ନୂଆଦିଲ୍ଲୀ: ଦୁଇ ସର୍ବବୃହତ୍ ଉଦୀୟମାନ ଅର୍ଥବ୍ୟବସ୍ଥା ଭାରତ ଏବଂ ଚୀନ୍ କ୍ରମାଗତ ଭାବେ ବିଶ୍ୱ ଆର୍ଥିକ ଆଲୋଚନାରେ କେନ୍ଦ୍ରରେ ରହିଛନ୍ତି। ନିକଟରେ ନୂଆଦିଲ୍ଲୀରେ ଆୟୋଜିତ ବାର୍ଷିକ ଇଣ୍ଡିଆ ଲିଡରଶିପ୍ ଶିଖର ସମ୍ମିଳନୀରେ, ଏହି ବୃହତ୍ ଅର୍ଥବ୍ୟବସ୍ଥାଗୁଡ଼ିକ ମଧ୍ୟରେ ପରିବର୍ତ୍ତିତ ଗତିଶୀଳତା ଉପରେ ଧ୍ୟାନ କେନ୍ଦ୍ରିତ କରାଯାଇଥିଲା। ବିଗତ ଦଶନ୍ଧିଗୁଡ଼ିକରେ ଚୀନର ଦ୍ରୁତ ଅଭିବୃଦ୍ଧି ଏହାକୁ ବିଶ୍ୱ ମଞ୍ଚରେ ଏକ ପ୍ରଭାବଶାଳୀ ରାଷ୍ଟ୍ର ଭାବରେ ପରିଣତ କରିଥିବାବେଳେ ଭାରତର ସାମ୍ପ୍ରତିକ ଅଭିବୃଦ୍ଧି ବୃଦ୍ଧି ବିଶ୍ୱର ଧ୍ୟାନ ଆକର୍ଷଣ କରିଛି ଏବଂ ଏହାକୁ ଏକ ଶକ୍ତିଶାଳୀ ପ୍ରତିଦ୍ୱନ୍ଦ୍ୱୀ ଭାବରେ ସ୍ଥାନିତ କରିଛି।
ଏହି ଉର୍ଦ୍ଧ୍ବମୁଖୀ ଗତିପଥର ଗୁରୁତ୍ୱ ଉପରେ ଆଲୋକପାତ କରି ୟୁଏସ୍-ଇଣ୍ଡିଆ ଷ୍ଟ୍ରାଟେଜିକ୍ ପାର୍ଟନରସିପ୍ ଫୋରମର ଅଧ୍ୟକ୍ଷ ଜନ୍ ଚାମ୍ବର୍ସ ମନ୍ତବ୍ୟ ଦେଇଛନ୍ତି, ‘‘ଚଳିତ ଶତାବ୍ଦୀର ଶେଷ ସୁଦ୍ଧା ଭାରତ କେବଳ ଚୀନକୁ ଅତିକ୍ରମ କରିବ ନାହିଁ, ବରଂ ଜିଡିପି ଦୃଷ୍ଟିରୁ 100 ପ୍ରତିଶତ ବଡ ହେବ।’’ ତାଙ୍କର ଆଶାବାଦରେ ଉପର ଠାଉରିଆ ଭବିଷ୍ୟବାଣୀ ଉପରେ ଆଧାରିତ ନୁହେଁ, ବରଂ ଗତ ଏକ ଦଶନ୍ଧି ମଧ୍ୟରେ ଭାରତର ବାସ୍ତବ ପ୍ରଗତି, ପରିବର୍ତ୍ତନଶୀଳ ନୀତି ଏବଂ ସଂସ୍କାର ଉପରେ ଆଧାରିତ । ଏସବୁ ପଦକ୍ଷେପ ଭାରତର ଆର୍ଥିକ ପରିଦୃଶ୍ୟକୁ ନୂଆ ଆକାର ଦେଉଛି । ଏହା ଦେଶର ଅସାଧାରଣ ଅଭିବୃଦ୍ଧି ଏବଂ ବିଶ୍ୱ ସ୍ତରରେ ଏହାର ଭବିଷ୍ୟତ ସମ୍ଭାବନା ଉପରେ ଆଲୋଚନାକୁ କେନ୍ଦ୍ରିତ କରିଛି।
