ୟୁପି ବିଧାନସଭାରେ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କଲେ ସିଏମ ଯୋଗୀ

Published: Dec 17, 2024, 4:31 pm IST

ଲକ୍ଷ୍ନୌ: ବିଧାନସଭାର ଶୀତକାଳୀନ ଅଧିବେଶନରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ କଂଗ୍ରେସ ନେତା ତଥା ୱାୟନାଡ ସାଂସଦ ପ୍ରିୟଙ୍କା ଗାନ୍ଧୀଙ୍କୁ ଟାର୍ଗେଟ କରିଛନ୍ତି। ମୁଖ୍ୟମନ୍ତ୍ରୀ ଯୋଗୀ କହିଛନ୍ତି ଯେ, କଂଗ୍ରେସ ନେତା ଏଥର ପାଲେଷ୍ଟାଇନ ଲେଖାଥିବା ବ୍ୟାଗ ଧରି ଚାଲୁଛନ୍ତି। ସିଏମ କହିଛନ୍ତି ଯେ, ଗତକାଲି ଜଣେ କଂଗ୍ରେସ ନେତା ପାଲେଷ୍ଟାଇନର ଏକ ବ୍ୟାଗ ଧରି ବୁଲୁଥିଲେ ଏବଂ ଆମେ ୟୁପିର ଯୁବକମାନଙ୍କୁ ଇସ୍ରାଏଲକୁ ପଠାଉଛୁ।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଗତକାଲି ଏକ ପାଲେଷ୍ଟାଇନର ଏକ ବ୍ୟାଗ୍ ନେଇ ସଂସଦରେ ଜଣେ କଂଗ୍ରେସ ନେତା ବୁଲୁଥିଲେ ଯେତେବେଳେ ଆମେ ୟୁପିର ଯୁବକମାନଙ୍କୁ ଇସ୍ରାଏଲକୁ ପଠାଉଛୁ, ଏପର୍ଯ୍ୟନ୍ତ ୟୁପିର ୫୬୦୦ ରୁ ଅଧିକ ଯୁବକ ନିର୍ମାଣ କାର୍ଯ୍ୟ ପାଇଁ ଇସ୍ରାଏଲକୁ ଯାଇଛନ୍ତି ଯେଉଁଠାରେ ସେମାନଙ୍କୁ ମାଗଣା ଆବାସ, ଖାଦ୍ୟ ଏବଂ ମାସକୁ ୧.୫ ଲକ୍ଷ ଟଙ୍କା ଦରମା ମିଳୁଛି।

ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଇସ୍ରାଏଲର ରାଷ୍ଟ୍ରଦୂତ ଆସିଛନ୍ତି। ସେ କହିଛନ୍ତି ଯେ, ୟୁପି ଯୁବକଙ୍କ ଦକ୍ଷତା ବହୁତ ଭଲ। ଆମେ ଅଧିକ ଲୋକଙ୍କୁ ଇସ୍ରାଏଲ ନେବୁ। ବିରୋଧୀ ଦଳ ଉଠାଇଥିବା ପ୍ରସଙ୍ଗ ଭିତ୍ତିହୀନ ଥିଲା। ସରକାରଙ୍କ ନୀତି ନିୟତ ସଫା। ୧୨ ଲକ୍ଷରୁ ଅଧିକ ଯୁବକଙ୍କୁ ଦକ୍ଷ କରାଯାଇଛି।

ଉଲ୍ଲେଖ ଯୋଗ୍ୟ ଯେ, କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ପାଲେଷ୍ଟାଇନ ଲେଖାଯାଇଥିବା ବ୍ୟାଗ ନେଇ ସୋମବାର ସଂସଦରେ ପହଞ୍ଚିଥିଲେ। ବର୍ତ୍ତମାନ ତାଙ୍କର ଏହି ବ୍ୟାଗକୁ ନେଇ ରାଜନୀତି ତୀବ୍ର ହୋଇଛି। ଗୋଟିଏ ପଟେ ବିଜେପି ନେତା ପ୍ରିୟଙ୍କା ଗାନ୍ଧୀଙ୍କ ଉପରେ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟପଟେ କଂଗ୍ରେସ ସମେତ ବହୁ ବିରୋଧୀଦଳ ନେତା ତାଙ୍କ ସମର୍ଥନରେ ଆଗକୁ ଆସିଛନ୍ତି।

Related posts