ଭୁବନେଶ୍ୱର: ଦେଶରେ ମହିଳା ଶ୍ରମ ଶକ୍ତି ଅଂଶଗ୍ରହଣ ହାର (ଏଲଏଫପିଆର) ବୃଦ୍ଧି ପାଉଛି। ବିଶେଷ କରି ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ଏହି ହାରରେ ଉଲ୍ଲେଖନୀୟ ପ୍ରଗତି ଦେଖିବାକୁ ମିଳିଛି ବୋଲି ଅବଧିକାଳୀନ ଶ୍ରମ ଶକ୍ତି ସର୍ବେକ୍ଷଣ ତଥ୍ୟରୁ ଜଣାପଡ଼ିଛି। ଏଲଏଫପିଆର ମହିଳାଙ୍କ ଆର୍ଥିକ ସଶକ୍ତୀକରଣ ଏବଂ ସାମଗ୍ରିକ ଆର୍ଥିକ ଅନ୍ତର୍ଭୂକ୍ତୀକରଣର ଏକ ଗୁରୁତ୍ୱପୂର୍ଣ୍ଣ ସୂଚକ ଅଟେ।
ପ୍ରଧାନମନ୍ତ୍ରୀଙ୍କ ଆର୍ଥିକ ପରାମର୍ଶଦାତା ପରିଷଦର ସଦସ୍ୟ ଡକ୍ଟର ଶମିକା ରବି ଏବଂ ଦିଲ୍ଲୀର ଭାରତୀୟ ପରିସଂଖ୍ୟାନ ପ୍ରତିଷ୍ଠାନର ଗବେଷକ ଡକ୍ଟର ମୁଦିତ କପୁରଙ୍କ ଦ୍ୱାରା କରାଯାଇଥିବା ବିଶ୍ଳେଷଣରୁ ଜଣାପଡ଼ିଛି ଯେ, ଜାତୀୟ ସ୍ତରରେ ଗ୍ରାମୀଣ ମହିଳା ଏଲଏଫପିଆର ୨୪.୬%ରୁ ୪୧.୫% (~୬୯%) କୁ ବଢ଼ିଛି। ସେହିପରି ସହରାଞ୍ଚଳ ଏଲଏଫପିଆର ସାମାନ୍ୟ ବୃଦ୍ଧି ପାଇ ୨୦.୪% ରୁ ୨୫.୪% (~୨୫%) ହୋଇଛି । ଏଥିରେ ଗୁରୁତ୍ୱପୂର୍ଣ୍ଣ ଆନ୍ତଃରାଜ୍ୟ ପାର୍ଥକ୍ୟ ରହିଛି। ଗ୍ରାମାଞ୍ଚଳରେ ଝାଡ଼ଖଣ୍ଡ (~୨୩୩% ଅଭିବୃଦ୍ଧି) ଏବଂ ବିହାର (~୬ ଗୁଣ ଅଭିବୃଦ୍ଧି) ଭଳି ରାଜ୍ୟରେ ଉଲ୍ଲେଖନୀୟ ସୁଧାର ଦେଖିବାକୁ ମିଳିଛି। ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟ ଉଲ୍ଲେଖନୀୟ ଅଭିବୃଦ୍ଧି ଦେଖାଇଛନ୍ତି (ଉଦାହରଣ ସ୍ୱରୂପ, ନାଗାଲାଣ୍ଡ: ୧୫.୭% ରୁ ୭୧.୧%)। ଜାତୀୟ ସ୍ତରରେ ସହରାଞ୍ଚଳରେ ସାମଗ୍ରିକ ଭାବେ ସାମାନ୍ୟ ଅଭିବୃଦ୍ଧି ଘଟିଛି। ତେବେ ସହରାଞ୍ଚଳ ଗୁଜରାଟରେ ଉଲ୍ଲେଖନୀୟ ଅଭିବୃଦ୍ଧି (୧୬.୨%ରୁ ୨୬.୪%, ~୬୩% ଅଭିବୃଦ୍ଧି) ହୋଇଛି କିନ୍ତୁ ସହରାଞ୍ଚଳ ତାମିଲନାଡ଼ୁରେ ସାମାନ୍ୟ ପରିବର୍ତ୍ତନ (୨୭.୬%ରୁ ୨୮.୮%) ଆସିଛି।
