ନୂଆଦିଲ୍ଲୀ: କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ଏବଂ ଗ୍ରାମ୍ୟ ଉନ୍ନୟନ ମନ୍ତ୍ରୀ ଶିବରାଜ ସିଂ ଚୌହାନ ଆଜି ନୂଆଦିଲ୍ଲୀରେ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର କୃଷି ମନ୍ତ୍ରୀମାନଙ୍କ ସହ ମନ୍ତ୍ରଣାଳୟର ବିଭିନ୍ନ ଯୋଜନା ବାବଦରେ ଏକ ସମୀକ୍ଷା କରିଛନ୍ତି। ଏହି ସମୀକ୍ଷା ବୈଠକ ଆଭାସୀ ମାଧ୍ୟମରେ ଆୟୋଜିତ ହୋଇଥିଲା। ବୈଠକରେ କୃଷି ଓ କୃଷକ କଲ୍ୟାଣ ବିଭାଗ ସଚିବ ଡ. ଦେବେଶ ଚତୁର୍ବେଦୀ ଏବଂ ମନ୍ତ୍ରଣାଳୟର ଅନ୍ୟ ବରିଷ୍ଠ ଅଧିକାରୀମାନେ ଉପସ୍ଥିତ ଥିଲେ। ମନ୍ତ୍ରଣାଳୟର ବିଭିନ୍ନ କାର୍ଯ୍ୟର ସମୀକ୍ଷା କରିବା ଅବସରରେ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ ନୂଆବର୍ଷରେ ନୂଆ ସଂକଳ୍ପ ସହିତ ଆମେ କୃଷି ବିକାଶ ଏବଂ କୃଷକ କଲ୍ୟାଣ କାର୍ଯ୍ୟକୁ ଦ୍ରୁତ ଗତିରେ ଆଗେଇ ନେବୁ। ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଲାଲକିଲ୍ଲାରୁ କହିଥିଲେ ଯେ ମୁଁ ତୃତୀୟ ପାଳିରେ ତିନି ଗୁଣ ଶକ୍ତି ସହିତ କାମ କରିବି, ଆମେ ମଧ୍ୟ ସଂକଳ୍ପ ନେବା ଉଚିତ ଯେ ଆମେ ଆମର ସମ୍ପୂର୍ଣ୍ଣ ସାମର୍ଥ୍ୟ ସହିତ କାମ କରିବୁ। ଶ୍ରୀ ଚୌହାନ କହିଛନ୍ତି ଯେ ଏହା ଖୁସିର ବିଷୟ ଯେ ଚଳିତ ବର୍ଷ କୃଷି ଏବଂ ଆନୁଷଙ୍ଗିକ କ୍ଷେତ୍ରର ଅଭିବୃଦ୍ଧି ହାର ୩.୫ ପ୍ରତିଶତରୁ ୪ ପ୍ରତିଶତ ମଧ୍ୟରେ ରହିବାର ସମ୍ଭାବନା ରହିଛି। ଏଥିପାଇଁ ମୁଁ ଆମର କୃଷକ ଏବଂ ସମସ୍ତ ରାଜ୍ୟର ମନ୍ତ୍ରୀମାନଙ୍କୁ ଅଭିନନ୍ଦନ ଜଣାଉଛି। କାରଣ ଏହି ଫଳାଫଳ କେବଳ ଆପଣ ସମସ୍ତଙ୍କ କଠିନ ପରିଶ୍ରମ ଯୋଗୁଁ ସମ୍ଭବ ହୋଇପାରିଛି।
