହୁ ପ୍ରତିକ୍ଷୀତ ଚଳିତ ବର୍ଷର ଅମରନାଥ ଯାତ୍ରା ରବିବାର ଠାରୁ ଆରମ୍ଭ ହୋଇଯାଇଛି। ଜମ୍ମୁ କଶ୍ମୀର ରାଜ୍ୟପାଳଙ୍କ ପରାମର୍ଶଦାତା କେକେ ଶର୍ମା ପ୍ରଥମ ବ୍ୟାଚର ଶ୍ରଦ୍ଧାଳୁଙ୍କର ଯାତ୍ରାକୁ ସବୁଜ ସଂକେତ ଦେଇଛନ୍ତି। ଅନ୍ୟ ବର୍ଷ ଭଳି ଚଳିତ ଥର ମଧ୍ୟ  ସୁରକ୍ଷା ବ୍ୟବସ୍ଥା କଡାକଡି କରାଯାଇଛି। ଏହି ପବିତ୍ର ପାହାଡିଆ ଯାତ୍ରା ପାଇଁ ବାଲଟାଲ ଓ ପହଳଗାମ ମାର୍ଗରେ ସୁରକ୍ଷା ବ୍ୟବସ୍ଥାକୁ ଅଧିକ ମଜବୁତ କରି ଦିଆଯାଇଛି। ଦକ୍ଷିଣ କଶ୍ମୀରର ହିମାଳୟ ପାହାଡରେ ୩୮୮୦ ମିଟର ଉଚ୍ଚସ୍ଥାନରେ ବରଫ ଶିବ ଲିଙ୍ଗକୁ ଶ୍ରଦ୍ଧାଳୁମାନେ ୪୦ ଦିନ ଯାଏଁ ଦର୍ଶନ କରିବେ। ସୁରକ୍ଷାବାହିନୀମାନେ ଯାତ୍ରା ରାସ୍ତାକୁ ସଫା କରିଛନ୍ତି। କେନ୍ଦ୍ର ସରକାର ଅମରନାଥ ଯାତ୍ରା ପାଇଁ ବହୁ ସ୍ତରୀୟ ସୁରକ୍ଷା ଲାଗି ସିଆରପିଏଫର ୪୦,୦୦୦ ଅତିରିକ୍ତ ସୁରକ୍ଷାକର୍ମୀ ମୁତୟନ କରିଛି। ଜମ୍ମୁ ଠାରୁ ଗୁମ୍ଫା ଯାଏଁ ପାଖାପାଖି ୬୦ ହଜାର ସୁରକ୍ଷାବଳ ମୁତୟନ ରହିବେ। ଜମ୍ମୁରୁ କଡ଼ା ସୁରକ୍ଷା ମଧ୍ୟରେ ଶ୍ରଦ୍ଧାଳୁଙ୍କୁ ରବିବାର ପଠାଯିବ ଏବଂ ଏବାବଦରେ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ପାଖାପାଖି ଦେଢ ଲକ୍ଷ୍ ଶ୍ରଦ୍ଧାଳୁ ଏହି ଯାତ୍ରା ପାଇଁ ନାମ ପଂଜିକରଣ କରିଛନ୍ତି। ଏହି ଯାତ୍ରା ଅନନ୍ତନାଗ ଜିଲ୍ଲାର ୩୬ କିଲୋମିଟର ଦୀର୍ଘ ପାରଂପରିକ ପହଲଗାମ ମାର୍ଗ ଓ ଗାନ୍ଦେରବଲ ଜିଲ୍ଲାର ୧୪ କିଲୋମିଟର ଦୀର୍ଘ ବାଲଟାଲ ମାର୍ଗରେ ହେବ। ଏହି ଯାତ୍ରା ଅଗଷ୍ଟ ୧୫ରେ ଶ୍ରାବଣ ପୂର୍ଣ୍ଣିମା ଅବସରରେ ଶେଷ ହେବ। 

Related posts