‘ମଖନା’ ଗୀତକୁ ନେଇ ହନି ସିଂହଙ୍କ ବିରୋଧରେ ମାମଲା ରୁଜୁ। ବଲିଉଡ଼୍ର ବିଖ୍ୟାତ ପଞ୍ଜାବୀ ଗାୟକ ୟୋ ୟୋ ହନି ସିଂଙ୍କ ପିଛା ଛାଡ଼ୁନି ବିବାଦ। ଏବେ ପୁଣି ତାଙ୍କ ନାଁରେ ଏକ ମାମଲା ରୁଜୁ ହୋଇଛି। ହନିଙ୍କ ଗୀତ ‘ମଖନା’ରେ ମହିଳାଙ୍କୁ ନେଇ ବିବାଦୀୟ ଶବ୍ଦ ବ୍ୟବହାର କରିବା ବିରୋଧରେ ମାମଲା ରୁଜୁ ହୋଇଛି। ପଞ୍ଜାବ ରାଜ୍ୟ ମହିଳା କମିଶନ ଏହି ଅଭିଯୋଗ କରିଛି। ରାଜ୍ୟ ମହିଳା ଆୟୋଗର ଅଧ୍ୟକ୍ଷା ମନୀଷା ଗୁଲାଟୀଙ୍କ କହିବା ମୁତାବକ, ମଖନା ଗୀତରେ ହନି ସିଂହ ନିଜକୁ ‘ୱମେନାଇଜର’ କହିଥିବାବେଳେ ମହିଳାଙ୍କ ଚରିତ୍ରକୁ ନେଇ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି। ଏଥିପାଇଁ ତାଙ୍କୁ କାରଣ ଦର୍ଶାଅ ପାଇଁ ଦାବି କରାଯାଇଛି। ମହିଳା ଆୟୋଗର ଅଭିଯୋଗ ଅନୁଯାୟୀ ହନି ଓ ଭୂଷଣ କୁମାରଙ୍କ ବିରୋଧରେ ମୋହାଲୀର ମଟୌର ଥାନାରେ ମାମଲା ରୁଜୁ ହୋଇଛି। ଉଭୟଙ୍କ ଉପରେ ୨୯୪ (ଗୀତ ମାଧ୍ୟମରେ ଅଶ୍ଳୀଳତା ପ୍ରଦର୍ଶନ) ଏବଂ ୫୦୬ (ଧମକାଇବା) ସହିତ ଆହୁରି ଦଫା ଲାଗିଛି। ୨୦୧୮ ଡିସେମ୍ବରରେ ଏହି ଗୀତଟି ରିଲିଜ୍ ହୋଇଥିଲା। ଏହି ଗୀତଟିକୁ ହନି ସିଂଙ୍କ ସହିତ ନେହା କକ୍କଡ ଗାଇଥିଲେ। ଏହା ପୂର୍ବରୁ ମଧ୍ୟ ୨୦୧୩ରେ ହନି ସିଂଙ୍କ ’ମେ ହୁଁ ବଳାତ୍କାରୀ’ ଗୀତଟିକୁ ନେଇ ମଧ୍ୟ ବିବାଦ ହୋଇଥିଲା।