ପ୍ରଧାନମନ୍ତ୍ରୀଙ୍କ ନେତୃତ୍ୱରେ କୃଷି କ୍ଷେତ୍ରରେ କୃଷକ କଲ୍ୟାଣ ଓ ବିକାଶ ପାଇଁ ଆମର ୬ ସୂତ୍ରୀ ରଣନୀତି ରହିଛି। ପ୍ରଥମେ ଉତ୍ପାଦନ ବୃଦ୍ଧି – ହେକ୍ଟର ପିଛା କିମ୍ବା ଏକର ପିଛା ଉତ୍ପାଦନ କିପରି ବୃଦ୍ଧି କରାଯିବ ତାହା ସରକାରଙ୍କ ରଣନୀତି ପ୍ରସ୍ତୁତ କରିବା, ଏଥିପାଇଁ ଆଇସିଏଆର ନିରନ୍ତର ଗବେଷଣା କରି ଉନ୍ନତ ପ୍ରଜାତିର ବିହନ ପ୍ରଦାନ କରିଥାନ୍ତି ବୋଲି ସେ କହିଛନ୍ତି । କ୍ଷୁଦ୍ର ଜଳସେଚନ ଯୋଜନା, ଯାନ୍ତ୍ରିକୀକରଣ, ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ନୂତନ କୃଷି ପଦ୍ଧତି ଇତ୍ୟାଦି ଅନେକ ଦିଗରେ ଆମେ କାର୍ଯ୍ୟ କରୁଛୁ । ଉତ୍ପାଦନ ବୃଦ୍ଧି ସହିତ ଉତ୍ପାଦନ ଖର୍ଚ୍ଚ କିପରି ହ୍ରାସ କରାଯିବ ସେ ଦିଗରେ ମଧ୍ୟ ଆମେ ଧ୍ୟାନ ଦେଉଛୁ। କେନ୍ଦ୍ରମନ୍ତ୍ରୀ ଶ୍ରୀ ଚୌହାନ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପିଏମ କିଷାନ ସମ୍ମାନ ନିଧି ଆରମ୍ଭ କରିଛନ୍ତି । ମୋତେ ଏହା କହି ଖୁସି ଲାଗୁଛି ଯେ ବର୍ତ୍ତମାନ ସୁଦ୍ଧା ୧୮ଟି କିସ୍ତିରେ ୧୧ କୋଟି କୃଷକଙ୍କୁ ୩.୪୬ ଲକ୍ଷ କୋଟି ଟଙ୍କା (୩ ଲକ୍ଷ ୪୬ ହଜାର କୋଟି) ବଣ୍ଟନ କରାଯାଇଛି। ମୋଦିଙ୍କ ତୃତୀୟ ପାଳିର ପ୍ରଥମ ୧୦୦ ଦିନରେ ୨୫ ଲକ୍ଷରୁ ଅଧିକ ଯୋଗ୍ୟ କୃଷକ ଏହି ଯୋଜନାରେ ଯୋଡ଼ି ହୋଇଛନ୍ତି। ୧୮ତମ କିସ୍ତିର ଲାଭ ନେଉଥିବା ଲୋକଙ୍କ ସଂଖ୍ୟା ୯.୫୮ କୋଟି (୯ କୋଟି ୫୮ ଲକ୍ଷ)କୁ ବୃଦ୍ଧି ପାଇଛି।
ପ୍ରଧାନମନ୍ତ୍ରୀ ଫସଲ ବୀମା ଯୋଜନା ବିଶ୍ୱର ସର୍ବବୃହତ ଫସଲ ବୀମା ଯୋଜନା ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି । ଏଥିରେ ଋଣଧାରୀଙ୍କ ଆବେଦନ ୮୭୬ ଲକ୍ଷ ଓ ଅଣଋଣଧାରୀଙ୍କ ଆବେଦନ ୫୫୨ ଲକ୍ଷ ରହିଛି। ସମୁଦାୟ ୧୪.