Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଯକ୍ଷ୍ମା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଶହେ ଦିନିଆ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ
ଆଜିର ଖବର

ଯକ୍ଷ୍ମା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା କମାଇବା ଲାଗି ଶହେ ଦିନିଆ ଅଭିଯାନର ଶୁଭାରମ୍ଭ କଲେ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ

December 8, 2024No Comments6 Mins Read
Share Facebook Twitter LinkedIn Email WhatsApp Copy Link

ନୂଆଦିଲ୍ଲୀ: ଭାରତର ଯକ୍ଷ୍ମା ଦୂରୀକରଣ ପ୍ରୟାସରେ ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ସ୍ୱରୂପ କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଜଗତ ପ୍ରକାଶ ନଡ୍ଡା ଆଜି ହରିୟାଣାର ପଞ୍ଚକୁଲାରେ ୧୦୦ ଦିନିଆ ସଘନ ଯକ୍ଷ୍ମା ଦୂରୀକରଣ ଅଭିଯାନର ଶୁଭାରମ୍ଭ କରିଛନ୍ତି। ଏହି ଅବସରରେ ହରିୟାଣା ମୁଖ୍ୟମନ୍ତ୍ରୀ ନାଏବ ସିଂ ସୈନୀ ଏବଂ ସ୍ୱାସ୍ଥ୍ୟ ମନ୍ତ୍ରୀ ଆରତୀ ସିଂ ରାଓ ଉପସ୍ଥିତ ଥିଲେ। କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ରାଷ୍ଟ୍ରମନ୍ତ୍ରୀ ପ୍ରତାପ ରାଓ ଯାଧବ ଏବଂ ଅନୁପ୍ରିୟା ପଟେଲ ମଧ୍ୟ ଏହି କାର୍ଯ୍ୟକ୍ରମରେ ଭର୍ଚୁଆଲ ମାଧ୍ୟମରେ ଯୋଗ ଦେଇଥିଲେ। ସାରା ଦେଶର ୩୪୭ଟି ଜିଲ୍ଲାରେ କାର୍ଯ୍ୟକାରୀ ହେବାକୁ ଥିବା ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି, ବାଦ୍ ପଡ଼ିଥିବା ଯକ୍ଷ୍ମା ଆକ୍ରାନ୍ତ, ବିଶେଷ କରି ଅଧିକ ବିପଦ ଥିବା ଗୋଷ୍ଠୀଙ୍କୁ ଚିହ୍ନଟ କରିବା ଏବଂ ସେମାନଙ୍କର ଚିକିତ୍ସା ମାଧ୍ୟମରେ ଯକ୍ଷ୍ମା ଜନିତ ମୃତ୍ୟୁ ସଂଖ୍ୟାକୁ ଯଥେଷ୍ଟ ପରିମାଣରେ ହ୍ରାସ କରିବା।

ଏହି ସମାବେଶକୁ ସମ୍ବୋଧିତ କରି କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଯକ୍ଷ୍ମାକୁ ସମାପ୍ତ କରିବା ପାଇଁ ସରକାରଙ୍କ ଅତୁଟ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଥିଲେ ଏବଂ କହିଥିଲେ ଯେ ଯକ୍ଷ୍ମା ମୁକ୍ତ ଭାରତର ଲକ୍ଷ୍ୟକୁ ଏକ ନୂଆ ଗତି ଦେବା ଉଦ୍ଦେଶ୍ୟରେ ଏହି ଅଭିଯାନ ଆରମ୍ଭ କରାଯାଇଛି। ଏହା ୧୦୦ ଦିନର ଏକ କେନ୍ଦ୍ରିତ ଅଭିଯାନ ହେବ ବୋଲି ଦର୍ଶାଇ ସେ କହିଥିଲେ ଯେ ୩୪୭ଟି ସର୍ବାଧିକ ପ୍ରଭାବିତ ଜିଲ୍ଲାରେ ଯକ୍ଷ୍ମା ରୋଗୀମାନଙ୍କୁ ଶୀଘ୍ର ଚିହ୍ନଟ କରିବା ଏବଂ ଚିକିତ୍ସା କରିବା ଏହାର ଉଦ୍ଦେଶ୍ୟ ହେବ।

ଯକ୍ଷ୍ମା ବିରୋଧରେ ଲଢ଼େଇରେ ଦେଶର ଦୀର୍ଘ ସଂଘର୍ଷ ଉପରେ ଶ୍ରୀ ନଡ୍ଡା ଆଲୋକପାତ କରିଥିଲେ। ‘‘ଏପରି ଏକ ସମୟ ଥିଲା ଯେତେବେଳେ ଯକ୍ଷ୍ମାକୁ ଏକ ‘ମନ୍ଥର ମୃତ୍ୟୁ’ ଭାବରେ ବିବେଚନା କରାଯାଉଥିଲା ଏବଂ ଏପରିକି ଯକ୍ଷ୍ମାରେ ଆକ୍ରାନ୍ତ ପରିବାର ସଦସ୍ୟମାନଙ୍କୁ ଏହାର ବିସ୍ତାରକୁ ରୋକିବା ପାଇଁ ପୃଥକ କରାଯାଉଥିଲା’’, ବୋଲି ସେ କହିଥିଲେ । ୧୯୬୨ ମସିହାରୁ ଯକ୍ଷ୍ମା ବିରୋଧରେ ଅନେକ ଅଭିଯାନ ଚାଲି ଆସିଛି, କିନ୍ତୁ ୨୦୧୮ ମସିହାରେ, ମାନ୍ୟବର ପ୍ରଧାନମନ୍ତ୍ରୀ ଦୀର୍ଘସ୍ଥାୟୀ ବିକାଶ ଲକ୍ଷ୍ୟର ୨୦୩୦ ସମୟସୀମା ପୂର୍ବରୁ ଯକ୍ଷ୍ମାକୁ ସମାପ୍ତ କରିବା ପାଇଁ ଏକ ପରିକଳ୍ପନା କରିଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ସୂଚନା ଦେଇଥିଲେ ଯେ ଯକ୍ଷ୍ମା ସେବାକୁ ରୋଗୀ ଅନୁକୂଳ ଏବଂ ବିକେନ୍ଦ୍ରୀକରଣ କରିବା ପାଇଁ ଅନେକ ନୂତନ ରଣନୀତି ଗ୍ରହଣ କରାଯାଇଛି। ସେ କହିଥିଲେ ଯେ, ଆଜି ଆଗୁଆ ଯକ୍ଷ୍ମା ଚିହ୍ନଟ କରାଯାଇପାରୁଛି, ଏହାର ଶ୍ରେୟ ସାରା ଦେଶରେ ଥିବା ୧.୭ ଲକ୍ଷରୁ ଅଧିକ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରକୁ ଦିଆଯିବା ଉଚିତ୍। ଶ୍ରୀ ନଡ୍ଡା ଏହା ମଧ୍ୟ ଉଲ୍ଲେଖ କରିଥିଲେ ଯେ ସରକାର ୨୦୧୪ରେ ୧୨୦ଟି ପରୀକ୍ଷାଗାର ଥିବା ବେଳେ ଆଜି ୮,୨୯୩ଟି ପରୀକ୍ଷାଗାରକୁ ବୃଦ୍ଧି କରି ରୋଗ ନିରୂପଣ ସେବାକୁ ଉଲ୍ଲେଖନୀୟ ଭାବେ ବୃଦ୍ଧି କରିଛନ୍ତି। ସେ ଆହୁରି ମଧ୍ୟ କହିଛନ୍ତି ଯେ କେନ୍ଦ୍ର ସରକାର ଔଷଧ-ସମ୍ବେଦନଶୀଳ ଯକ୍ଷ୍ମା ପାଇଁ ଏକ ନୂତନ ଛୋଟ ଏବଂ ଅଧିକ ପ୍ରଭାବଶାଳୀ ଚିକିତ୍ସା ପଦ୍ଧତି ପ୍ରବର୍ତ୍ତନ କରିଛନ୍ତି, ଯେଉଁଥିରେ ଦୈନିକ ଚିକିତ୍ସା ପଦ୍ଧତି ଅନ୍ତର୍ଭୁକ୍ତ, ଯାହା ଯକ୍ଷ୍ମା ଚିକିତ୍ସାର ସଫଳତା ହାରକୁ ୮୭ ପ୍ରତିଶତ ପର୍ଯ୍ୟନ୍ତ ବୃଦ୍ଧି କରିଛି।