ଚାମ୍ବର୍ସ କେବଳ ସୁଦୂର ଭବିଷ୍ୟତରେ ଅଟକି ନଥିଲେ। ପୂର୍ବରୁ ଯେଉଁ ମୂଳଦୁଆ ପଡ଼ିଛି, ସେହି ବିଷୟ ଉପରେ ସେ ଆଲୋକପାତ କରିଥିଲେ ଏବଂ ଭାରତ ସରକାରଙ୍କୁ ଏହାର ଶ୍ରେୟ ପ୍ରଦାନ କରିଥିଲେ। ସେ କହିଥିଲେ, ଗୋଟିଏ ଦଶନ୍ଧି ପାଇଁ ମଞ୍ଚ ପ୍ରସ୍ତୁତ କରିବାରେ ସରକାର ଅଭୂତପୂର୍ବ କାର୍ଯ୍ୟ କରିଛନ୍ତି ବୋଲି ସେ କହିଥିଲେ। ଭାରତର ଦ୍ରୁତ ଅଭିବୃଦ୍ଧି ଓ ଅତୁଳନୀୟ ଆର୍ଥିକ ପ୍ରଦର୍ଶନକୁ ଦୃଷ୍ଟିରେ ରଖି ସେ ଏହି ମନ୍ତବ୍ୟ ଦେଇଛନ୍ତି। ବିଶ୍ୱ ବ୍ୟାଙ୍କର ଭାରତ ବିକାଶ ତଥ୍ୟ ଅନୁଯାୟୀ, ୨୦୨୪-୨୫ ଆର୍ଥିକ ବର୍ଷରେ ଦେଶର ଜିଡିପି ୭ ପ୍ରତିଶତ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି, ଯାହା ବିଶ୍ୱର ଦ୍ରୁତ ଅଭିବୃଦ୍ଧିଶୀଳ ପ୍ରମୁଖ ଅର୍ଥବ୍ୟବସ୍ଥା ଭାବେ ଦେଶର ସ୍ଥିତିକୁ ଦର୍ଶାଉଛି। ଏହି ଅଭିବୃଦ୍ଧିର ଧାରା ସ୍ଥିର ରହିଛି। ୨୦୨୨-୨୩ରେ ଏହା ୭.୦%ରୁ ବୃଦ୍ଧି ପାଇ ୨୦୨୪-୨୫ରେ ୮.୨%ରେ ପହଞ୍ଚିଛି । ଏହି ସଂଖ୍ୟା ଭାରତୀୟ ଅର୍ଥବ୍ୟବସ୍ଥାର ଦୃଢ଼ତାକୁ ଦର୍ଶାଇବା ସହିତ ଏକ ସୁଚିନ୍ତିତ ରଣନୀତିର ଭଲ ପରିଣାମ ବିଷୟରେ ପ୍ରମାଣ ଦେଇଛି। ଭାରତର ଦ୍ରୁତ ଅଭିବୃଦ୍ଧି ବିପରୀତ ଚୀନର ଆର୍ଥିକ ଧାରା ନିମ୍ନଗାମୀ ହେଉଥିବା ଦେଖିବାକୁ ମିଳିଛି। ୨୦୨୪ରେ ଚୀନର ଜିଡିପି ବୃଦ୍ଧି ହାର ୪.୫% ରହିବା ନେଇ ବିଶ୍ୱବ୍ୟାଙ୍କ ଆକଳନ କରିଥିବା ବେଳେ ୨୦୨୫ରେ ଏହା ୪.୩%କୁ ହ୍ରାସ ପାଇବ।
ଭାରତର ସକାରାତ୍ମକ ଆର୍ଥିକ ପରିଣାମ ସମ୍ପର୍କରେ ସେବିର ପୂର୍ଣ୍ଣକାଳୀନ ସଦସ୍ୟ ଅନନ୍ତ ନାରାୟଣ ଜି କହିଛନ୍ତି, ଏନଏସଇରେ ନିବେଶକ ସଚେତନତା ସପ୍ତାହ ସମୟରେ ଭାରତର ବଜାର ପ୍ରଦର୍ଶନ ପ୍ରଭାବଶାଳୀ ରହିଛି। ଗତ ପାଞ୍ଚ ବର୍ଷ ମଧ୍ୟରେ ଭାରତୀୟ ବଜାରଗୁଡ଼ିକ ସ୍ଥିର ଭାବେ ୧୫ ପ୍ରତିଶତ ବାର୍ଷିକ ଚକ୍ରବୃଦ୍ଧି ହାର ହାସଲ କରିଛନ୍ତି। ଚୀନ ବଜାର ଏହା ସହ ତୁଳନୀୟ ନୁହେଁ। ଏଠାରେ ପ୍ରାୟତଃ ଶୂନ୍ୟ ସ୍ଥିତି ଦେଖିବାକୁ ମିଳିଛି। ବାସ୍ତବରେ ହଂକଂ ଭଳି କ୍ଷେତ୍ରରେ କ୍ଷେତ୍ରରେ ଏହା ନକାରାତ୍ମକ ରହିଥିବା ସେ କହିଛନ୍ତି। ନାରାୟଣ ୨୦୨୪ ବର୍ଷକୁ ଏକ ଚମତ୍କାର ବର୍ଷ ଭାବେ ଅଭିହିତ କରିଛନ୍ତି। ଏହି ବର୍ଷ ବେଞ୍ଚମାର୍କ ୨୮ପ୍ରତିଶତକୁ ବୃଦ୍ଧି ପାଇଥିବା ବେଳେ ଅସ୍ଥିରତା ମାତ୍ର ୧୦ ପ୍ରତିଶତ ରହିଛି। ଏହା କମ୍ ବିପଦ ଓ ଅଧିକ ଲାଭକୁ ଦର୍ଶାଉଛି।
ଭାରତର ବଜାର ପ୍ରଦର୍ଶନ ସହିତ ଡିଜିଟାଲ ଇଣ୍ଡିଆ ଭଳି ରଣନୀତିକ ପଦକ୍ଷେପ ଦେଶର ଅଭିବୃଦ୍ଧି ପାଇଁ ମୂଳଦୁଆ ପ୍ରତିଷ୍ଠା କରିଛି। ଏ ସମ୍ପର୍କରେ ଚାମ୍ବର୍ସ କହିଛନ୍ତି ଯେ, ଡିଜିଟାଲ ଇଣ୍ଡିଆ ଦେଶର ଆର୍ଥିକ ରଣନୀତିରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ। ଡିଜିଟାଲ ଇଣ୍ଡିଆ କେବଳ ଏକ ସ୍ୱପ୍ନ ନୁହେଁ, ବରଂ ବଜାର କେଉଁ ଦିଗକୁ ଗତି କରିବ ସେ ଦିଗରେ ଏକ ସ୍ପଷ୍ଟ ଧାରଣା ପ୍ରଦାନ କରୁଛି। ୨୦୧୫ରେ ଆରମ୍ଭ ହୋଇଥିବା ଏହି ଅଭିଯାନ ଭାରତକୁ ଏକ ଡିଜିଟାଲ ସଶକ୍ତ ଦେଶରେ ପରିଣତ କରିଛି। ୟୁପିଆଇ ଦ୍ୱାରା ଭାରତର ଆର୍ଥିକ ନେଣଦେଣ କ୍ଷେତ୍ରରେ ବିପ୍ଳବ ଆସିଛି। ୨୦୧୭-୧୮ ଆର୍ଥିକ ବର୍ଷରେ ୟୁପିଆଇ ଜରିଆରେ ୯୨ କୋଟି ଆର୍ଥିକ ନେଣଦେଣ ହୋଇଥିବା ବେଳେ ୨୦୨୩-୨୪ରେ ଏହା ୧୩,୧୧୬ କୋଟି ନେଣଦେଣକୁ ବୃଦ୍ଧି ପାଇଛି।
ୟୁପିଆଇ ବ୍ୟତୀତ କୋୱିନ୍ ପ୍ଲାଟଫର୍ମ ମଧ୍ୟ କୋଭିଡ-୧୯ ମହାମାରୀ ସମୟରେ ଏକ ଗୁରୁତ୍ୱପୂର୍ଣ୍ଣ ଉପାଦାନ ସାବ୍ୟସ୍ତ ହୋଇଛି। ଏହା ଭାରତର ଟିକାକରଣ ଅଭିଯାନର ମେରୁଦଣ୍ଡ ଥିଲା। କୋୱିନ୍ ମାଧ୍ୟମରେ ୨୨୦ କୋଟି ଟିକା ଦିଆଯିବା ଜନ ସ୍ୱାସ୍ଥ୍ୟ କ୍ଷେତ୍ରରେ ପ୍ରଯୁକ୍ତିର