ଭୁବନେଶ୍ବର: ସାଧାରଣତଃ କାର୍ତ୍ତିକ ମାସରେ ଆକାଶ ଦୀପ ଲଗାଯାଇଥାଏ। ବିଶ୍ବାସ ରହିଛି ଏହି ଆକାଶ ଦୀପ ଲାଗିଲେ ନିଜ ଜ୍ଞାନର ଆଲୋକ ଜଳି ଉଠେ। ସେଥିପାଇଁ ଏହି ଦୀପ ଲଗାଯାଇଥାଏ। ଯହେତୁ କାର୍ତ୍ତିକ ମାସ ହେଉଛି ସବୁମାସଠାରୁ ଶ୍ରେଷ୍ଠ ମାସ, ସେଥିପାଇଁ ଏହି କାର୍ତ୍ତିକ ମାସରେ ଏହି ଆକାଶ ଦୀପ ଲଗାଯାଇଥାଏ।
ସାଧାରଣ ଦୀପଠାରୁ ଆକାଶ ଦୀପ ଭିନ୍ନ ପ୍ରକାରର ହୋଇଥାଏ। ଏକ ମାଟି ହାଣ୍ଡିର ଉପରି ଭାଗରେ କେତେକ ଛିଦ୍ର କରିବା ପରେ ସେଥିରେ ବାଲି ରଖାଯାଇଥାଏ। ଏହି ବାଲି ଉପରେ ଏକ ଦୀପ ରଖାଯାଇ ଅଗ୍ନି ସଂଯୋଗ କରାଯାଇଥାଏ। ଏହାପରେ ଏକ ମାଟି ଢାଙ୍କୁଣୀ ଦ୍ବାରା ଢଙ୍କଯାଇ ଶିକାରେ ରଖାଯାଏ।
ଏହି ଦୀପ ଶିକାକୁ ଏକ ଉଚ୍ଚ ବାଉଁଶରେ ବାନ୍ଧି ଉପରକୁ ଉଠାଯାଏ। ସାଧାରଣତଃ ପତାକା ବାନ୍ଧିବା ପରେ ଏହାକୁ ଏକ ରଶି ସାହାଯ୍ୟରେ ଉପରକୁ ଭିଡାଯାଏ। କାରଣ ପୁଣି ତେଲ ସରିଗଲେ ସେହି ରଶି ଦ୍ବାରା ଦୀପକୁ ତଳକୁ ଖସାଯାଇଥାଏ।
ଏହି ଆକାଶ ଦୀପ ପରଂପରା କାହିଁ କେଉଁ କାଳରୁ ପ୍ରଚଳିତ ହୋଇ ଆସୁଛି। ସଂଧ୍ୟାବେଳେ ବୟସ୍କା ମହିଳାମାନେ ଚଉଁରା ମୂଳେ ଏହି ଆକାଶ ଦୀପ ସ୍ଥାପନା କରିଥାନ୍ତି। ବିଶ୍ବାସ ରହିଛି ଯେ ଯାହାର ଆକାଶ ଦୀପ ଯେତେ ଉଚ୍ଚା ତାହାର ପୂଣ୍ୟର ମାତ୍ର ସେତେ ଅଧିକ ହେବ।
ଏଥିସହିତ ଆକାଶ ଦୀପର ଆଉ ଏକ କାରଣ ରହିଛି। ତାହା ହେଲା ମହାଳୟାକୁ ପୂର୍ବପୁରୁଷମାନେ ପୃଥିବୀକୁ ଆସିଥାନ୍ତି। ଆଉ ଦୀପାବଳି ଦିନ ଦିପରେ ଆଲୋକରେ ସେମାନେ ଫେରିଯାଆନ୍ତି। ସେଥିପାଇଁ ବହୁ ଉଚ୍ଚରେ ଏହି ଆକାଶ ଦୀପ ସେମାନଙ୍କୁ ବାଟ କଢାଇଥାଏ ବୋଲି ଏକ ବିଶ୍ବାସ ମଧ୍ୟ ରହିଛି।
ଅନେକ ପୁରା କାର୍ତ୍ତିକ ମାସ ସାରା ଏହି ଦୀପ ଲଗାଇଥାନ୍ତି। ହେଲେ କେତେକ ସ୍ଥାନରେ ଦୀପାବଳି ପରେ, କେତେକ ସ୍ଥାନରେ ଅଁଳା ନବମୀ ପରେ କରିଥାନ୍ତି। ହେଲେ ଅଧିକାଂଶ ପଞ୍ଚୁକ ପାଞ୍ଚଦିନ ଏହି ଆକାଶ ଦୀପ ସ୍ଥାପନ କରୁଥିବାର ପରିଲକ୍ଷିତ ହୋଇଛି।