ଅଜିତ ପାୱାରଙ୍କ ଏନସିପିରେ ଯୋଗଦେଲେ ଦୁଇ ବିଜେପି ନେତା, ମିଶିବାର କହିଲେ କାରଣ

Published: Oct 25, 2024, 6:23 pm IST

ମୁମ୍ବାଇ: ନିର୍ବାଚନ ପୂର୍ବରୁ ଆଜି ଉପ-ମୁଖ୍ୟମନ୍ତ୍ରୀ ଅଜିତ ପାୱାରଙ୍କ ଉପସ୍ଥିତିରେ ମହାରାଷ୍ଟ୍ର ବିଜେପି ନେତା ନିଶିକାନ୍ତ ଭୋସଲେ ପାଟିଲ ଏବଂ ପୂର୍ବତନ ବିଜେପି ସାଂସଦ ସଞ୍ଜୟକାକା ପାଟିଲ ଏନସିପିରେ ଯୋଗ ଦେଇଛନ୍ତି। ଏହା ପରେ ସଙ୍ଗେ ସଙ୍ଗେ ଦଳ ନିଶିକାନ୍ତ ଭୋସଲେ ପାଟିଲଙ୍କୁ ଇସଲାମପୁରରୁ ଏବଂ ତାସଗାଓଁ କଭଠେ ମହାକାଲ ବିଧାନସଭା ଆସନରୁ ସଞ୍ଜୟକାକା ପାଟିଲଙ୍କୁ ପ୍ରାର୍ଥୀ କରିଛି।

ଏନସିପିରେ ଯୋଗଦେବା ପରେ ପୂର୍ବତନ ବିଜେପି ସାଂସଦ ସଞ୍ଜୟକାକା ପାଟିଲ କହିଛନ୍ତି ଯେ, “ଏନସିପି ମହାୟୁତୀର ଏକ ଅଂଶ। ଆମ ଜିଲ୍ଲାରେ ତାସଗାଓଁ କଭଠେ ମହାକାଲ ସମେତ ଏନସିପି ଦୁଇଟି ବିଧାନସଭା ଆସନ ପାଇଥିଲା। ମୋତେ ମହାରାଷ୍ଟ୍ର ବିଧାନସଭା ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରିବାକୁ ପଡିବାରଥିଲା, ତେଣୁ ମୁଁ ଏନସିପିରେ ଯୋଗ ଦେଲି।”

ନିଶିକାନ୍ତ ଭୋସଲେ କ’ଣ କହିଲେ?:

ଏନସିପିରେ ଯୋଗଦେବା ପରେ ବିଜେପି ନେତା ନିଶିକାନ୍ତ ଭୋସଲେ ପାଟିଲ କହିଛନ୍ତି ଯେ, “ଆଜି ମୁଁ ଆମ ନେତା ଦେବେନ୍ଦ୍ର ଫଡନାଭିସଙ୍କ ନିର୍ଦ୍ଦେଶରେ ଏନସିପିରେ ଯୋଗ ଦେଇଛି। ଇସଲାମପୁର ବିଧାନସଭା ଆସନ ଏନସିପି ଖାତାକୁ ଯାଉଥିବାରୁ ମୋତେ ବିଜେପିରୁ ଏନସିପି ଯିବାକୁ ପଡିଲା। ମୁଁ ଏନସିପି ଟିକେଟ୍‌ରେ ଏହି ଆସନରୁ ନିର୍ବାଚନ ଜିତିବି ବୋଲି ସେ କହିଛନ୍ତି।

ଆଜି NCP ର ଦ୍ୱିତୀୟ ତାଲିକା ପ୍ରକାଶ ପାଇଛି:

ପ୍ରକାଶ ଯେ, ଅଜିତ ପାୱାରଙ୍କ ପାର୍ଟି ଏନସିପି ଆଜି ପ୍ରାର୍ଥୀଙ୍କ ଦ୍ୱିତୀୟ ତାଲିକା ପ୍ରକାଶ କରିଛି। ଏଥିରେ ୭ ଜଣ ପ୍ରାର୍ଥୀଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିବାବେଳେ ବୁଧବାର ଦିନ ଦଳ ୩୮ ଜଣ ପ୍ରାର୍ଥୀଙ୍କ ପ୍ରଥମ ତାଲିକା ପ୍ରକାଶ କରିଥିଲା। ଏଥିରେ ଉପମୁଖ୍ୟମନ୍ତ୍ରୀ ଅଜିତ ପାୱାର (ବାରାମତୀ) ସମେତ ବହୁ ନେତାଙ୍କ ନାମ ଅନ୍ତର୍ଭୁକ୍ତ ହୋଇଥିଲା।

Related posts