ନୂଆଦିଲ୍ଲୀ: ୦୨୧-୨୨ ପାଇଁ ଜାତୀୟ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏନଏଚଏ) ତଥ୍ୟରେ ଏକ ସକାରାତ୍ମକ ଧାରା ପ୍ରକାଶିତ ହୋଇଛି । ଦେଶରେ ମୁଖ୍ୟତଃ ସରକାରୀ ପୁଞ୍ଜିନିବେଶ ବୃଦ୍ଧି ଏବଂ ଉନ୍ନତ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା କାରଣରୁ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ ହ୍ରାସ ପାଉଛି। ଏନ୍ଏଚ୍ଏ ତଥ୍ୟ ଅନୁଯାୟୀ, ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ଜିଡିପିର ପ୍ରତିଶତ ହିସାବରେ ସରକାରୀ ସ୍ୱାସ୍ଥ୍ୟ ଖର୍ଚ୍ଚ (ଜିଏଚ୍ଇ) ୧.୧୩%ରୁ ୧.୮୪%କୁ ବୃଦ୍ଧି ପାଇଛି। ଏହାବ୍ୟତୀତ, ସାମଗ୍ରିକ ସରକାରୀ ଖର୍ଚ୍ଚରେ ଜିଏଚଇର ଅଂଶ ୩.୯୪% ରୁ ୬.୧୨% କୁ ବୃଦ୍ଧି ପାଇଛି, ଯାହା ଜନସ୍ୱାସ୍ଥ୍ୟ ପ୍ରତି ଏକ ଦୃଢ଼ ପ୍ରତିବଦ୍ଧତାକୁ ପ୍ରତିଫଳିତ କରିଥାଏ । ଏହି ସମୟ ମଧ୍ୟରେ ମୁଣ୍ଡପିଛା ଚିକିତ୍ସା ଖର୍ଚ୍ଚ ୧୧୦୮ ଟଙ୍କାରୁ ତିନି ଗୁଣ ବୃଦ୍ଧି ପାଇ ୩୧୬୯ ଟଙ୍କାରେ ପହଞ୍ଚିଛି।
ଏହି ବୃଦ୍ଧି ଜରିଆରେ ସରକାର ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଭିତ୍ତିଭୂମିକୁ ସୁଦୃଢ଼ କରିପାରିଛନ୍ତି। ଜନସାଧାରଣଙ୍କ ପାଇଁ ସ୍ୱାସ୍ଥ୍ୟ ସହ ଜଡ଼ିତ ସେବାଗୁଡ଼ିକ ଅଧିକ ଶସ୍ତା ଏବଂ ସୁଲଭ ହୋଇଛି ଯାହା ଦ୍ୱାରା ସିଧାସଳଖ ଚିକିତ୍ସା ବାବଦ ଅତିରିକ୍ତ ପକେଟ୍ ଖର୍ଚ୍ଚ କମିଛି । କୋଭିଡ୍-୧୯ ମହାମାରୀ ମୁକାବିଲା ପାଇଁ ସରକାରଙ୍କ ପ୍ରତିକାରମୂଳକ ପଦକ୍ଷେପରେ ଏହି ପରିବର୍ତ୍ତନ ଉପରେ ଅଧିକ ଗୁରୁତ୍ୱାରୋପ କରାଯାଇଥିଲା। ଉଭୟ ତତ୍କାଳ ସ୍ୱାସ୍ଥ୍ୟ ଆବଶ୍ୟକତା ପୂରଣ ଏବଂ ଅଣ-ସଂକ୍ରାମକ ରୋଗ (ଏନସିଡି) ବୃଦ୍ଧିର ମୁକାବିଲା ଭଳି ଦୀର୍ଘମିଆଦୀ ସ୍ୱାସ୍ଥ୍ୟ ଆହ୍ୱାନକୁ ଲକ୍ଷ୍ୟ କରି ପୁଞ୍ଜି ନିବେଶ କରାଯାଇଥିଲା।
ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ)
ସ୍ୱାସ୍ଥ୍ୟ ସେବା ନିମନ୍ତେ ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ) ଅର୍ଥ ହେଉଛି ଡାକ୍ତରଙ୍କ ପରାମର୍ଶ ନେବା, ଔଷଧ ଏବଂ ଡାକ୍ତରଖାନାରେ ରହିବା ଭଳି ଚିକିତ୍ସା ସେବା ପାଇଁ ଲୋକମାନେ ସିଧାସଳଖ ନିଜ ପକେଟରୁ ଦେଉଥିବା ଅର୍ଥକୁ ବୁଝାଏ । ଭାରତରେ, ଉଚ୍ଚ ଓଓପିଇ ଦୀର୍ଘ ଦିନ ଧରି ଏକ ଗୁରୁତ୍ୱପୂର୍ଣ୍ଣ ଆହ୍ୱାନ ହୋଇ ରହିଆସିଛି, ବିଶେଷକରି ନିମ୍ନ ଆୟକାରୀ ପରିବାରମାନଙ୍କ ପାଇଁ ଏହା ବୋଝ ସଦୃଶ। କାରଣ ଏହା ଅନେକଙ୍କୁ ସେମାନଙ୍କ ରୋଜଗାର କିମ୍ବା ସଞ୍ଚୟର ଏକ ବଡ଼ ଅଂଶ ସ୍ୱାସ୍ଥ୍ୟସେବାରେ ଖର୍ଚ୍ଚ କରିବାକୁ ବାଧ୍ୟ କରେ । ଏହି ଆର୍ଥିକ ବୋଝ ପରିବାରଗୁଡ଼ିକୁ ଦାରିଦ୍ର୍ୟ ଭିତରକୁ ଠେଲି ଦେଇପାରେ, ଋଣ ସୃଷ୍ଟି କରିପାରେ ଏବଂ ସେମାନଙ୍କ ପାଇଁ ଖାଦ୍ୟ ଓ ଶିକ୍ଷା ଭଳି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ କିଣିବା କଷ୍ଟସାଧ୍ୟ କରିପାରେ । ଉଚ୍ଚ ଓଓପିଇ ଲୋକମାନଙ୍କୁ ଠିକ୍ ସମୟରେ ଚିକିତ୍ସା ସହାୟତା ନେବାକୁ ନିରୁତ୍ସାହିତ କରିଥାଏ, ଯାହା ଦୀର୍ଘକାଳୀନ ଭାବରେ ଖରାପ ସ୍ୱାସ୍ଥ୍ୟାବସ୍ଥା ଏବଂ ଅଧିକ ଚିକିତ୍ସା ଖର୍ଚ୍ଚର କାରଣ ହୋଇପାରେ । ଏହି ସବୁ ସମସ୍ୟାକୁ ସ୍ୱୀକାର କରି ଭାରତ ସରକାର ଓଓପିଇ କୁ ହ୍ରାସ କରିବା ପାଇଁ ସାର୍ବଜନୀନ ସ୍ୱାସ୍ଥ୍ୟସେବା ଓ ସ୍ୱାସ୍ଥ୍ୟ ବୀମା ଯୋଜନାରେ ନିଜର ପୁଞ୍ଜିନିବେଶ ବଢ଼ାଉଛନ୍ତି । ସ୍ୱାସ୍ଥ୍ୟସେବାକୁ ଅଧିକ ଶସ୍ତା ଓ ସୁଲଭ କରିବା, ପରିବାରଗୁଡ଼ିକୁ ଆର୍ଥିକ ଅସୁବିଧାରୁ ଦୂରେଇ ରହିବାରେ ସାହାଯ୍ୟ କରିବା ଏବଂ ସାମଗ୍ରିକ ଭାବରେ ଏକ ସୁସ୍ଥ ଜନସଂଖ୍ୟାକୁ ସମର୍ଥନ କରିବା ଏହି ପ୍ରୟାସର ଲକ୍ଷ୍ୟ।
ଚିକିତ୍ସା ବାବଦରେ ଅତିରିକ୍ତ ପକେଟ୍ ଖର୍ଚ୍ଚ (ଓଓପିଇ) ହ୍ରାସର କାରଣ
