ନବୀନ ସରକାର ମନ୍ତ୍ରୀମାନଙ୍କ ପାଇଁ ଆଜି ପୂରୁଛି ଏକମାସ ସମୟ । ଏହା ପୂର୍ବରୁ ବିଭିନ୍ନ ବିଭାଗର ମନ୍ତ୍ରୀ ମୁଖ୍ୟମନ୍ତ୍ରୀଙ୍କୁ ରିପୋର୍ଟ କାର୍ଡ ଦେଇଛନ୍ତି । ଇସ୍ତାହାରରେ ଲୋକଙ୍କୁ ଦିଆଯାଇଥିବା ପ୍ରତିଶ୍ରୁତି ମୁତାବକ, କେଉଁ ବିଭାଗରେ କେଉଁ କାମକୁ ପ୍ରାଥମିକତା ଦିଆଯିବ ସେ ନେଇ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛନ୍ତି ଅନେକ ମନ୍ତ୍ରୀ ।କିଛି ମନ୍ତ୍ରୀ କାମ ଆରମ୍ଭ ବି କରିଛନ୍ତି । ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସଦସ୍ୟଙ୍କୁ କିପରି ପର୍ଯ୍ୟଟନ ଶିଳ୍ପରେ ସାମିଲ କରାଯାଇପାରିବ, ସେ ନେଇ ବିଭାଗ ପ୍ରସ୍ତୁତ କରିଥିବା ରୋଡମ୍ୟାପ୍ ଶନିବାର ପର୍ଯ୍ୟଟନ ଓ ସଂସ୍କୃତି ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ସେହିପରି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାସ ମଧ୍ୟ ନିଜ ବିଭାଗରେ ନେଇଥିବା ନୂଆ ପଦକ୍ଷେପ ନେଇ ମୁଖ୍ୟମନ୍ତ୍ରୀଙ୍କୁ ଅବଗତ କରିଛନ୍ତି। ପଞ୍ଚମ ଓ ଅଷ୍ଟମ ଶ୍ରେଣୀରେ ପରୀକ୍ଷା ଓ ପାସ୍ ଫେଲ ବ୍ୟବସ୍ଥା ସହ ଇଂରାଜୀ ଶିକ୍ଷକ ନିଯୁକ୍ତି ନେଇ ବିଭାଗ କସରତ ଆରମ୍ଭ କରିଥିବା ମୁଖ୍ୟମନ୍ତ୍ରୀଙ୍କୁ ଜଣାଇଛନ୍ତି ।