ଚାଷୀ ସଚେତନତା ରଥକୁ ଶୁଭାରମ୍ଭ କଲେ ପୁରୀ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ

Published: Dec 16, 2024, 7:37 pm IST

ଆଜି ପୁରୀ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଚାଷୀଙ୍କ ନିମନ୍ତେ ସଚେତନତା ରଥକୁ ଜିଲ୍ଲାପାଳ ସିଦ୍ଧାର୍ଥ ଶଙ୍କର ସ୍ବାଇଁ ଶୁଭାରମ୍ଭ କରିଛନ୍ତି। ଚଳିତ ଖରିଫ୍ ଧାନ ସଂଗ୍ରହ କାର୍ଯ୍ୟକ୍ରମ ଜିଲ୍ଲାରେ ଆସନ୍ତା ଜାନୁଆରୀ ମାସ ୩ ତାରିଖରୁ ଆରମ୍ଭ ହେବ। କେନ୍ଦ୍ର ସରକାରଙ୍କ ଦ୍ୱାରା ନିର୍ଦ୍ଧାରିତ ଧାନର ସର୍ବନିମ୍ନ ସହାୟକ ମୁଲ୍ୟ କୁଇଣ୍ଟାଲ ପିଛା ୨୩୦୦ ଟଙ୍କା ଅଛି। ଏହା ଉପରେ ରାଜ୍ୟ ସରକାରଙ୍କ ତରଫରୁ ଚାଷୀ ବିକ୍ରି କରିଥିବା ପ୍ରତି କୁଇଣ୍ଟାଲ ପିଛା ୮୦୦ ଟଙ୍କା ଇନପୁଟ୍ ସହାୟତା ରାଶି ପ୍ରଦାନ କରାଯିବ। ଏହିପରି ଭାବେ ପ୍ରତ୍ୟେକ ବିକ୍ରି ହୋଇଥିବା ଧାନ ବାବଦରେ ଚାଷୀ କୁଇଣ୍ଟାଲ ପିଛା ୩୧୦୦ ଟଙ୍କା ପାଇବେ

।ଏହା ସାଧାରଣ କିସମ ଓ FAQ ମାନର ଧାନ ନିମନ୍ତେ ପ୍ରଯୁଜ୍ୟ ଅଟେ।ସମସ୍ତ ଚାଷୀ ଧାନକୁ ଭଲଭାବରେ ଶୁଖାଇ ଓ ସଫା କରି ମଣ୍ଡିକୁ ଆଣିବା ପାଇଁ ଏହି ରଥ ପ୍ରତ୍ୟେକ ଗ୍ରାମ ବୁଲି ମାଇକ ଓ ପ୍ରଚାର ପତ୍ର ମାଧ୍ୟମରେ ସଚେତନତା ସୃଷ୍ଟି କରିବ। FAQ ମାନର ଧାନ ସମ୍ବନ୍ଧରେ ମଧ୍ୟ ସଚେତନତା ସୃଷ୍ଟି କରାଯିବ।ନିୟନ୍ତ୍ରିତ ବଜାର କମିଟି,ସାକ୍ଷୀଗୋପାଳ ଓ ନିମାପଡା ତରଫରୁ ଦୁଇଗୋଟି ପ୍ରଚାର ରଥ ଏହି ସଚେତନତା କାର୍ଯ୍ୟକ୍ରମ ପାଇଁ ନିୟୋଜିତ ହୋଇଛି।

ଏହି ଜିଲ୍ଲାରେ ଆସନ୍ତା ଜାନୁଆରୀ ୩ ତାରିଖରୁ ପିପିଲି, ବ୍ରହ୍ମଗିରି ଓ କୃଷ୍ଣପ୍ରସାଦ ବ୍ଲକ ଅଞ୍ଚଳରେ ମଣ୍ଡି ଆରମ୍ଭ ହେବାର କାର୍ଯ୍ୟକ୍ରମ ରହିଥିବା ବେଳେ ପୁରୀ ସଦର ଓ ସତ୍ୟବାଦୀ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୬ ତାରିଖରୁ ଏବଂ ଅନ୍ୟାନ୍ୟ ବ୍ଲକ୍ ଅଞ୍ଚଳ ଯଥା କଣାସ, ଗୋପ, ଅସ୍ତରଙ୍ଗ, କାକଟପୁର, ନିମାପଡା ଓ ଡେଲାଙ୍ଗ ବ୍ଲକ୍ ଅଞ୍ଚଳରେ ଜାନୁଆରୀ ୭ ତାରିଖରୁ ମଣ୍ଡି ଆରମ୍ଭ ହେବ।

Related posts