ସରକାରୀ ସ୍ୱାସ୍ଥ୍ୟ ବ୍ୟୟ (ଜିଏଚଇ) ବୃଦ୍ଧି ପାଇବା : ୨୦୧୪-୧୫ରୁ ୨୦୨୧-୨୨ ମଧ୍ୟରେ ସ୍ୱାସ୍ଥ୍ୟ ଖର୍ଚ୍ଚରେ ସରକାରଙ୍କ ଯୋଗଦାନ ଜିଡିପିର ୧.୧୩%ରୁ ୧.୮୪% କୁ ବୃଦ୍ଧି ପାଇଛି, ଯାହା ଦ୍ୱାରା ସାର୍ବଜନୀନ ସ୍ୱାସ୍ଥ୍ୟସେବା ସୁବିଧା ଏବଂ ସେବା ବୃଦ୍ଧି ହୋଇପାରିଛି । ଏହି ବୃଦ୍ଧି ସ୍ୱାସ୍ଥ୍ୟସେବାକୁ ଅଧିକ ଶସ୍ତା ଏବଂ ସୁଲଭ କରିଥାଏ, ଯାହା ବ୍ୟକ୍ତିବିଶେଷଙ୍କ ପକେଟରୁ ଅତିରିକ୍ତ ଖର୍ଚ୍ଚର ଆବଶ୍ୟକତାକୁ ହ୍ରାସ କରିଥାଏ (ଏନଏଚଏ ୨୦୨୧-୨୨)।
ସାମାଜିକ ସୁରକ୍ଷା ବ୍ୟୟ (ଏସଏସଇ)ର ସମ୍ପ୍ରସାରଣ: ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ବୀମା ଏବଂ ସାମାଜିକ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ସମେତ ସ୍ୱାସ୍ଥ୍ୟସେବା ଉପରେ ସାମାଜିକ ସୁରକ୍ଷା ବ୍ୟୟ ୨୦୧୪-୧୫ରେ ମୋଟ ସ୍ୱାସ୍ଥ୍ୟ ବ୍ୟୟର ୫.୭% ଥିବାବେଳେ ୨୦୨୧-୨୨ରେ ଏହା ୮.୭% କୁ ବୃଦ୍ଧି ପାଇଛି । ଏହି ସମ୍ପ୍ରସାରଣ ବ୍ୟକ୍ତିବିଶେଷଙ୍କୁ ଅକସ୍ମାତ ସ୍ୱାସ୍ଥ୍ୟ ଖର୍ଚ୍ଚରୁ ରକ୍ଷା କରିଥାଏ ଏବଂ ସେମାନଙ୍କର ଓଓପିଇ (ଏନଏଚ୍ଏ ୨୦୨୧-୨୨) ହ୍ରାସ କରିଥାଏ ।
ସରକାରୀ ଅନୁଦାନପ୍ରାପ୍ତ ବୀମା ଯୋଜନାର ଅଭିବୃଦ୍ଧି: ଆୟୁଷ୍ମାନ ଭାରତ ଭଳି କାର୍ଯ୍ୟକ୍ରମ ସହିତ ବିଭିନ୍ନ ରାଜ୍ୟସ୍ତରୀୟ ସ୍ୱାସ୍ଥ୍ୟ ବୀମା ଯୋଜନା ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କୁ ବୀମା କଭରେଜ୍ ପ୍ରଦାନ କରିଛି। ଏହା ସ୍ୱାସ୍ଥ୍ୟସେବା ପାଇଁ ବ୍ୟକ୍ତିଗତ ଆର୍ଥିକ ବ୍ୟୟ ଉପରେ ସେମାନଙ୍କର ନିର୍ଭରଶୀଳତାକୁ ହ୍ରାସ କରିଥାଏ ଯାହାକି ଓଓପିଇ (ଏନଏଚଏ ୨୦୨୧-୨୨)ରେ ହ୍ରାସରେ ଯୋଗଦାନ କରିଥାଏ।
ସାର୍ବଜନୀନ ସ୍ୱାସ୍ଥ୍ୟ ଭିତ୍ତିଭୂମି ଏବଂ ଶ୍ରମଶକ୍ତି ଉପରେ ଗୁରୁତ୍ୱ : ଜନସ୍ୱାସ୍ଥ୍ୟ ଭିତ୍ତିଭୂମିରେ ପୁଞ୍ଜିନିବେଶ ବୃଦ୍ଧି, ସ୍ୱାସ୍ଥ୍ୟକର୍ମୀଙ୍କ ପ୍ରଶିକ୍ଷଣ ଏବଂ ସ୍ୱାସ୍ଥ୍ୟସେବା ସୁବିଧାର ବିକାଶ, ବିଶେଷକରି ଗ୍ରାମୀଣ ଓ ଅବହେଳିତ ଅଞ୍ଚଳରେ ସେବା ଉପଲବ୍ଧତା ଓ ସାମର୍ଥ୍ୟରେ ଉନ୍ନତି ଆଣିବା କାରଣରୁ ଓଓପିଇ ବୋଝ (ଏନଏଚ୍ଏ ୨୦୨୧-୨୨) ହ୍ରାସ ପାଇଛି ।
