ରଥଯାତ୍ରା ଠାରୁ ପାଞ୍ଚଦିନ ଅର୍ଥାତ ଆଷାଢ଼ ଶୁକ୍ଳ ପଞ୍ଚମୀ ଦିନକୁ ହେରାପଞ୍ଚମୀ କୁହାଯାଏ । ରଥଯାତ୍ରାରେ ଜଗନ୍ନାଥ ଭାଇ ଭଉଣୀଙ୍କୁ ସାଙ୍ଗରେ ନେଇ ଗୁଣ୍ଡିଚା ମନ୍ଦିର ଯାଇଥିବାବେଳେ ପତ୍ନୀ ଶ୍ରୀଲକ୍ଷ୍ମୀ ସାଆନ୍ତାଣୀଙ୍କୁ ବଡ଼ ଦେଉଳରେ ଛାଡ଼ି ଦେଇଆସିଛନ୍ତି । ହେଲେ ୯ ଦିନର ଯାତ୍ରା ନ ସରିବା ପର୍ଯ୍ୟନ୍ତ ମହାପ୍ରଭୁ ଶ୍ରୀମନ୍ଦିର ଫେରିବେ ନାହିଁ ବୋଲି କହନ୍ତି। ଏଥିରେ ରାଗିଯାଇ ଫେରିଲା ବେଳେ ମହାପ୍ରଭୁଙ୍କ ରଥ ଭାଙ୍ଗି ଦେଇଯାନ୍ତି ଅଭିମାନିନୀ ଲକ୍ଷ୍ମୀ ଠାକୁରାଣୀ। ଏହି ପରମ୍ପରାକୁ ହେରାପଞ୍ଚମୀ କୁହାଯାଏ। ସୋମବାର ପାଳିତ ହେବ ଏହି ନୀତି। ଶ୍ରୀମନ୍ଦିରରୁ ଶ୍ରୀଦେବୀ ଆସିବେ ଗୁଣ୍ଡିଚା ମନ୍ଦିର। ଏଥିଲାଗି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ନୀତି ନିର୍ଘଣ୍ଟ ହୋଇଛି। ଭୋର ୪ଟାରେ ଦ୍ୱାର ଫିଟା ଯାଇ ୫ଟା ସୁଦ୍ଧା ମଙ୍ଗଳ ଆଳତି ବଢିବ। ମଇଲମ, ତଡ଼ପଲାଗି ନୀତି ବଢି ସକାଳ ୬ଟାରେ ଅବକାଶ ନୀତି ସମ୍ପନ୍ନ ହେବ। ସକାଳ ୬ଟା ୩୦ରୁ ୭ଟା ୩୦ ପର୍ଯ୍ୟନ୍ତ ସାହାଣମେଲା ଦର୍ଶନ ପରେ ରୋଷହୋମ, ସୂର୍ଯ୍ୟପୂଜା, ଦ୍ୱାରପାଳ ପୂଜା ହୋଇ ଠାକୁରଙ୍କ ବେଶ ବଢ଼ିବ। ପୂର୍ବାହ୍ନ ୧୦ଟାରୁ ୧୧ଟା ୩୦ ମଧ୍ୟରେ ସକାଳ ଧୂପ ଏବଂ ମଧ୍ୟାହ୍ନ ୧୨ଟା ୩୦ ସୁଦ୍ଧା ଭୋଗ ମଣ୍ଡପ ବଢ଼ିବ। ଏହାପରେ ମହାପ୍ରଭୁଙ୍କ ମଇଲମ, ଯାତ୍ରାଙ୍ଗୀ ମହାସ୍ନାନ, ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ବେଶ ହେବ। ଅପରାହ୍ନ ୩ଟାରୁ ୪ଟା ୩୦ ମଧ୍ୟରେ ମଧ୍ୟାହ୍ନ ଧୂପ ନୀତି ବଢ଼ି ଅପରାହ୍ନ ୫ଟା ୩୦ ସୁଦ୍ଧା ଦ୍ୱିତୀୟ ଭୋଗ ମଣ୍ଡପ ବଢିବ। ଏହାପରେ ମଇଲମ, ସନ୍ଧ୍ୟା ଆଳତି, ମହାପ୍ରଭୁଙ୍କ ବାଡ଼ରେ ମହାସ୍ନାନ, ତିନିବାଡ଼ରେ ଘଣ୍ଟଛତା ସର୍ବାଙ୍ଗ, ନୂଆଲୁଗା ଲାଗି ଏବଂ ଅଳଙ୍କାର ଲାଗି ହୋଇ ଠାକୁରଙ୍କ ବେଶ ହେବ। ପରେ ସନ୍ଧ୍ୟାଧୂପ ହେବ। ସନ୍ଧ୍ୟାଧୂପ ପୂଜା ବସିଥିବାବେଳେ ରଥ ନିକଟରେ ନୀତି ସାରି ଶ୍ରୀଦେବୀ ଜଗମୋହନକୁ ବିଜେ କରିବେ।
ଆଜି ପବିତ୍ର ହେରାପଞ୍ଚମୀ : ଅଭିମାନିନୀ ମହାଲକ୍ଷ୍ମୀ ଭାଙ୍ଗିବେ ନନ୍ଦିଘୋଷ
Published:
Jul 8, 2019, 12:31 pm IST
Tags: