ଭୁବନେଶ୍ୱରରେ ଇଣ୍ଡିଆନ ଇନଷ୍ଟିଚ୍ୟୁଟ୍ ଅଫ୍ ଫରେନ ଟ୍ରେଡ୍ (ଆଇଆଇଏଫ୍ଟି) ସ୍ଥାପନ ପାଇଁ ରାଜ୍ୟ ସରକାର ମାଗଣାରେ 5 ଏକର ଜମି ଯୋଗାଇ ଦେବାକୁ ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଅନୁରୋଧ କରିଛନ୍ତି । ଏଥିସହ ଭିତ୍ତିଭୂମିର ବିକାଶ ଲାଗି 5 କୋଟି ଟଙ୍କାର ବ୍ୟବସ୍ଥା କରିବାକୁ ମଧ୍ୟ ସେ ଉଲ୍ଲେଖ କରିଛନ୍ତି । ଏନେଇ ଗତ 3 ତାରିଖରେ ସେ କେନ୍ଦ୍ର ମନ୍ତ୍ରୀ ପୀୟୂଷ ଗୋଏଲ ସହ ଆଲୋଚନା କରିଥିବା ଟ୍ୱିଟ୍ ଯୋଗେ ସୂଚନା ଦେଇଛନ୍ତି । ରାଜ୍ୟ ସରକାର ତୁରନ୍ତ ଏ ଦିଗରେ ପଦକ୍ଷେପ ନେବାକୁ ଅପରାଜିତା ଅନୁରୋଧ କରିଛନ୍ତି । ଏହି ଶିକ୍ଷାନୁଷ୍ଠାନ ଖୋଲିଲେ ରାଜ୍ୟରେ ଶିକ୍ଷାର ବିକାଶ ହେବାସହ ରୋଜଗାର ସୁବିଧା ବଢିବ ବୋଲି ଅପରାଜିତା କହିଛନ୍ତି ।