କର୍ଣ୍ଣାଟକ ଓ ଗୋଆରେ ଦ୍ରୁତ ଗତିରେ ବଦଳୁଥିବା ରାଜନୈତିକ ସମୀକରଣ ନେଇ ସାରା ଦେଶ ଏବେ ପୂରା ସରଗରମ। ଏହି ବିଷୟକୁ ନେଇ ମୋଦି ସରକାରଙ୍କୁ ବିରୋଧୀ ଘେରିଛନ୍ତି। ନିକଟରେ ବହୁଜନ ସମାଜ ପାର୍ଟିର ଅଧ୍ୟକ୍ଷ ମାୟାବତୀ ଗୁରୁବାର ଦିନ ଭାରତୀୟ ଜନତା ପାର୍ଟି (ବିଜେପି)କୁ ଟାର୍ଗେଟ୍ କରିଛନ୍ତି। ବିଜେପି ଧନବଳ ଦ୍ବାରା ବିଧାୟକଙ୍କ ଗଡ଼ ଭଙ୍ଗ କରୁଥିବାର ଆରୋପ ଲଗାଇଛନ୍ତି ମାୟାବତୀ। ଏଥିପାଇଁ ଏକ ଦୃଢ ଆଇନ୍ ପାଇଁ ଦାବି କରିଛନ୍ତି ମାୟାବତୀ। ମାୟାବତୀ ଟୁଇଟ୍ କରି କହିଛନ୍ତି ଯେ, ବିଜେପି ପୁଣି ଥରେ କର୍ଣ୍ଣାଟକ ଓ ଗୋଆରେ ଯେଉଁ ପ୍ରକାରର ଧନବଳ ଓ ଶକ୍ତିର ଦୁରୁପ୍ରୟୋଗ କରି ବିଧାୟକଙ୍କ ଦଳ ଭାଙ୍ଗୁଛନ୍ତି, ତାହା ଲୋକତନ୍ତ୍ରକୁ କଳଙ୍କିତ କରୁଛି। ତେବେ ଏପରି ସମୟରେ ଦଳବଦଳ କରୁଥିବା ସଦସ୍ୟଙ୍କ ପ୍ରତି କଡା ଆଇନ୍ ହେବା ଉଚିତ୍ ବୋଲି ମାୟା କହିଛନ୍ତି। ଏହା ପୂର୍ବରୁ ବିଏସ୍ପି ସଂସଦରେ କର୍ଣ୍ଣାଟକ ଓ ଗୋଆ ବିଷୟକୁ ନେଇ ବିଜେପିକୁ ମଧ୍ୟ ବିରୋଧ କରିଥିଲା। ଏହି ବିରୋଧ ପ୍ରଦର୍ଶନରେ ବିଏସ୍ପି ସହ ଅନ୍ୟ ବିରୋଧୀ ଦଳ ମାନେ ମଧ୍ୟ ସାମିଲ୍ ହୋଇଛନ୍ତି। ଏଥିରେ ସପା, ଟିଏମ୍ସି, ମାକପା ଓ ଏନ୍ସିପି ପରି ଦଳମାନେ ମଧ୍ୟ ସାମିଲ୍ ହୋଇ ଗୋଆ ଓ କର୍ଣ୍ଣାଟକରେ ବିଜେପି ଅସ୍ଥିର ରାଜନୀତି କରୁଛି ବୋଲି ଆକ୍ଷେପ କରିଥିଲେ।