ସମୀକ୍ଷା ବ୍ୟୁରୋ
ପାଟକୁରା ନିର୍ବାଚନରେ ବିଜେପି ନିଶ୍ଚିତ ଜିତିବ, ସେଥିପାଇଁ ଦଳ ତରଫରୁ ନିଜସ୍ବ ଢଙ୍ଗରେ ରଣନୀତି ପ୍ରସ୍ତୁତ କରାଯାଉଛି। ଆଜି ଭୁବନେଶ୍ବରରେ ପହଁଚିବା ପରେ ଏହା କହିଛନ୍ତି କେନ୍ଦ୍ର ପ୍ରାକୃତିକ ଗ୍ୟାସ ଓ ପେଟ୍ରୋଲିୟମ ଏବଂ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। କେନ୍ଦ୍ର ବଜେଟ ସଂପର୍କରେ ସେ କହିଛନ୍ତି ଯେ, ଯେଉଁମାନେ କହୁଛନ୍ତି ଓଡିଶାର କିଛି ଲାଭ ହେବ ନାହିଁ ତାହା ଭୁଲ। ଏ ପର୍ଯ୍ୟନ୍ତ ବଜେଟର ପୂର୍ଣ୍ଣ ରୂପରେଖ ଆସି ନାହିଁ। ପବ୍ଲିକ ଡୋମେନର ମଧ୍ୟ ଦିଆଯାଇ ନାହିଁ। ସେସବୁ ଆସିଲେ ଓଡିଶାର କେତେ ଲାଭ ହେବ ତାହା ଜଣାପଡିବ ବୋଲି ଧର୍ମେନ୍ଦ୍ର କହିଛନ୍ତି। କେନ୍ଦ୍ର ବଜେଟକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିବା ପ୍ରଶ୍ନର ଉତ୍ତର ଦେଇ ସେ କହିଛନ୍ତି ଯେ, ରାଜନୀତି ତା ବାଟରେ ଯିବ ହେଲେ ଯାହା ସତ ତାହାକୁ ମୁଖ୍ୟମନ୍ତ୍ରୀ ପ୍ରସଂଶା କରିବା ସ୍ବାଗତ ଯୋଗ୍ୟ। ସେହିପରି ପେଟ୍ରୋଲ ଦର ବୃଦ୍ଧି ସଂପର୍କରେ ସେ କହିଛନ୍ତି ବର୍ତ୍ତମାନ ଆନ୍ତର୍ଜାତୀୟ ବଜାରରେ ଅଶୋଧିତ ତୈଳ ଦର କମ ଅଛି, ହେଲେ ଦେଶର ବିକାଶ ପାଇଁ ପେଟ୍ରୋଲ ଉପରେ ଟିକସ ବସାଯାଇଛି। ଏହାଦ୍ବାରା ଦେଶର ସାଧାରଣ ଲୋକେ ଉପକୃତ ହେବେ ବୋଲି ଧର୍ମେନ୍ଦ୍ର କହିଛନ୍ତି।