ଶ୍ରୀ ନଡ୍ଡା ସୂଚନା ଦେଇଥିଲେ ଯେ ୧୧.୭ ନିୟୁତରୁ ଅଧିକ ଯକ୍ଷ୍ମା ରୋଗୀଙ୍କୁ ପ୍ରତ୍ୟକ୍ଷ ଲାଭ ହସ୍ତାନ୍ତର ଜରିଆରେ ୩,୩୩୮ କୋଟି ଟଙ୍କାର ନିକ୍ଷୟ ସହାୟତା ପ୍ରଦାନ କରାଯାଇଛି। ସେ ଏହା ମଧ୍ୟ ସୂଚନା ଦେଇଛନ୍ତି ଯେ ସରକାର ନିକଟରେ ନିକ୍ଷୟ ପୋଷଣ ଅର୍ଥରାଶି ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିଛନ୍ତି ଏବଂ ଯକ୍ଷ୍ମା ରୋଗୀଙ୍କ ପୁଷ୍ଟିକର ସହାୟତା ପାଇଁ ଶକ୍ତି ବର୍ଦ୍ଧକ ଯୋଡ଼ିଛନ୍ତି।

ଶ୍ରୀ ନଡ୍ଡା କହିଥିଲେ, ସରକାର ବର୍ତ୍ତମାନ ଘରୋଇ ଚିକିତ୍ସକମାନଙ୍କ ପାଇଁ କୌଣସି ନୂଆ ଯକ୍ଷ୍ମା ରୋଗୀ ଚିହ୍ନଟ ସମ୍ପର୍କରେ ସୂଚିତ କରିବାକୁ ବାଧ୍ୟତାମୂଳକ କରିଛନ୍ତି ଯାହା ଦ୍ୱାରା ସେମାନଙ୍କର ଚିକିତ୍ସା ତୁରନ୍ତ ଆରମ୍ଭ ହୋଇପାରିବ। ‘‘ଏହା ଏକ ଛୋଟ ପଦକ୍ଷେପ ପରି ମନେ ହୋଇପାରେ, କିନ୍ତୁ ଏହା ଘରୋଇ କ୍ଷେତ୍ରରେ ଯକ୍ଷ୍ମା ହାରରେ ୮ଗୁଣ ବୃଦ୍ଧି ଘଟାଇଛି’’, ସେ କହିଥିଲେ।

ସେ ଏହା ମଧ୍ୟ ଦର୍ଶାଇଥିଲେ ଯେ ଭାରତରେ ଯକ୍ଷ୍ମା ହ୍ରାସ ହାର ୨୦୧୫ରେ ୮.୩ ପ୍ରତିଶତରୁ ଦୁଇଗୁଣ ବୃଦ୍ଧି ପାଇ ବର୍ତ୍ତମାନ ୧୭.୭ ପ୍ରତିଶତରେ ପହଞ୍ଚିଛି ଯାହା ବିଶ୍ୱ ହାର ଠାରୁ ଢେର ଆଗରେ । ଭାରତରେ ଯକ୍ଷ୍ମା କାରଣରୁ ହେଉଥିବା ମୃତ୍ୟୁ ସଂଖ୍ୟାରେ ମଧ୍ୟ ବିଗତ ୧୦ ବର୍ଷ ମଧ୍ୟରେ ୨୧.୪ ପ୍ରତିଶତ ହ୍ରାସ ଦେଖିବାକୁ ମିଳିଛି।
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ସମସ୍ତ ଅଂଶୀଦାରମାନଙ୍କୁ ଯକ୍ଷ୍ମା ଦୂରୀକରଣ ପାଇଁ ସେମାନଙ୍କର ପ୍ରତିବଦ୍ଧତାକୁ ଦୋହରାଇବା ପାଇଁ ପ୍ରେରିତ କରି ତାଙ୍କ ଅଭିଭାଷଣ ସମାପ୍ତ କରିଥିଲେ।

ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ନାଏବ ସିଂ ସୈନୀ ଖୁସି ବ୍ୟକ୍ତ କରିଥିଲେ ଯେ, ଏହି ୧୦୦ ଦିନିଆ ସଘନ ଯକ୍ଷ୍ମା ଅଭିଯାନ ହରିୟାଣାରୁ ଆରମ୍ଭ ହୋଇଛି ଏବଂ ଆଶ୍ୱାସନା ଦେଇଥିଲେ ଯେ ଦେଶରେ ଯକ୍ଷ୍ମା ବିରୋଧରେ ଲଢ଼େଇରେ ହରିୟାଣା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିବ। ଏହି ଅବସରରେ ଉଦବୋଧନ ଦେଇ ଶ୍ରୀ ନାଏବ ସିଂ ସୈନୀ ଖୁସି ବ୍ୟକ୍ତ କରିଥିଲେ ଯେ ଏହି ୧୦୦ ଦିନିଆ ନିବିଡ଼ ଯକ୍ଷ୍ମା ଅଭିଯାନ ହରିୟାଣାରୁ ଆରମ୍ଭ ହୋଇଛି ଏବଂ ଆଶ୍ୱାସନା ଦେଇଥିଲେ ଯେ ଦେଶରେ ଯକ୍ଷ୍ମା ବିରୋଧରେ ଲଢ଼େଇରେ ହରିୟାଣା ଏକ ପ୍ରମୁଖ ଭୂମିକା ଗ୍ରହଣ କରିବାକୁ ଚେଷ୍ଟା କରିବ।

ହରିୟାଣା ମୁଖ୍ୟମନ୍ତ୍ରୀ କହିଥିଲେ ଯେ, ଯକ୍ଷ୍ମା ବିଲୋପ ପାଇଁ ସରକାର ‘ଫୋର୍-ଟି’ – (ଟେଷ୍ଟ, ଟ୍ରାକ୍, ଟ୍ରିଟ୍ ଓ ଟେକ୍ନୋଲୋଜି) ପରୀକ୍ଷା, ନିରୀକ୍ଷଣ, ଚିକିତ୍ସା ଏବଂ ପ୍ରଯୁକ୍ତିକୁ ନେଇ କାମ କରୁଛନ୍ତି। ସେ କହିଥିଲେ ଯେ ଗତ ୧୦ ବର୍ଷ ମଧ୍ୟରେ ସଘନ ପରୀକ୍ଷଣ ଦ୍ୱାରା ନୂତନ ଯକ୍ଷ୍ମା ମାମଲା ଚିହ୍ନଟ କରାଯାଇଛି, ଯାହାର ମାଗଣାରେ ଚିକିତ୍ସା କରାଯାଉଛି। ସେ ମଧ୍ୟ ସମସ୍ତଙ୍କ ଠାରୁ ପ୍ରତ୍ୟେକ ନୂଆ ଯକ୍ଷ୍ମା ସଂକ୍ରମିତଙ୍କ ତଥ୍ୟ ନିକ୍ଷୟ ପୋର୍ଟାଲରେ ଅପଲୋଡ୍ କରିବା ପାଇଁ ଅନୁରୋଧ କରିଥିଲେ, ଯାହା ଯକ୍ଷ୍ମା ରୋଗୀମାନଙ୍କୁ ସମୟୋଚିତ ଅପଡେଟ୍ ମଧ୍ୟ ପ୍ରଦାନ କରିଥାଏ। ସେ ଏହା ମଧ୍ୟ କହିଥିଲେ ଯେ ସରକାର ଏହାର ଯକ୍ଷ୍ମା ନିରାକରଣ ପ୍ରୟାସକୁ ଆହୁରି ସୁଦୃଢ଼ କରିବା ଲାଗି ଏନ୍.ଜି.ଓ. ଏବଂ ନାଗରିକ ସମାଜ ସହିତ ମିଶି କାର୍ଯ୍ୟ କରୁଛନ୍ତି।

କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲିଳ ଶ୍ରୀବାସ୍ତବ କାର୍ଯ୍ୟକ୍ରମକୁ ସମ୍ବୋଧିତ କରି ଔଷଧ କିମ୍ବା ଉପଭୋକ୍ତା ସାମଗ୍ରୀର ଯେପରି ଅଭାବ ନହୁଏ ତାହା ସୁନିଶ୍ଚିତ କରିବା ପାଇଁ ସରକାରଙ୍କ ପ୍ରତିବଦ୍ଧତାକୁ ଆଶ୍ୱାସନା ଦେଇଥିଲେ । ଏହି ଅଭିଯାନରେ ସକ୍ରିୟ ଭାବେ ଅଂଶଗ୍ରହଣ କରିବା ଏବଂ ଏହାକୁ ସଫଳ କରିବା ଲାଗି ସେ ନାଗରିକ ସମାଜର ସମସ୍ତ ବର୍ଗଙ୍କୁ ନିବେଦନ କରିଥିଲେ।

ଶୁଭାରମ୍ଭ ସମାରୋହରେ ଶ୍ରୀ ନଡ୍ଡା ନୂତନ ଔଷଧ-ପ୍ରତିରୋଧକ ଯକ୍ଷ୍ମା ବ୍ୟବସ୍ଥା, ବିପିଏଏଲଏମର କାର୍ଯ୍ୟାନ୍ୱୟନ ପାଇଁ ଜାତୀୟ ନିର୍ଦ୍ଦେଶାବଳୀ ଉନ୍ମୋଚନ କରିଥିଲେ। ଏହି ନିର୍ଦ୍ଦେଶାବଳୀ ଏହି ଉନ୍ନତ ଚିକିତ୍ସାର ପରିଚାଳନାକୁ ମାନକ ଏବଂ ସୁବ୍ୟବସ୍ଥିତ କରିବା ପାଇଁ ପରିକଳ୍ପନା କରାଯାଇଛି, ଯାହା ଔଷଧ-ପ୍ରତିରୋଧକ ଯକ୍ଷ୍ମା ସହିତ ଲଢ଼ୁଥିବା ରୋଗୀଙ୍କ ନିମନ୍ତେ ଉନ୍ନତ ଫଳାଫଳ ପ୍ରଦାନ କରିଥାଏ। ଏହା ବ୍ୟତୀତ, ସେ ବିଭିନ୍ନ ଆଞ୍ଚଳିକ ଭାଷାରେ ଅଭିଯାନ ସାମଗ୍ରୀ ମଧ୍ୟ ଉନ୍ମୋଚନ କରିଥିଲେ, ଯେଉଁଥିରେ ଏକ ବ୍ୟାପକ ଅବଧାରଣା ନୋଟ୍ ଏବଂ ସୂଚନା, ଶିକ୍ଷା ଓ ଯୋଗାଯୋଗ (ଆଇଇସି) ସମ୍ବଳ ଅନ୍ତର୍ଭୁକ୍ତ ଥିଲା। କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମଧ୍ୟ ଯକ୍ଷ୍ମା ଚାମ୍ପିଅନ୍ ଓ ନିକ୍ଷୟ ମିତ୍ରମାନଙ୍କୁ ସମ୍ମାନିତ କରିଥିଲେ ଏବଂ କାର୍ଯ୍ୟକ୍ରମ ସମୟରେ ଖାଦ୍ୟ ବାସ୍କେଟ ବଣ୍ଟନ କରିଥିଲେ।

