ଅଣସର ଘରୁ ବାହାରି ଶ୍ରଦ୍ଧାଳୁଙ୍କୁ ଆଜି ଦର୍ଶନ ଦେବେ ମହାପ୍ରଭୁ । ଦୀର୍ଘ ଦିନ ଧରି ମହାପ୍ରଭୁଙ୍କୁ ଦର୍ଶନରୁ ବଞ୍ଚିତ ଥିବା ଶ୍ରଦ୍ଧାଳୁମାନେ ଆଜି ନବଯୌବନ ବେଶ ଦର୍ଶନ କରିବାର ସୌଭାଗ୍ୟ ପାଇବେ । ଆଜି ଅପରାହ୍ନ 2.30 ରୁ 3.30 ଯାଏଁ ଭିତରକାଠ ପାଖରୁ ପରମାଣିକ ଦର୍ଶନ ଓ ଏହା ପରଠାରୁ 4.30 ପର୍ଯ୍ୟନ୍ତ ସର୍ବସାଧାରଣ ଦର୍ଶନ ହେବ । ମାତ୍ର ସକାଳରୁ 2.30 ଯାଏଁ ଭକ୍ତଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ନବଯୌବନ ଦର୍ଶନ ପାଇଁ ଲକ୍ଷାଧିକ ଭକ୍ତଙ୍କ ସମାଗମ ହେବାକୁ ଦୃଷ୍ଟିରେ ରଖି ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି । ଏହାପରେ ରୋଷହୋମ, ଯାତ୍ରାଙ୍ଗୀ ମହାସ୍ନାନ, ମଇଲମ, ଘଣ୍ଟଛତା ସର୍ବାଙ୍ଗ, ସୂର୍ଯ୍ୟପୂଜା, ଦ୍ବାରପାଳପୂଜା, ବେଶ, ଗୋପାଳବଲ୍ଲଭ, ସକାଳଧୂପ, ଭୋଗମଣ୍ଡପ, ମଧ୍ୟାହ୍ନଧୂପ, ଦକ୍ଷିଣିଘର ଭୋଗ, ସନ୍ଧ୍ୟାଆଳତି ଏବଂ ସନ୍ଧ୍ୟାଧୂପ ହେବାର କାର୍ଯ୍ୟକ୍ରମ ରହିଛି । ଏସବୁ ନୀତିକାନ୍ତି ପରେ ଭୋର ପ୍ରାୟ 4ଟା ବେଳେ ଶ୍ରୀଜୀଉଙ୍କ ଶ୍ରୀମୁଖ ସିଂହାର ପାଇଁ ଦତ୍ତମହାପାତ୍ର ଭିତରେ ପ୍ରବେଶ କରିବେ। ନବଯୌବନ ଦର୍ଶନ ପାଇଁ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।