ଅଣ ସଂକ୍ରାମକ ରୋଗ ପାଇଁ ଲକ୍ଷ୍ୟବଦ୍ଧ (ଏନସିଡି) କାର୍ଯ୍ୟକ୍ରମ : ଏନସିଡିର ସଂଖ୍ୟା ବୃଦ୍ଧି ସହିତ, ସରକାର ଏହି ଦୀର୍ଘମିଆଦୀ ଅସୁସ୍ଥତାର ପରିଚାଳନା ଓ ପ୍ରତିରୋଧ ପାଇଁ ଲକ୍ଷ୍ୟ ଆଧାରିତ କାର୍ଯ୍ୟକ୍ରମ ଆରମ୍ଭ କରିଛନ୍ତି। ରୋଗୀଙ୍କ ଉପରେ ଏପରି ଚିକିତ୍ସା ସେବା ପାଇଁ ବ୍ୟକ୍ତିଗତ ଭାବରେ ପଇଠ ହେଉଥିବା ଖର୍ଚ୍ଚ ବୋଝ ହ୍ରାସ (ଏନଏଚଏ ୨୦୨୧-୨୨) ପାଇଛି।
କୋଭିଡ୍–୧୯ ମୁକାବିଲା ଏବଂ ଦୀର୍ଘମିଆଦୀ ସ୍ୱାସ୍ଥ୍ୟ ରଣନୀତି: ମହାମାରୀ ଏକ ଦୃଢ଼ ସ୍ୱାସ୍ଥ୍ୟ ସେବା ବ୍ୟବସ୍ଥାର ଆବଶ୍ୟକତା ଉପରେ ଆଲୋକପାତ କରିଥିଲା, ଯାହା ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ଅଧିକ ପୁଞ୍ଜିନିବେଶକୁ ଆଗେଇ ନେଇଥିଲା। ଏହାର ମୁକାବିଲା ପାଇଁ ସରକାରୀ ସ୍ତରରେ ପଦକ୍ଷେପ ଏକ ତତ୍କାଳ ଆବଶ୍ୟକତାକୁ ପୂରଣ କରିବା ସହିତ, ସୁଲଭ ସ୍ୱାସ୍ଥ୍ୟସେବା ବିକଳ୍ପ ପାଇଁ ଏକ ଭିତ୍ତିଭୂମି ସ୍ଥାପନ କରିଛି ଯାହା ଦୀର୍ଘକାଳୀନ ଭାବରେ ଓଓପିଇକୁ ହ୍ରାସ କରିବା ଜାରି ରଖିଛି (ଏନଏଚଏ ୨୦୨୧-୨୨)।
ଭାରତର ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପାଇଁ ଓଓପିଇ ହ୍ରାସର ପ୍ରଭାବ
ଉନ୍ନତ ସ୍ୱାସ୍ଥ୍ୟସେବା ଉପଲବ୍ଧତା: ଓଓପିଇ ହ୍ରାସ ସ୍ୱାସ୍ଥ୍ୟସେବାକୁ ଅଧିକ ସୁଲଭ କରିଛି। ଏହା ବିଶେଷକରି ଗ୍ରାମାଞ୍ଚଳର ବ୍ୟକ୍ତିବିଶେଷଙ୍କୁ ବିନା ଆର୍ଥିକ ଚିନ୍ତାରେ ଚିକିତ୍ସା ସେବା ପାଇବାକୁ ଉତ୍ସାହିତ କରୁଛି । ଫଳରେ ବିଭିନ୍ନ ସାମାଜିକ-ଆର୍ଥିକ ଗୋଷ୍ଠୀ (ଏନ୍ଏଚ୍ଏ ୨୦୨୧-୨୨)ରେ ସ୍ୱାସ୍ଥ୍ୟସେବାର ଅଧିକ ସମାନ ଉପଲବ୍ଧତା ହୋଇପାରୁଛି।