ଆଜି ହରିୟାଣାରୁ ‘‘ନିକ୍ଷୟ ବାହାନ’’ର ମଧ୍ୟ ଶୁଭାରମ୍ଭ କରାଯାଇଥିଲା। ଏଗୁଡ଼ିକ ହେଉଛି ଭ୍ରାମ୍ୟମାଣ ବାହନ, ଯାହା ସାରା ଦେଶରେ ରୋଗୀମାନଙ୍କୁ ଚିହ୍ନଟ କରିବ ଏବଂ ଚିକିତ୍ସା କରିବ।

ପୃଷ୍ଠଭୂମି:

ଏହି ଅଭିଯାନ ସ୍ୱାସ୍ଥ୍ୟ ଏବଂ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଜାତୀୟ ଯକ୍ଷ୍ମା ଦୂରୀକରଣ କାର୍ଯ୍ୟକ୍ରମ (ଏନ୍.ଟି.ଇ.ପି.) ଅଧୀନରେ କାର୍ଯ୍ୟକାରୀ ହେବ। ଏହା ଭାରତରେ ଯକ୍ଷ୍ମା (ଟିବି) ବିଜ୍ଞପ୍ତି ଏବଂ ମୃତ୍ୟୁହାର ଆହ୍ୱାନର ମୁକାବିଲା କରି ଯକ୍ଷ୍ମାକୁ ସମାପ୍ତ କରିବାର ଲକ୍ଷ୍ୟ ହାସଲ କରିବା ପାଇଁ ଭାରତ ସରକାରଙ୍କ ପ୍ରତିବଦ୍ଧତାକୁ ରେଖାଙ୍କିତ କରେ। ଏହି କାର୍ଯ୍ୟକ୍ରମରେ ଅନ୍ୟ ସରକାରୀ ମାନ୍ୟଗଣ୍ୟ ବ୍ୟକ୍ତି, କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ, ହରିୟାଣା ସରକାରଙ୍କ ଅଧିକାରୀ ଏବଂ ନାଗରିକ ସମାଜର ପ୍ରତିନିଧିମାନେ ଯୋଗ ଦେଇଥିଲେ।

ଭୌଗୋଳିକ କ୍ଷେତ୍ରରେ ବିଭିନ୍ନ ସ୍ତରର ଆହ୍ୱାନକୁ ଦୃଷ୍ଟିରେ ରଖି, ଏନ୍.ଟି.ଇ.ପି. ଏହି ଅଭିଯାନକୁ କାର୍ଯ୍ୟକାରୀ କରିବା ପାଇଁ ଏକ ସ୍ତରୀୟ ଆଭିମୁଖ୍ୟ ଗ୍ରହଣ କରିଛି। ଜାତୀୟ ହାର ତୁଳନାରେ ମୃତ୍ୟୁହାର, ସମ୍ଭାବ୍ୟ ଯକ୍ଷ୍ମା ଚିହ୍ନଟ ହାର ଏବଂ ସଂକ୍ରମଣ ହାର ଭଳି ସୂଚକାଙ୍କ ଆଧାରରେ ୩୩ଟି ରାଜ୍ୟ/କେନ୍ଦ୍ରଶାସିତ ଅଞ୍ଚଳର ୩୪୭ଟି ଜିଲ୍ଲାକୁ ଚୟନ କରାଯାଇଛି। ସାରା ଦେଶରେ ଯକ୍ଷ୍ମା ପରିଣାମରେ ସୁଧାର ଆଣିବା ପାଇଁ କାର୍ଯ୍ୟକ୍ରମଗତ କାର୍ଯ୍ୟକଳାପକୁ ସୁଦୃଢ଼ କରିବା ନିମନ୍ତେ ଏହି ଅଭିଯାନର ପରିକଳ୍ପନା କରାଯାଇଛି।

