
ଭୁବନେଶ୍ୱର: ଭୁବନେଶ୍ୱରସ୍ଥିତ କନଭେନସନ୍ ସେଣ୍ଟର୍ ଠାରେ ଆୟୋଜିତ ଅନ୍ତର୍ଜାତୀୟ ଶ୍ରୀ ଅନ୍ନ ଓ ବିସ୍ମୃତ ଖାଦ୍ୟ ସମ୍ମିଳନୀ- ୨୦୨୪ର ଦ୍ୱିତୀୟ ତଥା ଉଦଯାପନୀ ଦିବସର ଏକ ସମ୍ପାନରେ ଆଜି ‘ପୁଷ୍ଟିଶସ୍ୟ ସେବା କେନ୍ଦ୍ରର ସ୍ଥାୟିତ୍ଵ ପାଇଁ ଦୀର୍ଘମିଆଦି ଆଭିମୁଖ୍ୟ’ ଶୀର୍ଷକ ଆଲୋଚନା କରାଯାଇଥିଲା।
ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ, ପରିଚାଳନା ନିର୍ଦ୍ଦେଶକ, ଆପିକଲଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ସମ୍ପାନରେ ଅଂଶଗ୍ରହଣକାରୀମାନେ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକୁ ସ୍ଥାୟୀରୂପେ କାର୍ଯ୍ୟଶୀଳ କରାଯିବା ପାଇଁ ଆବଶ୍ୟକୀୟ ଦୀର୍ଘମିଆଦୀ ପଦକ୍ଷେପଗୁଡିକ ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।
ସମ୍ପାନର ପ୍ରାରମ୍ଭରେ ଅଧ୍ୟକ୍ଷ ଶ୍ରୀ ପ୍ରେମ ଚନ୍ଦ୍ର ଚୌଧୁରୀ ପୁଷ୍ଟିଶସ୍ୟ ସେବା କେନ୍ଦ୍ର ଗୁଡିକର କାର୍ଯ୍ୟକାରିତା ଓ ତାହା ଦ୍ୱାରା ଏଫପିଓ ମାନଙ୍କ ପାଇଁ ସୁଯୋଗ ସୃଷ୍ଟି ବିଷୟରେ ଆଲୋଚନା କରିଥିଲେ। ବିଶେଷଜ୍ଞ ବକ୍ତା ଶ୍ରୀ ଭାବେଶ କୁମାର ନାୟକ, ପରିଚାଳନା ନିର୍ଦ୍ଦେଶକ, ଓଏସ୍ଏସସି ପ୍ରାଥମିକ ବିହନ ପ୍ରକ୍ରିୟାକରଣର ସୁଯୋଗ ଓ ଆହ୍ୱାନଗୁଡିକ ବିଷୟରେ ଆଲୋଚନା କରିଥିଲେ। ସେହିଭଳି ଭାବରେ ଡକ୍ଟର କେ ଶ୍ରୀନିବାସ ବାବୁ, ପ୍ରମୁଖ ବୈଜ୍ଞାନିକ, ଆଇସିଏଆର-ଆଇଆଇଏମଆର ପୁଷ୍ଟିଶସ୍ୟ ବିହନ ପ୍ରକ୍ରିୟାକରଣ ପାଇଁ ଆବଶ୍ୟକୀୟ ଯନ୍ତ୍ରପାତିର ବ୍ୟବହାର ବିଷୟରେ ବିସ୍ତୃତ ଆଲୋଚନା କରିଥିଲେ।