
ନୂଆଦିଲ୍ଲୀ: ପିଡିପି ମୁଖ୍ୟ ମେହବୁବା ମୁଫତିଙ୍କ ଝିଅ ଇଲତିଜା ମୁଫତି ହିନ୍ଦୁତ୍ୱ ଉପରେ ସୋସିଆଲ ମିଡିଆରେ ଏକ ଆପତ୍ତିଜନକ ପୋଷ୍ଟ ସେୟାର କରିଛନ୍ତି, ଯେଉଁ କାରଣରୁ ଦେଶରେ ରାଜନୀତି ଏବେ ଉତ୍ତପ୍ତ ହୋଇପଡିଛି। ‘X’ ରେ ଜଣେ ଉପଭୋକ୍ତାଙ୍କର ଏକ ଭିଡିଓ ସେୟାର କରିବାବେଳେ ସେ ଏହି ମନ୍ତବ୍ୟ ଦେଇଛନ୍ତି। ଇଲତିଜା ମୁଫତି ହିନ୍ଦୁତ୍ୱକୁ ଏକ ରୋଗ ବୋଲି କହିଥିଲେ, ଏହା ପରେ ବିଜେପି ବିଧାୟକ ଟି ରାଜା ସିଂ କ୍ଷୁବ୍ଧ ହୋଇଛନ୍ତି। ସେ କହିଛନ୍ତି ଯେ, ମେହବୁବା ମୁଫତିଙ୍କ ଝିଅଙ୍କ ବିବୃତ୍ତି ଭୁଲ ଅଟେ।
ଟି ରାଜା ସିଂ କହିଛନ୍ତି, “ଯଦି ଆମେ ସେମାନଙ୍କ ଧର୍ମ ବିରୋଧରେ ବିବୃତ୍ତି ଦେବୁ, ତେବେ ସେମାନେ କିପରି ଅନୁଭବ କରିବେ? ଏହି ବିବୃତ୍ତି ହିନ୍ଦୁମାନଙ୍କ ଭାବନା ବିରୁଦ୍ଧ ଅଟେ। ଜମ୍ମୁ କାଶ୍ମୀରର ମୁଖ୍ୟମନ୍ତ୍ରୀ ତାଙ୍କ ବିବୃତ୍ତିକୁ ସଜ୍ଞାନକୁ ନେଇ ତୁରନ୍ତ ଗିରଫ କରିବା ଉଚିତ୍। କୌଣସି ସ୍ଥାନରେ କେହି ଚପଲରେ କାହାକୁ ମାରୁଛନ୍ତି, ହେଲେ ଇଲତିଜା ମୁଫତି ଭଗବାନ ରାମଙ୍କ ଉପରେ ମତବ୍ୟ ଦେଉଛନ୍ତି।
ଇଲତିଜା ମୁଫତି ଜମ୍ମୁ କାଶ୍ମୀର ବିଧାନସଭା ନିର୍ବାଚନରେ ଦୁଇଟି ଆସନରେ ପ୍ରତିଦ୍ୱନ୍ଦ୍ୱିତା କରିଥିଲେ ଏବଂ ତାଙ୍କୁ ଉଭୟ ଆସନରେ ପରାଜୟର ସମ୍ମୁଖୀନ ହେବାକୁ ପଡିଥିଲା। ଯେତେବେଳେ ଏହି ପ୍ରସଙ୍ଗରେ ବିବାଦ ବଢିଲା, ସେତେବେଳେ ଇଲତିଜା ମୁଫତି ସ୍ପଷ୍ଟ କରିଛନ୍ତି ଯେ, ସେହି ଭିଡିଓରେ ନିରୀହ ପିଲାମାନଙ୍କୁ ମାଡ ଦିଆଯାଉଥିବାରୁ ସେ କ୍ରୋଧ ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ଗତ ୧୦ ବର୍ଷ ମଧ୍ୟରେ ମୁସଲମାନମାନଙ୍କ ଉପରେ ବହୁ ହିଂସା ଘଟିଛି।