ଚଳିତ ଲୋକସଭା ନିର୍ବାଚନରେ କଂଗ୍ରେସର ବିରାଟ ପରାଜୟ ପରେ ଏହାର ସମସ୍ତ ଦୋଷକୁ ନିଜ ମୁଣ୍ଡ ଉପରକୁ ନେଇଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି। କଂଗ୍ରେସର ବିପର୍ଯ୍ୟୟ ପାଇଁ ନିଜକୁ ଉତ୍ତରଦାୟୀ କରି କଂଗ୍ରେସ ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଦେଇଥିଲେ। କିନ୍ତୁ କଂଗ୍ରେସର କାର୍ଯ୍ୟକାରିଣୀ ସମିତି ଏହାକୁ ଗ୍ରହଣ କରିନଥିଲା। ଏହା ପରେ ବି କଂଗ୍ରେସ ଅଧ୍ୟକ୍ଷ ରାହୁଲ୍ ଗାନ୍ଧି ନିଜ ଜିଦ୍ରୁ ଅଟଳ ରହିଛନ୍ତି। ଆଜି କଂଗ୍ରେସ ଶାସିତ ରାଜ୍ୟର ମୁଖ୍ୟମନ୍ତ୍ରୀମାନଙ୍କ ସହ ଆଲୋଚନା କରିବା ପରେ ମଧ୍ୟ ନିଜ ଜିଦ୍ରେ ଅଟଳ ରହିଛନ୍ତି । ଗାନ୍ଧି ପରିବାର ବାହାରୁ ଅନ୍ୟ କାହାକୁ କଂଗ୍ରେସ ଅଧ୍ୟକ୍ଷ କରିବା ଉପରେ ଜୋର୍ ଦେଇଛନ୍ତି ରାହୁଲ୍। ତେବେ ମିଳିଥିବା ସୂଚନା ଅନୁସାରେ କଂଗ୍ରେସର ଅଧ୍ୟକ୍ଷ ପାଇଁ ପୂର୍ବତନ ଗୃହମନ୍ତ୍ରୀ ତଥା କଂଗ୍ରେସ ନେତା ସୁଶୀଲ୍ ସିନ୍ଧେ ଓ ଲୋକସଭାର ପୂର୍ବତନ ବିରୋଧୀ ନେତା ମଲ୍ଲିକାର୍ଜୁନ୍ ଖଡ୍ଗେ ପ୍ରମୁଖ ଏନେଇ ଦାବିଦାର ରହିଛନ୍ତି। ତେବେ କଂଗ୍ରେସର କାର୍ଯ୍ୟକାରିଣୀ ବୈଠକରେ ଏନେଇ ନିଷ୍ପତ୍ତି ନିଆଯିବ। ଯଦି ରାହୁଲ୍ ଗାନ୍ଧି କଂଗ୍ରେସର ଅଧ୍ୟକ୍ଷ ପଦରେ ନ ରୁହନ୍ତି, ତେବେ ୨୧ ବର୍ଷ ପରେ ଗାନ୍ଧି ପରିବାର ବାହାରୁ କେହି ଜଣେ କଂଗ୍ରେସର ଅଧ୍ୟକ୍ଷ ହେବେ। ୨୦୧୭ରେ କଂଗ୍ରେସର ଅଧ୍ୟକ୍ଷ ହୋଇଥିଲେ ରାହୁଲ୍ ଗାନ୍ଧି। ଏହା ପୂର୍ବରୁ ଗତ ୧୯ ବର୍ଷ ଧରି ଦଳକମାଣ ସମ୍ଭାଳିଥିଲେ ସୋନିଆ ଗାନ୍ଧି।
କଂଗ୍ରେସ ଅଧ୍ୟକ୍ଷ ପଦ ଦୌଡ଼ରେ ସୁଶୀଲ୍ ସିନ୍ଧେ ଓ ମଲ୍ଲିକାର୍ଜୁନ୍ ଖଡ୍ଗେ
Published:
Jul 2, 2019, 1:33 pm IST
Tags: