ମହିଳାଙ୍କୁ ୨୫୦୦ ଟଙ୍କା, ୪୫୦ ଟଙ୍କାରେ ସିଲିଣ୍ଡର: ଝାଡଖଣ୍ଡରେ I.N.D.I.A. ମେଣ୍ଟର ୭ ଟି ଗ୍ୟାରେଣ୍ଟି

Published: Nov 5, 2024, 7:05 pm IST

ନୂଆଦିଲ୍ଲୀ: ଝାଡ଼ଖଣ୍ଡରେ ବିଧାନସଭା ନିର୍ବାଚନ ପାଖେଇ ଆସୁଛି। ଏଭଳି ପରିସ୍ଥିତିରେ I.N.D.I.A ବ୍ଲକ ଆଜି ଏହାର ନିର୍ବାଚନୀ ଇସ୍ତାହାର ପ୍ରକାଶ କରିଛି। ମେଣ୍ଟର ଏହି ନିର୍ବାଚନୀ ଇସ୍ତାହାରରେ କୁହାଯାଇଛି ଯେ, ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା ଦିଆଯିବ। ଏହା ସହିତ ରାଜ୍ୟରେ ସିଲିଣ୍ଡର ୪୫୦ ଟଙ୍କା ଏବଂ ସାରନା ଧର୍ମ କୋଡ ଦିଆଯିବ ବୋଲି କୁହାଯାଇଛି। ଆଜି ସନ୍ଧ୍ୟାରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ ଏହି ଘୋଷଣାପତ୍ରକୁ ଆନୁଷ୍ଠାନିକ ଭାବେ ଘୋଷଣା କରିଛନ୍ତି। କଂଗ୍ରେସ, ଜେଏମଏମ, ଆରଜେଡି ଏବଂ ସିପିଆଇ-ଏମ ମିଳିତ ଭାବେ ଝାଡ଼ଖଣ୍ଡର ରାଞ୍ଚିରେ ନିର୍ବାଚନୀ ଇସ୍ତାହାର ଜାରି କରି ଜନସାଧାରଣଙ୍କୁ ସାତୋଟି ପ୍ରମୁଖ ପ୍ରତିଶୃତି ଦେଇଛନ୍ତି। ଏହି ଅବସରରେ କଂଗ୍ରେସ ସଭାପତି ମଲ୍ଲିକାର୍ଜୁନ ଖଡଗେ, ମୁଖ୍ୟମନ୍ତ୍ରୀ ହେମନ୍ତ ସୋରେନ ଏବଂ ମେଣ୍ଟ ଦଳର ସମସ୍ତ ବଡ ନେତା ଉପସ୍ଥିତ ଥିଲେ।

I.N.D.I. ମେଣ୍ଟ ଝାଡ଼ଖଣ୍ଡ ବିଧାନସଭା ନିର୍ବାଚନ ୨୦୨୪ ସମ୍ବନ୍ଧରେ ଏହାର ନିର୍ବାଚନୀ ଇସ୍ତାହାରରେ ସାତୋଟି ପ୍ରମୁଖ ପ୍ରତିଶୃତି ଦେଇଛି। ଆସନ୍ତୁ ଜାଣିବା I.N.D.I.A.: ର ବଡ ପ୍ରତିଶୃତି କ’ଣ?

୧- ପ୍ରତି ମାସରେ ପ୍ରତି ବ୍ୟକ୍ତିକୁ ୭ କିଲୋଗ୍ରାମ ରାସନ, ୪୫୦ ଟଙ୍କାରେ LPG ସିଲିଣ୍ଡର।

୨- ସଂରକ୍ଷଣ ⁠ST ୨୮%, SC ୧୨%, OBC ୨୭%।

୩- ମହିଳାମାନଙ୍କୁ ମାସକୁ ୨୫୦୦ ଟଙ୍କା।

୪- ସାରନା ଧର୍ମ କୋଡ।

୫- ୧୦ ଲକ୍ଷ ସରକାରୀ ଚାକିରି, ୧୫ ଲକ୍ଷ ସ୍ୱାସ୍ଥ୍ୟ ବୀମା।

୬- MSP ଧାନ ୩୨୦୦/ କ୍ୱିଣ୍ଟାଲ୍।

୭- ପ୍ରତ୍ୟେକ ଜିଲ୍ଲାର ଗୋଟିଏ ଇଞ୍ଜିନିୟରିଂ କଲେଜ, ମେଡିକାଲ୍ କଲେଜ ଏବଂ ଗୋଟିଏ ବିଶ୍ୱବିଦ୍ୟାଳୟ।

କଂଗ୍ରେସ କେତେ ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି?:

ଝାଡ଼ଖଣ୍ଡରେ କଂଗ୍ରେସ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା (ଜେଏମଏମ) ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସହ ମିଳିତ ଭାବେ ନିର୍ବାଚନରେ ​​ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏଠାରେ ସମୁଦାୟ ୮୧ ଟି ବିଧାନସଭା ଆସନ ଅଛି, ସେଥିମଧ୍ୟରୁ କଂଗ୍ରେସ ୩୦ ଟି ଆସନରେ ପ୍ରାର୍ଥୀ କରିଥିବାବେଳେ ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ୪୦ ଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରୁଛି। ଏହା ସହିତ ଆରଜେଡି ସାତଟି ଆସନରେ ପ୍ରତିଦ୍ୱନ୍ଦିତା କରୁଛି।

Related posts