ପ୍ରାୟ ସବୁ ରାଜ୍ୟରେ ମହିଳା ଏଲଏଫପିଆର ବୃଦ୍ଧି ପାଇଛି, ସହରାଞ୍ଚଳ ତୁଳନାରେ ଗ୍ରାମାଞ୍ଚଳରେ ଅଧିକ ଲାଭ ଦେଖିବାକୁ ମିଳିଛି। ଅବିବାହିତ ମହିଳାଙ୍କ ତୁଳନାରେ ଗ୍ରାମାଞ୍ଚଳରେ ବିବାହିତ ମହିଳାମାନେ ଅଧିକ ଅଂଶଗ୍ରହଣ ଅଭିବୃଦ୍ଧି ଦେଖାଇଛନ୍ତି।
ରାଜସ୍ଥାନ ଓ ଝାଡ଼ଖଣ୍ଡ ଭଳି ରାଜ୍ୟରେ ବିଶେଷ କରି ବିବାହିତ ମହିଳାଙ୍କ କ୍ଷେତ୍ରରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି। ତେବେ ଆଞ୍ଚଳିକ ଓ ଆନ୍ତଃରାଜ୍ୟ କ୍ଷେତ୍ରରେ ଉଲ୍ଲେଖନୀୟ ଭିନ୍ନତା ରହିଛି। ଉତ୍ତର ରାଜ୍ୟଗୁଡ଼ିକ ମଧ୍ୟରେ ପଞ୍ଜାବ ଏବଂ ହରିୟାଣାରେ ମହିଳା ଏଲଏଫପିଆର କମ୍ ରହିଛି। ପୂର୍ବ ରାଜ୍ୟ ଗୁଡ଼ିକ ମଧ୍ୟରେ, ଗ୍ରାମୀଣ ବିହାରରେ ଦେଶର ସର୍ବନିମ୍ନ ଏଲଏଫପିଆର ଥିଲା, କିନ୍ତୁ ସାମ୍ପ୍ରତିକ ବର୍ଷଗୁଡ଼ିକରେ ଉଲ୍ଲେଖନୀୟ ଉନ୍ନତି ଦେଖାଯାଇଛି – ବିଶେଷକରି ଗ୍ରାମୀଣ ବିବାହିତ ମହିଳାଙ୍କ କ୍ଷେତ୍ରରେ। ଉତ୍ତରପୂର୍ବ ରାଜ୍ୟଗୁଡ଼ିକ ମଧ୍ୟରେ ଗ୍ରାମାଞ୍ଚଳରେ ଉଲ୍ଲେଖନୀୟ ଅଭିବୃଦ୍ଧି ଘଟିଛି ଏବଂ ନାଗାଲାଣ୍ଡ ଏବଂ ଅରୁଣାଚଳ ପ୍ରଦେଶ ଆଗୁଆ ରହିଛନ୍ତି। ଉତ୍ତର-ପୂର୍ବାଞ୍ଚଳର ସହରାଞ୍ଚଳରେ ବିବାହିତ ମହିଳାଙ୍କ ମଧ୍ୟରେ ମଧ୍ୟମ ଧରଣର ବୃଦ୍ଧି ଘଟିଥିବା ବେଳେ ସହରାଞ୍ଚଳରେ ବିବାହିତ ମହିଳାଙ୍କ ସଂଖ୍ୟା ସାମାନ୍ୟ ବୃଦ୍ଧି ପାଇଛି। ପଶ୍ଚିମ ଏବଂ ଦକ୍ଷିଣ ରାଜ୍ୟରେ ଏଲଏଫପିଆରର ଅଭିବୃଦ୍ଧି ମୁଖ୍ୟତଃ ଗ୍ରାମୀଣ ମହିଳାମାନଙ୍କ ମଧ୍ୟରେ କେନ୍ଦ୍ରୀଭୂତ ହୋଇଥିବା ବେଳେ ସହରାଞ୍ଚଳରେ ସାମାନ୍ୟ ବୃଦ୍ଧି ଘଟିଛି।
