ଇଂରାଜୀ ସମେତ ଅନ୍ୟ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ ସୁପ୍ରିମ୍‌କୋର୍ଟଙ୍କ ରାୟ

Published: Jul 3, 2019, 5:06 pm IST

ଖୁବଶୀଘ୍ର ସୁପ୍ରିମ୍‌କୋର୍ଟଙ୍କ ରାୟ ତଥା ନିର୍ଦ୍ଦେଶ ଇଂରାଜୀ ସମେତ ଅନ୍ୟ ୬ଟି ଆଞ୍ଚଳିକ ଭାଷାରେ ପ୍ରକାଶ ପାଇବ । ଆଜି ସୁପ୍ରିମକୋର୍ଟ ଏଭଳି ନିଷ୍ପତ୍ତି ନେଇଛନ୍ତି। ଚଳିତ ମାସ ଶେଷ ଭାଗରୁ ହିଁ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ ଓଡ଼ିଆ, ଅହମୀୟା(ଆସାମ), ହିନ୍ଦୀ, କନ୍ନଡ଼, ମରାଠୀ ଓ ତେଲୁଗୁ ଭାଷାରେ ଅନୁବାଦ ହୋଇ ଉପଲବ୍ଧ ହେବ। ଏବେ ସୁପ୍ରିମକୋର୍ଟଙ୍କ ୱେବସାଇଟ୍‌ରେ କେବଳ ଇଂରାଜୀ ଭାଷାରେ ବିଭିନ୍ନ ରାୟ ଓ ତଥ୍ୟ ପ୍ରକାଶ ପାଉଛି। ଅନେକ ସମୟରେ ଆବେଦନକାରୀମାନେ ଇଂରାଜୀ ଭାଷା ପଢ଼ିବା ଓ ବୁଝିବାରେ ଅସୁବିଧାର ସମ୍ମୁଖୀନ ହେଉଥିବା ସାମ୍ନାକୁ ଆସୁଥିଲା। ଏହି କାରଣ ପାଇଁ ଏକାଧିକ ରାଜ୍ୟରୁ ଇଂରାଜୀ ରାୟକୁ ଅନୁବାଦ କରି ପ୍ରକାଶ କରିବାକୁ ନିବେଦନ କରାଯାଇଥିଲା। ଏହି କାରଣ ପାଇଁ ସୁପ୍ରିମକୋର୍ଟ ଆଞ୍ଚଳିକ ଭାଷାରେ ରାୟ ପ୍ରକାଶ କରିବାକୁ ନିଷ୍ପତ୍ତି ନେଇଛନ୍ତି। ଆଜି ପ୍ରଧାନ ବିଚାରପତି ଜଷ୍ଟିସ୍‌ ରଞ୍ଜନ ଗୋଗୋଇ ଅନୁବାଦ ପାଇଁ ଆବଶ୍ୟକ ସଫ୍ଟୱେରକୁ ଅନୁମତି ଦେଇଛନ୍ତି। ୨୦୧୭ରେ କୋଚିଠାରେ ଆୟୋଜିତ ଏକ ବିଚରାପତି ସମ୍ମିଳନୀରେ ରାଷ୍ଟ୍ରପତି ରାମନାଥ କୋବିନ୍ଦ ସାଧାରଣ ଜନତାଙ୍କ ଲାଭ ପାଇଁ ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ ତଥା ଜଜ୍‌ମେଣ୍ଟକୁ ଆଞ୍ଚଳିକ ଭାଷାରେ ଭାଷାନ୍ତର କରିବାକୁ ପ୍ରସ୍ତାବ ଦେଇଥିଲେ । ସୁପ୍ରିମ୍‌କୋର୍ଟର ମୁଖ୍ୟ ବିଚାରପତିଙ୍କ ନିର୍ଦ୍ଦେଶକ୍ରମେ ଏହା ଉପରେ କାର୍ଯ୍ୟ କରାଯାଇଥିଲା ।

Related posts