ଚିଦାମ୍ବରମଙ୍କ ବିପକ୍ଷରେ ସରକାରୀ ସାକ୍ଷୀ ହେଲେ ଇନ୍ଦ୍ରାଣୀ ମୁଖାର୍ଜୀ

Published: Jul 4, 2019, 4:15 pm IST
Indrani Mukerjea To Be Approver In Corruption Case Linked To Chidambarams

ଦିଲ୍ଲୀସ୍ଥିତ ସିବିଆଇର ଏକ ସ୍ୱତନ୍ତ୍ର ଅଦାଲତ ଗୁରୁବାର ଆଇଏନଏକ୍ସ ମିଡିଆ ଦୁର୍ନୀତି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ ସରକାରୀ ସାକ୍ଷୀ ହେବା ପାଇଁ ଅନୁମତି ପ୍ରଦାନ କରିଛନ୍ତି । ଏହି ମାମଲାରେ କଂଗ୍ରେସ ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପି ଚିଦମ୍ବରମ ଏବଂ ତାଙ୍କ ପୁଅ କାର୍ତ୍ତି ଚିଦମ୍ବରମ ଅଭିଯୁକ୍ତ ଅଛନ୍ତି । ଏହି ମାମଲାର ପରବର୍ତ୍ତୀ ଶୁଣାଣି ଜୁଲାଇ ୧୧ରେ ହେବ । ଶୁଣାଣି ଦିନ ଇନ୍ଦ୍ରାଣୀଙ୍କୁ ଅଦାଲତରେ ହାଜର କରାଯିବ । ନିଜ ଇଚ୍ଛାରେ ସରକାରୀ ସାକ୍ଷୀ ହେବାକୁ ରାଜି ହୋଇଥିବାରୁ ସିବିଆଇର ସ୍ୱତନ୍ତ୍ର ବିଚାରପତି ଅରୁଣ ଭରଦ୍ୱାଜ ଏହି ମାମଲାରେ ଇନ୍ଦ୍ରାଣୀ ମୁଖାର୍ଜୀଙ୍କୁ କ୍ଷମା କରିଛନ୍ତି । ଇନ୍ଦ୍ରାଣୀ ମଧ୍ୟ ଏହି ମାମଲାରେ ଅଭିଯୁକ୍ତ ଥିଲେ । ଏବେ ସେ ଅନ୍ୟ ଏକ ମାମଲାରେ ମୁମ୍ବଇ ଜେଲରେ ବନ୍ଦୀ ଅଛନ୍ତି । ଇନ୍ଦ୍ରାଣୀ ଚଳିତ ବର୍ଷ ଫେବୃଆରୀ ୮ ତାରିଖରେ ସରକାରୀ ସାକ୍ଷୀ ହେବାକୁ ଆବେଦନ କରିଥିଲେ । ସେତେବେଳେ ଇନ୍ଦ୍ରାଣୀ ମୁମ୍ବଇର ଭାୟଖଲା ଜେଲରୁ ଭିଡିଓ କନଫ୍ରେନ୍ସିଂ ଜରିଆରେ ପଟିୟାଲା ହାଉସ କୋର୍ଟର ସ୍ୱତନ୍ତ୍ର ସିବିଆଇ ଜଜ ସୁନୀଲ କୁମାର ରାଣାଙ୍କ ଆଗରେ ହାଜର ହୋଇଥିଲେ ଓ ସେ ସରକାରୀ ସାକ୍ଷୀ ହେବାକୁ ଚାହୁଁଛନ୍ତି ବୋଲି କହିଥିଲେ ।

Related posts