ଏହି ଅଭିଯାନର ଉଦ୍ଦେଶ୍ୟ ହେଉଛି ରୋଗ ନିର୍ଣ୍ଣୟ ଏବଂ ଚିକିତ୍ସା ଆରମ୍ଭ କରିବାରେ ହେଉଥିବା ବିଳମ୍ବକୁ ହ୍ରାସ କରିବା ପାଇଁ ଉନ୍ନତ ଯାଞ୍ଚ ଏବଂ ନିଦାନ ପ୍ରଯୁକ୍ତିବିଦ୍ୟା ବ୍ୟବହାର କରି ସଘନ ସଂକ୍ରମିତଙ୍କୁ ଚିହ୍ନଟ କରିବା । ସମାନ୍ତରାଳ ଭାବେ, ଯକ୍ଷ୍ମା କାରଣରୁ ହେଉଥିବା ମୃତ୍ୟୁ ହାରକୁ କମାଇବା ଲାଗି ଏହି ଅଭିଯାନ ଉଚ୍ଚ ବିପଦଗ୍ରସ୍ତ ରୋଗୀଙ୍କ ପାଇଁ ସ୍ୱତନ୍ତ୍ର ଯତ୍ନ ପ୍ରଦାନ କରିବା ସକାଶେ ନିକ୍ଷୟ ପୋଷଣ ଯୋଜନା ମାଧ୍ୟମରେ ପୋଷଣ ସହ ଜଡ଼ିତ ସହାୟତା ଯୋଗାଇ ଦେବ ଏବଂ ବିଭାଜିତ ଯକ୍ଷ୍ମା ଯତ୍ନ ଭଳି ପ୍ରୟାସକୁ ଆହୁରି ବିସ୍ତାର କରିବ।

ବିଶେଷ କରି ଦୁର୍ଗମ ଅଞ୍ଚଳରେ ଉନ୍ନତ ନିଦାନକୁ ଲୋକଙ୍କ ନିକଟତର କରିବା ପାଇଁ ମୋବାଇଲ ଅଲ୍ଟ୍ରାପୋର୍ଟେବଲ୍, ଏଆଇ-ସକ୍ଷମ ଏକ୍ସ-ରେ ୟୁନିଟ୍ ଏବଂ ମଲିକ୍ୟୁଲାର ଟେଷ୍ଟ୍ ନିୟୋଜିତ କରିବା ଏହି ଅଭିଯାନର କେତେକ ମୁଖ୍ୟ ଆକର୍ଷଣ ହେବ। ଯକ୍ଷ୍ମା ଲକ୍ଷଣ ପାଇଁ ଅସୁରକ୍ଷିତ ଲୋକଙ୍କ ସ୍କ୍ରିନିଂ କରିବା ବ୍ୟତୀତ, ଏନଟିଇପି ଯକ୍ଷ୍ମା ନିମନ୍ତେ ସମସ୍ତ ଉଚ୍ଚ ବିପଦଗ୍ରସ୍ତ ସମୁଦାୟର ଲକ୍ଷଣକୁ ନେଇ ସାମୂହିକ ସ୍କ୍ରିନିଂ କରିବ । ଏହା ଲାନସେଟ୍ ଏବଂ ଉପ-ଜାତୀୟ ଯକ୍ଷ୍ମା ବ୍ୟାପକତା ସର୍ବେକ୍ଷଣର ସାମ୍ପ୍ରତିକ ଅନୁସନ୍ଧାନର ଫଳାଫଳ ଉପରେ ବିଚାର କରୁଛି। ନିକଟରେ ଏନପିୱାଇ ଅଧୀନରେ ଥିବା ସମସ୍ତ ଯକ୍ଷ୍ମା ରୋଗୀଙ୍କ ପାଇଁ ମାସିକ ସହାୟତା ୫୦୦ ଟଙ୍କାରୁ ୧୦୦୦ ଟଙ୍କାକୁ ବୃଦ୍ଧି କରିବା ଏବଂ ଯକ୍ଷ୍ମା ରୋଗୀଙ୍କ କ୍ଷେତ୍ରରେ ଘରୋଇ ସଂସ୍ପର୍ଶରେ ଆସିଥିବା ଲୋକଙ୍କୁ ସାମିଲ କରିବା ପାଇଁ ପିଏମଟି ବିବିଏର ପରିସରକୁ ବିସ୍ତାର କରିବା ପରିପ୍ରେକ୍ଷୀରେ ଏହି ଅଭିଯାନ ଯକ୍ଷ୍ମା ଚିକିତ୍ସା ଏବଂ ନିରାକରଣର ମାଧ୍ୟମ ଭାବରେ ପୁଷ୍ଟିକର ସହାୟତାର ବିସ୍ତାର ସୁନିଶ୍ଚିତ କରିବ। ଶେଷରେ, ଏହି ଅଭିଯାନ ଆୟୁଷ୍ମାନ ଆରୋଗ୍ୟ ମନ୍ଦିରର ବ୍ୟାପକ ପହଞ୍ଚକୁ ଉପଯୋଗ କରିବ, ଯାହା ମାଧ୍ୟମରେ ଯକ୍ଷ୍ମା ସେବାକୁ ବିକେନ୍ଦ୍ରୀକରଣ କରାଯାଇଛି, ଯାହାଦ୍ୱାରା ଲୋକଙ୍କ ଘର ନିକଟରେ ଗୁଣାତ୍ମକ ସେବା ଉପଲବ୍ଧ ହେବ।