ବ୍ୟବହାର କରିବାରେ ଭାରତର ସାମର୍ଥ୍ୟକୁ ଦର୍ଶାଉଛି । କୋୱିନ୍ କେବଳ ଏକ ବୈଶ୍ୱିକ ସଂକଟରେ ଭାରତର ଡିଜିଟାଲ ମୁକାବିଲାକୁ ପ୍ରଦର୍ଶିତ କରୁନାହିଁ ବରଂ ଡିଜିଟାଲ ଭିତ୍ତିଭୂମି କିଭଳି ବ୍ୟାପକ ସ୍ୱାସ୍ଥ୍ୟଗତ ପଦକ୍ଷେପ ନେବାରେ ସହାୟକ ହୋଇପାରିବ ତାହା ଦର୍ଶାଇଛି।
ଏହି ସଫଳତାଗୁଡ଼ିକ ମିଳିତ ଭାବେ ଦର୍ଶାଉଛି ଯେ ଡିଜିଟାଲ୍ ଇଣ୍ଡିଆ ଦୀର୍ଘକାଳୀନ ଅଭିବୃଦ୍ଧି ପାଇଁ ପ୍ରସ୍ତୁତ ଏକ ଡିଜିଟାଲ୍ ସମାବେଶୀ ଅର୍ଥବ୍ୟବସ୍ଥା ପାଇଁ ମୂଳଦୁଆ ପକାଇଛି। ଏହି ଡିଜିଟାଲ ବିପ୍ଳବର ପ୍ରଭାବ ଦେୟ ଏବଂ ପରିଚୟ ଯାଞ୍ଚ ଠାରୁ ମଧ୍ୟ ଆଗକୁ ବଢ଼ିଛି। ଆୟୁଷ୍ମାନ ଭାରତ ଯୋଜନା ଅଧୀନରେ ୩୫ କୋଟି ୬ ଲକ୍ଷରୁ ଅଧିକ ଆୟୁଷ୍ମାନ କାର୍ଡ ଜାରି କରାଯାଇଛି, ଯାହା ଲକ୍ଷ ଲକ୍ଷ ଲୋକଙ୍କୁ ସ୍ୱାସ୍ଥ୍ୟସେବା ପ୍ରଦାନ କରିଛି। ଅଧିକନ୍ତୁ, ୯ କୋଟିରୁ ଅଧିକ ଫାଷ୍ଟ୍ୟାଗ୍ ଜାରି କରାଯାଇଛି, ଯାହା ୨୦୨୩ ରେ ବିଶ୍ୱବ୍ୟାପୀ ନିର୍ମିତ ଯାନ ସଂଖ୍ୟା ସହିତ ପ୍ରାୟ ସମାନ, ଯାହା ଦେଶର ରାଜପଥରେ ସୁଗମ ଯାତ୍ରାକୁ ସହଜ କରିଛି। ଏଭଳି ମାଇଲଖୁଣ୍ଟ ଭାରତର ଡିଜିଟାଲ ପରିବର୍ତ୍ତନର ବ୍ୟାପକ ସ୍ୱରୂପକୁ ଦର୍ଶାଇଥାଏ, ଯାହା ଜୀବନର ପ୍ରତ୍ୟେକ ଦିଗକୁ ସ୍ପର୍ଶ କରିଥାଏ ଏବଂ ସ୍ଥାୟୀ ଆର୍ଥିକ ପ୍ରଗତିକୁ ପ୍ରୋତ୍ସାହିତ କରିଥାଏ।
ଚାମ୍ବର୍ସ ମଧ୍ୟ ଭାରତରେ ଷ୍ଟାର୍ଟଅପ୍ସଗୁଡ଼ିକର ବିସ୍ଫୋରକ ଅଭିବୃଦ୍ଧି ଦେଶର ଆର୍ଥିକ ଅଭିବୃଦ୍ଧିର ଏକ ଗୁରୁତ୍ୱପୂର୍ଣ୍ଣ କାରଣ ବୋଲି ଦର୍ଶାଇଛନ୍ତି। ‘‘ମାତ୍ର ୧୦ ରୁ ୧୨ ବର୍ଷ ପୂର୍ବେ, ଭାରତରେ ବହୁତ କମ୍ ଷ୍ଟାର୍ଟଅପ୍ ଥିଲା। ପ୍ରକୃତରେ ଶେଷ ଅବଧିରେ, ୨୦୧୫ ରୁ ୨୦୨୨ ପର୍ଯ୍ୟନ୍ତ, ଷ୍ଟାର୍ଟଅପ୍ସଗୁଡ଼ିକରେ ନିବେଶ ୧୫ ଗୁଣ ବୃଦ୍ଧି ପାଇଛି’’, ସେ କହିଛନ୍ତି। ନିବେଶରେ ଏହି ବୃଦ୍ଧି ଏକ ଗତିଶୀଳ ଉଦ୍ୟୋଗୀ ଇକୋସିଷ୍ଟମକୁ ଇନ୍ଧନ ଯୋଗାଇଛି। ଭାରତ ଏବେ ବିଶ୍ୱର ତୃତୀୟ ସର୍ବବୃହତ୍ ଷ୍ଟାର୍ଟଅପ୍ ଇକୋସିଷ୍ଟମର କେନ୍ଦ୍ର ଯେଉଁଥିରେ ୧,୫୧,୦୦ରୁ ଅଧିକ ସ୍ୱୀକୃତିପ୍ରାପ୍ତ ଷ୍ଟାର୍ଟଅପ୍ ରହିଛି। ୨୦୧୬ରେ ଆରମ୍ଭ ହୋଇଥିବା ଷ୍ଟାର୍ଟଅପ୍ ଇଣ୍ଡିଆ ପଦକ୍ଷେପ ଏହି ଅଭିବୃଦ୍ଧିକୁ ପ୍ରୋତ୍ସାହିତ କରିବାରେ ଏକ ପ୍ରମୁଖ ଭୂମିକା ଗ୍ରହଣ କରିଛି, ଯାହା ୧୫.୫ ଲକ୍ଷରୁ ଅଧିକ ପ୍ରତ୍ୟକ୍ଷ ନିଯୁକ୍ତି ସୃଷ୍ଟି କରିଛି। ସଠିକ ନୀତି ଦ୍ୱାରା ସମର୍ଥିତ ନବସୃଜନ କିପରି ଗୁରୁତ୍ୱପୂର୍ଣ୍ଣ ଆହ୍ୱାନର ସମାଧାନ କରିବା ସହିତ ଆର୍ଥିକ ବିକାଶକୁ ଆଗେଇ ନେଇପାରିବ, ଏହା ତାହାର ଏକ ପ୍ରମାଣ।
ଆର୍ଟିଫିସିଆଲ୍ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ମଧ୍ୟ ଚାମ୍ବର୍ସ ମନ୍ତବ୍ୟ ଦେଇଛନ୍ତି ଯାହା ଭାରତରେ ଗୁରୁତ୍ୱପୂର୍ଣ୍ଣ ଆକର୍ଷଣ ହାସଲ କରୁଛି। ସରକାର ୨୦୨୩ ରେ ‘‘ଭାରତ ପାଇଁ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଟୁ ପଏଣ୍ଟ ଓ’’ ଭଳି ପଦକ୍ଷେପ ଆରମ୍ଭ କରିବା ଏବଂ ୨୦୨୪ରେ ଗ୍ଲୋବାଲ ଇଣ୍ଡିଆ ଏଆଇ ସମ୍ମିଳନୀର ଆୟୋଜନ କରିବା ସହିତ ଏହା ସ୍ପଷ୍ଟ ଯେ ଭାରତ ବିଶ୍ୱ ସ୍ତରରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ନିଜକୁ ଅଗ୍ରଣୀ ଭାବରେ ଅବସ୍ଥାପିତ କରୁଛି। ଚାମ୍ବର୍ସ କହିଛନ୍ତି, ଭାରତ ଏଆଇ ପାଇଁ ମୂଳଦୁଆ ପ୍ରତିଷ୍ଠା କରିଛି ଏବଂ ନିଜର ପରବର୍ତ୍ତୀ ପିଢ଼ିର କାର୍ଯ୍ୟବଳକୁ ପ୍ରସ୍ତୁତ କରିବାକୁ ପ୍ରୟାସ ଆରମ୍ଭ କରିଛି। ଏହି ଶିଖର ସମ୍ମିଳନୀ ସାରା ବିଶ୍ୱରୁ ୧୨,୦୦୦ରୁ ଅଧିକ ବିଶେଷଜ୍ଞଙ୍କୁ ଏକାଠି କରିଥିଲା, ଯାହା ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସରେ ଭାରତର ବର୍ଦ୍ଧିତ ପ୍ରଭାବ ଏବଂ ଭବିଷ୍ୟତର ଆର୍ଥିକ ସଫଳତା ପାଇଁ ଏହି ଟେକ୍ନୋଲୋଜିର ଉପଯୋଗ ପାଇଁ ଏହାର ପ୍ରତିବଦ୍ଧତାକୁ ରେଖାଙ୍କିତ କରିଥିଲା। ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ଉପରେ ଏହି ଧ୍ୟାନ କେବଳ ବୈଷୟିକ ପ୍ରଗତି ଉପରେ ନୁହେଁ, ବରଂ ଆଗାମୀ ଭବିଷ୍ୟତର ଚାକିରିରେ ଦକ୍ଷ କାର୍ଯ୍ୟବଳ ସୃଷ୍ଟି କରିବା ଉପରେ ମଧ୍ୟ ରହିଛି, ଯାହା ନିରନ୍ତର ଆର୍ଥିକ ଅଭିବୃଦ୍ଧିକୁ ସୁନିଶ୍ଚିତ କରିବ।
ତଥାପି, ଭାରତର ଆର୍ଥିକ କାହାଣୀ କେବଳ ଶୀର୍ଷ ଅଭିବୃଦ୍ଧି ବିଷୟ ଆଧାରିତ ନୁହେଁ। ଏହି ପଦକ୍ଷେପଗୁଡ଼ିକର ବ୍ୟାପକ ପ୍ରଭାବ ଉପରେ ଚାମ୍ବର୍ସ ଆଲୋକପାତ କରିଛନ୍ତି। ପ୍ରଧାନମନ୍ତ୍ରୀ ଜନଧନ ଯୋଜନା (ପିଏମଜେଡିୱାଇ) ଭଳି କାର୍ଯ୍ୟକ୍ରମ ଦ୍ୱାରା ପରିଚାଳିତ ଡିଜିଟାଲ ଅନ୍ତର୍ଭୂକ୍ତିକରଣ, ପୂର୍ବରୁ ବ୍ୟାଙ୍କ୍ ସୁବିଧା ନଥିବା ଲକ୍ଷ ଲକ୍ଷ ଲୋକଙ୍କୁ ଆନୁଷ୍ଠାନିକ ଆର୍ଥିକ ବ୍ୟବସ୍ଥାକୁ ଆଣିଛି। ଏକ ଦଶନ୍ଧି ପୂର୍ବେ ଏହାର ପ୍ରତିଷ୍ଠା ପରଠାରୁ ପିଏମଜେଡିୱାଇରେ ୫୩ କୋଟିରୁ ଅଧିକ ବ୍ୟାଙ୍କ ଆକାଉଣ୍ଟ ଖୋଲାଯାଇଛି, ଯାହା ଦ୍ୱାରା ଲୋକମାନେ ଆର୍ଥିକ ସେବା ପାଇପାରିବେ ଏବଂ ଅର୍ଥବ୍ୟବସ୍ଥାରେ ଅଂଶଗ୍ରହଣ କରିପାରିବେ। ସମୃଦ୍ଧିର ଲାଭକୁ ଦେଶର କୋଣ ଅନୁକୋଣରେ ପହଞ୍ଚାଇବା ସହ ଭାରତର ଅଭିବୃଦ୍ଧିକୁ ସମାବେଶୀ କରିବା ପାଇଁ ଏଭଳି ତୃଣମୂଳ ସ୍ତରର ବିକାଶ ଗୁରୁତ୍ୱପୂର୍ଣ୍ଣ।
