କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ (ସିବିଆଇ) ମଙ୍ଗଳବାର ୧୨ଟି ରାଜ୍ୟରେ ପାଖାପାଖି ୫୦ଟି ସ୍ଥାନରେ ଚଢଉ କରିଛି। ସିବିଆଇ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ ବ୍ୟାଙ୍କ ଠକେଇ ମାମଲାରେ ଏହି ଚଢଉ କରିଥିବା ସୂଚନା ମିଳିଛି। ସୂଚନା ଅନୁଯାୟୀ ୧୨ଟି ରାଜ୍ୟର ୧୮ଟି ସହରରେ ଏକ ସଙ୍ଗେ ଚଢଉ କରାଯାଇଛି। ଦିଲ୍ଲୀ, ମୁମ୍ବାଇ, ଲୁଧିଆନା, ଥାନେ, ବଲସାଡ୍, ପୁଣେ, ପଲାନୀ, ଗୟା, ଗୁରୁଗ୍ରାମ, ଚଣ୍ଡିଗଡ଼, ଭୋପାଳ, କଲୋର ଆଦି ବିଭିନ୍ନ ସ୍ଥାନରେ ଚଢାଉ କରାଯାଇଛି। ଚଢଉରେ ସିବିଆଇର ୫୦ଟି ଦଳ ସାମିଲ ହୋଇଥିଲେ। ଚଢଉ ପରେ ବିଭିନ୍ନ କମ୍ପାନୀ, ଫାର୍ମ, ସେମାନଙ୍କ ପ୍ରମୋଟର, ନିର୍ଦେଶକ ଏବଂ ବ୍ୟାଙ୍କ ଅଧିକାରୀଙ୍କ ବିରୋଧରେ ୧୪ଟି ମାମଲା ରୁଜୁ କରାଯାଇଛି। ବ୍ୟାଙ୍କ ଠକେଇ ନେଇ ଅନେକ ଅଭିଯୋଗ ଆସିବା ପରେ ସିବିଆଇ ମଙ୍ଗଳବାରଠାରୁ ଏକ ସ୍ୱତନ୍ତ୍ର ଅଭିଯାନ କ୍ରମେ କମ୍ପାନୀ ଠିକଣା ଉପରେ ଚଢଉ କରିଛି। ପ୍ରଥମ ପର୍ଯ୍ୟାୟରେ ବିଭିନ୍ନ ରାଜ୍ୟର ୫୦ଟି ସ୍ଥାନରେ ଏକସଙ୍ଗେ ଚଢଉ କରାଯାଇଛି। ଏହାମଧ୍ୟରେ ଋଣ ନେଇ ପରିଶୋଧ ନକରିବା, ଜାଲ କାଗଜପତ୍ର ଦେଇ ଋଣ ନେବା ଭଳି ମାମଲା ରହିଛି। ସିବିଆଇ ଅଧିକାରୀଙ୍କ ମତରେ ଏହି ମାମଲାରେ ପାଖାପାଖି ୬୪୦ କୋଟି ଅର୍ଥ ହେରପେର୍ ହୋଇଥିଲା। ମୋଦି ସରକାରଙ୍କ ଦ୍ବିତୀୟ କାର୍ଯ୍ୟକାଳର ଦୁଇ ମାସ ଭିତରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ବ୍ୟାଙ୍କ ଠକେଇକୁ ନେଇ ସରକାର ବହୁତ ଶକ୍ତ ନୀତି ଆପଣାଇଛନ୍ତି। ଚଳିତ ନିର୍ବାଚନରେ ବ୍ୟାଙ୍କରୁ ୧୩ହଜାର କୋଟି ଟଙ୍କାର ଅର୍ଥହେରଫର ବିଷୟ ବେଶ୍ ଚର୍ଚ୍ଚାରେ ରହିଥିଲା।