ଭାରତରେ ୨୦୧୭-୧୮ରୁ ୨୦୨୨-୨୩ ମଧ୍ୟରେ ବିଶେଷ କରି ଗ୍ରାମାଞ୍ଚଳରେ ମହିଳା ଏଲଏଫପିଆରରେ ଯଥେଷ୍ଟ ବୃଦ୍ଧି ଘଟିଛି। ବିଗତ ଦଶ ବର୍ଷ ମଧ୍ୟରେ ସରକାରଙ୍କ ଅନେକ ଯୋଜନା, ବିଶେଷ କରି ଗ୍ରାମୀଣ ମହିଳାମାନଙ୍କୁ ଲକ୍ଷ୍ୟ କରି କାର୍ଯ୍ୟକାରୀ କରାଯାଇଥିବାରୁ ସେସବୁର ସୁଫଳ ପ୍ରତିଫଳିତ ହୋଇଛି। ଗ୍ରାମୀଣ ମହିଳାଙ୍କ ପାଇଁ ଯୋଜନା ଗୁଡ଼ିକ ମଧ୍ୟରେ ମୁଦ୍ରା ଋଣ, ‘ଡ୍ରୋନ ଦିଦି’ ଯୋଜନା ଏବଂ ଦୀନଦୟାଲ ଅନ୍ତ୍ୟୋଦୟ ଯୋଜନା ଅଧୀନରେ ସଂଗଠିତ ସ୍ୱୟଂ ସହାୟକ ଗୋଷ୍ଠୀଗୁଡ଼ିକ ସୁଦୃଢ଼ କରିବା ଦ୍ୱାରା ଏ କ୍ଷେତ୍ରରେ ସଫଳତା ମିଳିଛି । ସମଗ୍ର ଭାରତରେ ମହିଳାଙ୍କ ନେତୃତ୍ବାଧୀନ ବିକାଶର ଦୃଷ୍ଟିକୋଣ ସହିତ ଆହୁରି ଅନେକ ପଦକ୍ଷେପ ଯୋଡ଼ି ହୋଇଛି ଯାହା ମହିଳାଙ୍କ ସଶକ୍ତିକରଣକୁ ସକ୍ଷମ କରିଛି।
ସୂଚନାଯୋଗ୍ୟ, ଗବେଷଣା ପତ୍ରରେ ୨୦୧୭-୧୮ ପରଠାରୁ ଭାରତୀୟ ରାଜ୍ୟଗୁଡ଼ିକରେ, ବିଶେଷକରି ଗ୍ରାମାଞ୍ଚଳରେ ମହିଳା ଏଲଏଫପିଆରରେ ଉଲ୍ଲେଖନୀୟ ପୁନରୁଦ୍ଧାର ଉପରେ ଆଲୋକପାତ କରି ବିସ୍ତୃତ ଆର୍ଥିକ ବିଶ୍ଳେଷଣ ଉପସ୍ଥାପନ କରାଯାଇଛି। ଏହି ଅଧ୍ୟୟନରେ ବ୍ୟବହୃତ ତଥ୍ୟ ସମସ୍ତ ଉପଲବ୍ଧ ରାଉଣ୍ଡ (୨୦୧୭-୧୮ରୁ ୨୦୨୨-୨୦୨୩)ରେ ଅବଧିକାଳୀନ ଶ୍ରମଶକ୍ତି ସର୍ବେକ୍ଷଣ (ପିଏଲ୍ଏଫ୍ଏସ୍)ରୁ ଆସିଛି। ପିଏଲଏଫଏସ ୨.୫ ନିୟୁତରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବିସ୍ତୃତ ନିଯୁକ୍ତି ଏବଂ ଜନସଂଖ୍ୟାଗତ ତଥ୍ୟ ପ୍ରଦାନ କରିଥାଏ, ଯାହା ଜାତୀୟ, ରାଜ୍ୟ ଏବଂ ଗ୍ରାମୀଣ / ସହରାଞ୍ଚଳ ସ୍ତରରେ ଧାରା ଏବଂ ଭିନ୍ନତାର ବିଶ୍ଳେଷଣକୁ ସକ୍ଷମ କରିଥାଏ। ଏଲଏଫପିଆରକୁ ୧୫ ବର୍ଷ କିମ୍ବା ତା’ଠାରୁ ଅଧିକ ବୟସର ମୋଟ ଜନସଂଖ୍ୟା ତୁଳନାରେ ନିୟୋଜିତ ଏବଂ ବେକାର ବ୍ୟକ୍ତି (କାମ ପାଇଁ ଚାହୁଁଥିବା କିମ୍ବା ଉପଲବ୍ଧ) ପ୍ରତିଶତ ଭାବରେ ଗଣନା କରାଯାଏ।