ଗୃହ ନିର୍ମାଣ ହେଉଛି ଅନ୍ୟ ଏକ କ୍ଷେତ୍ର ଯେଉଁଠାରେ ସମାବେଶୀ ଅଭିବୃଦ୍ଧି ସ୍ପଷ୍ଟ ଭାବେ ଦେଖିବାକୁ ମିଳିଛି, ବିଶେଷକରି ମଧ୍ୟବିତ୍ତଙ୍କ ପାଇଁ । ପ୍ରଧାନମନ୍ତ୍ରୀ ଆବାସ ଯୋଜନା-ସହରାଞ୍ଚଳ (ପିଏମଏୱାଇ-ୟୁ) ଅଧୀନରେ ୧.୧୮ କୋଟିରୁ ଅଧିକ ଘର ମଞ୍ଜୁର ହୋଇଥିବା ବେଳେ ବର୍ତ୍ତମାନ ସୁଦ୍ଧା ୮୭.୨୫ ଲକ୍ଷରୁ ଅଧିକ ଘର ନିର୍ମାଣ ଓ ବିତରଣ ହୋଇସାରିଛି। ସୁଲଭ ମୂଲ୍ୟର ଗୃହ ନିର୍ମାଣ ପାଇଁ ମଧ୍ୟବିତ୍ତଙ୍କ ସମେତ ଲକ୍ଷ ଲକ୍ଷ ପରିବାରକୁ ସୁରକ୍ଷିତ, ସବୁଦିନିଆ ଘର ଯୋଗାଇ ଦେଇ ଏହି ମହତ୍ୱାକାଂକ୍ଷୀ ଆବାସ ପଦକ୍ଷେପ ନାଗରିକଙ୍କ ଜୀବନରେ ପରିବର୍ତ୍ତନ ଆଣିଛି। ଭାରତ କିଭଳି ଦୀର୍ଘକାଳୀନ ଅଭିବୃଦ୍ଧିର ଭିତ୍ତିପ୍ରସ୍ତର ସ୍ଥାପନ କରୁଛି ଏବଂ କେହି ଯେପରି ପଛରେ ନ ପଡ଼ିବେ ତାହା ସୁନିଶ୍ଚିତ କରୁଛି, ସ୍ଥିରତା ବୃଦ୍ଧି କରୁଛି ଏବଂ ଅନେକଙ୍କ ଜୀବନଧାରଣର ଗୁଣବତ୍ତା ରେ ଉନ୍ନତି ଆଣିଛି ତାହା ହିଁ ଏହି ଯୋଜନାର ପ୍ରକୃତ ପରିଣାମ।
ଚାମ୍ବର୍ସ ଭବିଷ୍ୟତକୁ ଦେଖୁଥିବା ବେଳେ ତାଙ୍କ ସ୍ୱର ଆଶାବାଦୀ ରହିଛି। ତଥାପି ସେ ବାସ୍ତବବାଦୀ ମନ୍ତବ୍ୟ ରଖିଛନ୍ତି। କେବଳ ଆଗାମୀ ୫ ବର୍ଷ ନୁହେଁ, ଆଗାମୀ ୨୫ ବର୍ଷ ପାଇଁ ଏହି ମୂଳଦୁଆ ସ୍ଥାପନ କରାଯାଇଛି। ଚଳିତ ଶତାବ୍ଦୀ ଶେଷ ସୁଦ୍ଧା ଭାରତ ଚୀନର ଆର୍ଥିକ ଶକ୍ତିକୁ ଟପିଯିବ ବୋଲି ତାଙ୍କର ବିଶ୍ୱାସ କେତେକଙ୍କୁ ଉଚ୍ଚାକାଂକ୍ଷୀ ମନେ ହୁଏ, କିନ୍ତୁ ଗତ ଏକ ଦଶନ୍ଧି ମଧ୍ୟରେ ଦେଶର ପ୍ରଗତି ତାଙ୍କ କଥାକୁ ଗୁରୁତ୍ୱ ଦେଇଥାଏ। ଡିଜିଟାଲ ଜ୍ଞାନକୌଶଳକୁ ଗ୍ରହଣ କରିବା, ଷ୍ଟାର୍ଟଅପ୍ ର ଉନ୍ନତି, ଷ୍ଟକ ବଜାର ପ୍ରଦର୍ଶନ, ଏଆଇ ଉପରେ ଦୃଢ଼ ଧ୍ୟାନ ଏବଂ ସମାବେଶୀ ଅଭିବୃଦ୍ଧି ପାଇଁ ପ୍ରତିବଦ୍ଧତା ସହିତ ଭାରତ ଆଗାମୀ ବର୍ଷଗୁଡ଼ିକରେ ବିଶ୍ୱ ଆର୍ଥିକ ଗତିଶୀଳତାକୁ ପୁନଃପରିଭାଷିତ କରିପାରିବ।