ସୁଦୃଢ଼ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା: ଓଓପିଇ ହ୍ରାସ ଏକ ବିସ୍ତୃତ ଜନସଂଖ୍ୟା ପାଇଁ ଭିତ୍ତିଭୂମି ଆବଶ୍ୟକତାକୁ ପୂରଣ କରିବା, ସ୍ୱାସ୍ଥ୍ୟସେବା ସମ୍ବଳକୁ ଅଧିକ ସମାନ ଭାବରେ ବଣ୍ଟନ କରିବା ଏବଂ ବର୍ଦ୍ଧିତ ଚାହିଦାକୁ ପରିଚାଳନା କରିବା ପାଇଁ ସାମଗ୍ରିକ ବ୍ୟବସ୍ଥାକୁ ସୁଦୃଢ଼ କରିବା ନିମନ୍ତେ ସାର୍ବଜନୀନ ସ୍ୱାସ୍ଥ୍ୟସେବା ବ୍ୟବସ୍ଥାକୁ ସକ୍ଷମ ହୋଇପାରିଛି ।
ଉତ୍ତମ ସ୍ୱାସ୍ଥ୍ୟ ପରିଣାମ ଏବଂ ରୋଗ ନିରାକରଣ: ଯେହେତୁ ବ୍ୟକ୍ତିବିଶେଷମାନେ ପ୍ରତିଷେଧକ ଚିକିତ୍ସା ବହନ କରିପାରନ୍ତି, ସେମାନେ ଚିକିତ୍ସାରେ ବିଳମ୍ବ କରିବାର ସମ୍ଭାବନା କମ୍ ଥାଏ । ଏହି ସକ୍ରିୟ ଆଭିମୁଖ୍ୟ ରୋଗର ଗମ୍ଭୀରତାକୁ ହ୍ରାସ କରିପାରେ, ସ୍ୱାସ୍ଥ୍ୟ ଫଳାଫଳରେ ଉନ୍ନତି ଆଣିପାରେ ଏବଂ ସ୍ୱାସ୍ଥ୍ୟ ପ୍ରଣାଳୀ ଉପରେ ସାମଗ୍ରିକ ସ୍ୱାସ୍ଥ୍ୟସେବା ବୋଝକୁ ସମ୍ଭାବ୍ୟ ଭାବରେ ହ୍ରାସ କରିପାରେ (ଏନ୍ଏଚ୍ଏ ୨୦୨୧-୨୨)।
ପାରିବାରିକ ଆର୍ଥିକ ସ୍ଥିରତା ବୃଦ୍ଧି: ଚିକିତ୍ସା ବାବଦରେ ପାରିବାରିକ ଆୟରୁ କମ୍ ଖର୍ଚ୍ଚ ହେଉଥିବା କାରଣରୁ ଅଧିକାଂଶ ପରିବାର, ବିଶେଷକରି ଆର୍ଥିକ ଦୁର୍ବଳ ଶ୍ରେଣୀର ଲୋକମାନେ ସେମାନଙ୍କର ଆର୍ଥିକ ସ୍ଥିରତାରେ ଉନ୍ନତି ଆଣି ଅନ୍ୟାନ୍ୟ ଅତ୍ୟାବଶ୍ୟକ ସାମଗ୍ରୀ ପାଇଁ ନିଜ ପାଣ୍ଠି ବିନିଯୋଗ କରିବାକୁ ସକ୍ଷମ ହୋଇପାରିବେ (ଏନଏଚଏ ୨୦୨୧-୨୨)।
ସ୍ୱାସ୍ଥ୍ୟସେବାରେ କର୍ମଚାରୀଙ୍କ ଅଂଶଗ୍ରହଣ ପାଇଁ ପ୍ରୋତ୍ସାହନ: ଉନ୍ନତ ସରକାରୀ ପାଣ୍ଠି ସହିତ, ସ୍ୱାସ୍ଥ୍ୟସେବା କେନ୍ଦ୍ରଗୁଡ଼ିକ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଏବଂ ପ୍ରଶିକ୍ଷଣ ଦେଇପାରିବେ, ଯାହା ବିଶେଷକରି ଅବହେଳିତ ଅଞ୍ଚଳରେ ସେବା ପ୍ରଦାନରେ ଉନ୍ନତି ଆଣିଥାଏ । ଉଭୟ ନିୟମିତ ଏବଂ ଜରୁରୀକାଳୀନ ସ୍ୱାସ୍ଥ୍ୟ ଆବଶ୍ୟକତାକୁ ମୁକାବିଲା କରିବା ପାଇଁ ପ୍ରଶିକ୍ଷିତ କର୍ମଚାରୀ ଗୁରୁତ୍ୱପୂର୍ଣ୍ଣ (ଏନଏଚଏ ୨୦୨୧-୨୨)।
ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ପାଇଁ ପ୍ରୋତ୍ସାହନ: ଓଓପିଇର ହ୍ରାସ ଏବଂ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ପାଣ୍ଠିକୁ ସୁଦୃଢ କରିବା ସାର୍ବଜନୀନ ସ୍ୱାସ୍ଥ୍ୟ ପ୍ରସାର ନିମନ୍ତେ ଭାରତର ଦୀର୍ଘମିଆଦୀ ଲକ୍ଷ୍ୟ ସହିତ ସମନ୍ୱିତ ରହିଛି । ନିରନ୍ତର ପୁଞ୍ଜିନିବେଶ ସହିତ, ଦେଶ ଏପରି ଏକ ବ୍ୟବସ୍ଥାର ନିକଟତର ହୋଇଛି ଯେଉଁଠାରେ ସ୍ୱାସ୍ଥ୍ୟସେବା ଉପଲବ୍ଧତା ଏକ ସୁବିଧା ପରିବର୍ତ୍ତେ ଏକ ଅଧିକାର ପାଲଟିଛି (ଏନଏଚଏ ୨୦୨୧-୨୨) ।
ଓଓପିଇ ହ୍ରାସ ଏକ ରୂପାନ୍ତରଣକାରୀ ପରିବର୍ତ୍ତନ, ଯାହା ଏକ ଅଧିକ ସମାବେଶୀ ସ୍ୱାସ୍ଥ୍ୟସେବା ବ୍ୟବସ୍ଥା ପ୍ରତି ଭାରତର ପ୍ରତିବଦ୍ଧତାକୁ ଚିହ୍ନିତ କରିଥାଏ। ଯେହେତୁ ସରକାର ସ୍ୱାସ୍ଥ୍ୟସେବାରେ ପୁଞ୍ଜିନିବେଶ ଜାରି ରଖିଛନ୍ତି, ଭବିଷ୍ୟତରେ ସାର୍ବଜନୀନ ସ୍ୱାସ୍ଥ୍ୟ ସେବା ଅଧିକ ପ୍ରସାରିତ ହେବାର ସମ୍ଭାବନା ରହିଛି ଯେଉଁଠାରେ ଆୟ ନିର୍ବିଶେଷରେ ସମସ୍ତେ ଗୁଣାତ୍ମକ ଚିକିତ୍ସା ସେବା ପାଇପାରିବେ। ଏହି ପରିବର୍ତ୍ତନ କେବଳ ଆର୍ଥିକ ରିହାତି ଆଣିବ ନାହିଁ ବରଂ ଭାରତର ଜନସ୍ୱାସ୍ଥ୍ୟ କ୍ଷେତ୍ରରେ ସ୍ଥିରତାକୁ ମଧ୍ୟ ବୃଦ୍ଧି କରିବ। ଏଥିସହିତ ଏକ ସୁସ୍ଥ ଏବଂ ଆର୍ଥିକ ସ୍ତରରେ ଅଧିକ ସ୍ଥିର ଜନସଂଖ୍ୟାକୁ ପ୍ରୋତ୍ସାହିତ କରିବ।
ଆୟୁଷ୍ମାନ ଭାରତ ଭଳି କାର୍ଯ୍ୟକ୍ରମ ଏବଂ ବିଭିନ୍ନ ରାଜ୍ୟସ୍ତରୀୟ ବୀମା ଯୋଜନା ଅର୍ଥନୈତିକ ଦୃଷ୍ଟିରୁ ଦୁର୍ବଳ ଲୋକଙ୍କ ପାଇଁ ସ୍ୱାସ୍ଥ୍ୟସେବାକୁ ଅଧିକ ଉପଲବ୍ଧ କରିଛି। ବ୍ୟକ୍ତିଗତ ସଞ୍ଚୟରୁ ଖର୍ଚ୍ଚ ନ କରି ବ୍ୟକ୍ତିବିଶେଷଙ୍କୁ ଚିକିତ୍ସା ସେବା ପାଇବାରେ ସକ୍ଷମ କରିବାରେ ଏହି ପଦକ୍ଷେପଗୁଡ଼ିକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଛି, ଯାହାକି ଓଓପିଇର ସାମଗ୍ରିକ ହ୍ରାସରେ ଉଲ୍ଲେଖନୀୟ ଯୋଗଦାନ ଦେଇଛି।