ଏହି ଅବସରରେ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରଣାଳୟର ଅତିରିକ୍ତ ଶାସନ ସଚିବ ଆରାଧନା ପଟ୍ଟନାୟକ ଏବଂ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଓ ହରିୟାଣା ସରକାରଙ୍କ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ।

କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଳାୟ ଯକ୍ଷ୍ମା ଆକ୍ରାନ୍ତ ଶ୍ରୀ ଜେ.ପି. ନଡ୍ଡା
Share. Facebook Twitter LinkedIn Email WhatsApp Copy Link

Related Posts

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025
Latest News

ଇଂଲଣ୍ଡ ମୁହଁରୁ ବିଜୟ ଛଡାଇ ଆଣିଲା ଭାରତ: ସିରିଜ୍ ୨-୨ ରେ ବରାବର

August 4, 2025

ଆରପାରିରେ ପୂର୍ବତନ ମୁଖ୍ୟ ଶାସନ ସଚିବ, ଜଗନ୍ନାଥ ଗବେଷକ ସୁବାଷ ପାଣି

August 4, 2025

NRC ଭୟ!: ବାଂଲାଦେଶ ପଠାଇଦେବା ଚିନ୍ତାରେ ଆତ୍ମହତ୍ୟା କଲେ କୋଲକାତାରେ ରହୁଥିବା ବ୍ୟକ୍ତି

August 4, 2025

ଅଗଷ୍ଟ ୭ ରେ ଦିଲ୍ଲୀରେ ଇଣ୍ଡିଆ ବ୍ଲକ ବୈଠକ: କେଉଁ ପ୍ରସଙ୍ଗ ଉପରେ ହେବ ଆଲୋଚନା?

August 4, 2025

ଅନନ୍ତନାଗରେ ମିଳିଲା ପ୍ରାଚୀନ ଶିବଲିଙ୍ଗ ଏବଂ ମୂର୍ତ୍ତି!: କାଶ୍ମୀରୀ ପଣ୍ଡିତଙ୍କ ସହ ରହିଛି ସମ୍ପର୍କ

August 4, 2025
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2025 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.