୨୮ କୋଟି (୧୪ କୋଟି ୨୮ ଲକ୍ଷ) ଚାଷୀ ଆବେଦନ କରିଛନ୍ତି, ୬୦୨ ଲକ୍ଷ ହେକ୍ଟର ଜମିର ବୀମା କରାଯାଇଛି ଏବଂ ମୋଟ ବୀମା ରାଶି ୨,୭୩,୦୪୯ କୋଟି ଟଙ୍କା (୨ ଲକ୍ଷ ୭୩ ହଜାର ୦୪୯ କୋଟି ଟଙ୍କା) ରହିଛି। ଏହି ଯୋଜନାରେ ୪ କୋଟି କୃଷକ ଉପକୃତ ହୋଇଛନ୍ତି। ଏହି ଯୋଜନା ଆରମ୍ଭ ହେବା ପରଠାରୁ ଚାଷୀ ଭାଇମାନଙ୍କୁ ଦାବି ଆକାରରେ ୧୭ ହଜାର କୋଟି ଟଙ୍କା ଦିଆଯାଇଛି।
ଶ୍ରୀ ଚୌହାନ କହିଛନ୍ତି ଯେ ଉତ୍ପାଦନ ଖର୍ଚ୍ଚ ହ୍ରାସ କରିବା ପାଇଁ ସାର ଉପରେ ରିହାତି ବ୍ୟବସ୍ଥା ରହିଛି। ଗତବର୍ଷ ୧ ଲକ୍ଷ ୯୫ ହଜାର କୋଟି ଟଙ୍କା ଏବାବଦରେ ଖର୍ଚ୍ଚ ହୋଇଥିଲା। ଜାନୁଆରୀ ୧ ରେ କ୍ୟାବିନେଟ୍ ନିଷ୍ପତ୍ତି ଅନୁସାରେ ଫସଲ ବୀମା ଯୋଜନାକୁ ୬୬ ହଜାର କୋଟି ଟଙ୍କାରୁ ୬୯ ହଜାର କୋଟି ଟଙ୍କାରୁ ଅଧିକକୁ ବୃଦ୍ଧି କରାଯାଇଛି। ଡିଏପି ଭଳି ସାର ସବସିଡି ଏବେ ୫୦ କେଜି ବ୍ୟାଗ୍ ପିଛା ୧୩୫୦ ଟଙ୍କା ମୂଲ୍ୟରେ ଉପଲବ୍ଧ ହେବ, ଏଥିପାଇଁ ୩୮୦୦ କୋଟି ଟଙ୍କାର ବ୍ୟବସ୍ଥା କରାଯାଇଛି। କିସାନ କ୍ରେଡିଟ ବ୍ୟବସ୍ଥାରେ କମ୍ ସୁଧରେ ଋଣ ପ୍ରଦାନ ସମେତ ଅନେକ ପଦକ୍ଷେପ ନିଆଯାଇଛି ବୋଲି କେନ୍ଦ୍ରମନ୍ତ୍ରୀ କହିଛନ୍ତି। କୃଷକମାନଙ୍କୁ ସେମାନଙ୍କ ଉତ୍ପାଦର ଉପଯୁକ୍ତ ମୂଲ୍ୟ ପ୍ରଦାନ ଲାଗି ସର୍ବନିମ୍ନ ସହାୟକ ମୂଲ୍ୟ ବା ଏମ୍ଏସ୍ପି ପ୍ରଦାନର ବ୍ୟବସ୍ଥା କରାଯାଇଛି। ଏହି ବ୍ୟବସ୍ଥାରେ ଯାହା ବି ଗହମ ଓ ଚାଉଳ ଆସେ, ତାହାକୁ ଏମଏସପିରେ କିଣାଯାଉଥିବା ସେ କହିଛନ୍ତି। ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ୭ ହଜାର ୧୨୫ ଲକ୍ଷ ମେଟ୍ରିକ୍ ଟନ୍ ଗହମ କ୍ରୟ ହୋଇଛି ବୋଲି ସେ କହିଛନ୍ତି। ପ୍ରଧାନମନ୍ତ୍ରୀ ଅନ୍ନଦାତା ଆୟ ସଂରକ୍ଷଣ ଅଭିଯାନ ଅଧୀନରେ ୧,୬୦,୮୧୮.୬୩ ମେଟ୍ରିକ୍ ଟନ୍ ତୈଳବୀଜ, ଡାଲି ଓ କୋପ୍ରା କ୍ରୟ କରାଯାଇଥିଲା। ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ୩,୩୩୮ ଲକ୍ଷ ମେଟ୍ରିକ୍ ଟନ୍ ଗହମ କ୍ରୟ କରାଯାଇଥିଲା, ଯେଉଁଥିପାଇଁ ୨ କୋଟି ୮୩ ଲକ୍ଷ ଚାଷୀଙ୍କୁ ୬ ଲକ୍ଷ ୪ ହଜାର କୋଟି ଟଙ୍କାର ଏମଏସପି ପ୍ରଦାନ କରାଯାଇଥିଲା। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ୩.୬ ଲକ୍ଷ (୩ ଲକ୍ଷ ୬୦ ହଜାର) ମେଟ୍ରିକ ଟନ୍ ମକା କ୍ରୟ ହୋଇଥିବା ବେଳେ ଏଥିପାଇଁ ଏମଏସପି ୬୬୦ କୋଟି ଟଙ୍କା ରହିଛି। ୨୦୧୯-୨୦ରୁ ୨୦୨୪-୨୫ ମଧ୍ୟରେ ୪୧.୧୯ ଲକ୍ଷ (୪୧ ଲକ୍ଷ ୧୯ ହଜାର) ମେଟ୍ରିକ୍ ଟନ୍ ମୋଟା ଶସ୍ୟ (ଶ୍ରୀ ଆନ୍ନ) କ୍ରୟ କରାଯାଇଛି, ଯାହାର ଏମଏସପି ୧୨ ହଜାର୧୫୩ କୋଟି ଟଙ୍କା। ୨୦୧୪-୧୫ରୁ ୨୦୨୪-୨୫ ମଧ୍ୟରେ ୧୭୧ ଲକ୍ଷ ମେଟ୍ରିକ୍ ଟନ୍ ଡାଲି କ୍ରୟ ହୋଇଥିବା ବେଳେ ଏଥିପାଇଁ ୯୪.୫୧ ଲକ୍ଷ ଚାଷୀଙ୍କୁ ୯୧ ହଜାର ୮୯୨ କୋଟି ଟଙ୍କା ଏମ୍ଏସପି ଆକାରରେ ପ୍ରଦାନ କରାଯାଇଛି। ଏମଏସପି ଅଧୀନରେ ୧ ହଜାର ୫୮୮ କୋଟି ପ୍ରଦାନ କରାଯାଇଥିଲା, ଯାହାଦ୍ୱାରା ୧ ଲକ୍ଷ ୩୩ ହଜାର ୩୫୮ କୃଷକ ଉପକୃତ ହୋଇଥିଲେ।
କୃଷି ଭିତ୍ତିଭୂମି ପାଣ୍ଠି ଅଧୀନରେ ଋଣ ପ୍ରଦାନକାରୀ ସଂସ୍ଥାଗୁଡ଼ିକ ୧ ଲକ୍ଷ କୋଟି ଟଙ୍କାର ଋଣ ଦେବେ ବୋଲି କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି। ୨୦୨୪ ସୁଦ୍ଧା ୮୫ ହଜାର ୩୧୪ କୋଟି ଟଙ୍କା ମୂଲ୍ୟର ପ୍ରକଳ୍ପ ପାଇଁ ୫୧ ହଜାର ୭୮୩ କୋଟି ଟଙ୍କା ମଞ୍ଜୁର କରାଯାଇଛି। ସେଥିମଧ୍ୟରୁ ୩୯ ହଜାର ୧୪୮ କୋଟି ଟଙ୍କା ଯୋଜନାର ଲାଭ ଅଧୀନରେ ଅନ୍ତର୍ଭୁକ୍ତ ହୋଇଛି। ଅନୁମୋଦିତ ପ୍ରକଳ୍ପରୁ କୃଷି କ୍ଷେତ୍ରରେ ୮୫ ହଜାର ୨୦୮ କୋଟି ପୁଞ୍ଜି ନିବେଶ କରାଯାଇଛି।
ଶ୍ରୀ ଚୌହାନ କହିଛନ୍ତି ଯେ ଫସଲର ବୈଧତା ଉପରେ ଧ୍ୟାନ ଦେବା ଜରୁରୀ । ରାଜ୍ୟଗୁଡ଼ିକ ମଧ୍ୟ ଏ ଦିଗରେ ଉନ୍ନତ ପ୍ରୟାସ କରୁଛନ୍ତି। ଶସ୍ୟ ହେଉ କି ଉଦ୍ୟାନ କୃଷି, ଉତ୍ପାଦନ କ୍ରମାଗତ ଭାବେ ବୃଦ୍ଧି ପାଉଛି। ୨୦୧୩-୧୪ରେ ଖାଦ୍ୟଶସ୍ୟ ଉତ୍ପାଦନ ୨୬୫.୦୫ ନିୟୁତ ଟନ୍ ଥିବା ବେଳେ ୨୦୨୩-୨୪ରେ ୩୨୮.୮୫ ନିୟୁତ ଟନକୁ ବୃଦ୍ଧି ପାଇଛି। ସେହିପରି ଉଦ୍ୟାନ କୃଷି ଉତ୍ପାଦନ ୩୫୨.୨୩ ନିୟୁତ ଟନ୍ ରେକର୍ଡ କରାଯାଇଛି। ଜାତୀୟ ଖାଇବା ତେଲ ମିଶନ ଅଧୀନରେ ୧.୩୮ ଲକ୍ଷ ହେକ୍ଟର ଜମିରେ ତୈଳ ପାଇଁ ତାଳ ଚାଷକୁ ପ୍ରୋତ୍ସାହନ ଦେବା ପାଇଁ କେନ୍ଦ୍ରୀୟ ଅଂଶ ଭାବରେ ୧୫ଟି ରାଜ୍ୟକୁ ୯୯୩ କୋଟି ୧୧ ଲକ୍ଷ ୩୬ ହଜାର ଟଙ୍କା ଆବଣ୍ଟନ କରିବାକୁ ଅନୁମୋଦନ ମିଳିଛି।
ଶ୍ରୀ ଚୌହାନ କହିଛନ୍ତି ଯେ କୃଷି କ୍ଷେତ୍ରରେ ନିରନ୍ତର ପ୍ରଗତି ହେଉଛି ଏବଂ ଆମେ ସମସ୍ତେ ଏଥିପାଇଁ ନିରନ୍ତର ପ୍ରୟାସ କରୁଛୁ। ଆଉ ଏକ ଅଭିଯାନ ଚାଲିଛି, ଯେଉଁଥିରେ ରାସାୟନିକ ସାରର ଅନିୟନ୍ତ୍ରିତ ବ୍ୟବହାର ଯୋଗୁଁ ପୃଥିବୀକୁ ହେଉଥିବା କ୍ଷତି ପାଇଁ ପ୍ରାକୃତିକ ଚାଷ ଅଭିଯାନକୁ ପ୍ରୋତ୍ସାହିତ କରିବା ପାଇଁ କ୍ୟାବିନେଟ୍ ନିକଟରେ ଅନୁମୋଦନ କରିଛି, ଆମ ସମସ୍ତଙ୍କୁ ମିଳିମିଶି ଏହାକୁ ଆରମ୍ଭ କରିବାକୁ ପଡ଼ିବ ବୋଲି ସେ ସୂଚନା ଦେଇଛନ୍ତି।
ଶ୍ରୀ ଚୌହାନ କହିଛନ୍ତି ଯେ ଆଜିର ବୈଠକରେ ମୁଖ୍ୟ ଫୋକସ୍ ଦୁଇଟି ଜିନିଷ ଉପରେ ରହିଛି। ରାଜ୍ୟରେ କୃଷି ପ୍ରସଙ୍ଗରେ ଆଲୋଚନା କରିବା ପାଇଁ ମୁଁ ଆପଣସମସ୍ତଙ୍କୁ ସ୍ୱାଗତ କରୁଛି । ମୁଁ ଆପଣଙ୍କୁ ପ୍ରତ୍ୟେକ ପ୍ରସଙ୍ଗରେ କଥା ହେବାକୁ ନିମନ୍ତ୍ରଣ କରୁଛି । ଆଜିର ବୈଠକର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆମେ ଆମର ଲକ୍ଷ୍ୟ ପୂରଣ ଉଦ୍ଦେଶ୍ୟରେ ଆଗାମୀ ବଜେଟ ପାଇଁ ପରାମର୍ଶ ଦେବୁ। ଏଥିପାଇଁ ଆମେ କୃଷକ ଏବଂ ଅଂଶୀଦାରଙ୍କ ସହ ମଧ୍ୟ କଥା ହୋଇଛୁ। କୃଷିମନ୍ତ୍ରୀ କୃଷକଙ୍କ ସମସ୍ୟାକୁ ଭଲ ଢଙ୍ଗରେ ବୁଝାଇପାରିବେ। ଯଦି ବଜେଟ୍ ଓ ଚାଲୁଥିବା ଯୋଜନା ସମ୍ପର୍କରେ ଆପଣଙ୍କର କୌଣସି ପରାମର୍ଶ ବା ସଂଶୋଧନର ଆବଶ୍ୟକତା ରହିଛି, ତେବେ ଏ ସଂକ୍ରାନ୍ତରେ ଆବଶ୍ୟକ ପରାମର୍ଶ ଦିଅନ୍ତୁ।
ବୈଠକରେ ଶ୍ରୀ ଚୌହାନ ୨୦୨୪ ଆର୍ଥିକ ବର୍ଷରେ ପ୍ରଥମ ଥର ପାଇଁ ଗ୍ରାମୀଣ ଦାରିଦ୍ର୍ୟ ହାର ୫% ତଳେ ଥିବା ଏସବିଆଇର ରିପୋର୍ଟକୁ ନେଇ ଖୁସି ବ୍ୟକ୍ତ କରିଛନ୍ତି। ସର୍ବେକ୍ଷଣ ଅନୁଯାୟୀ, ୨୦୨୪ ଆର୍ଥିକ ବର୍ଷରେ ଗ୍ରାମୀଣ ଦାରିଦ୍ର୍ୟ ୪.୮୬ ପ୍ରତିଶତ ରହିବ ବୋଲି ଆକଳନ କରାଯାଇଛି, ଯାହାକି ୨୦୨୩ ଆର୍ଥିକ ବର୍ଷରେ ୭.୨ ପ୍ରତିଶତ ଏବଂ ୨୦୧୨ ଆର୍ଥିକ ବର୍ଷରେ ୨୫.୭ ପ୍ରତିଶତ ଥିଲା। ସେହିପରି ୨୦୨୪ ଆର୍ଥିକ ବର୍ଷରେ ସହରାଞ୍ଚଳ ଦାରିଦ୍ର୍ୟ ୪.୦୯ ପ୍ରତିଶତକୁ ଖସି ଆସିଥିବା ବେଳେ ୨୦୨୩ ଆର୍ଥିକ ବର୍ଷରେ ଏହା ୪.୬ ପ୍ରତିଶତ ଓ ୨୦୧୨ ଆର୍ଥିକ ବର୍ଷରେ ୧୩.୭ ପ୍ରତିଶତ ରହିଥିଲା। ନିକଟରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ମଧ୍ୟ କହିଛନ୍ତି ଯେ ଗତ ୧୦ ବର୍ଷ ମଧ୍ୟରେ ୨୩ କୋଟିରୁ ଅଧିକ ଲୋକ ଦାରିଦ୍ର୍ୟରୁ ମୁକୁଳିଛନ୍ତି।
ଫସଲ ବୀମା ଯୋଜନା ସମ୍ପର୍କରେ ସେ କହିଛନ୍ତି ଯେ ପୂର୍ବରୁ ଫସଲ କଟା ମାଧ୍ୟମରେ କ୍ଷୟକ୍ଷତିର ଆକଳନ କରାଯାଉଥିଲା ବର୍ତ୍ତମାନ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି ଯେ ଏହା ବର୍ତ୍ତମାନ ସାଟେଲାଇଟ୍ ଆଧାରିତ ଅର୍ଥାତ୍ ରିମୋଟ୍ ସେନ୍ସିଂ ମାଧ୍ୟମରେ କରାଯିବ। ଏହାଦ୍ୱାରା ଫସଲ କ୍ଷୟକ୍ଷତିର ଠିକଣା ଆକଳନ ସୁନିଶ୍ଚିତ ହେବ ଏବଂ ଡିବିଟି ମାଧ୍ୟମରେ ସଠିକ୍ ସମୟରେ ଟଙ୍କା ହସ୍ତାନ୍ତର କରାଯିବ, ଯଦି କୌଣସି ବୀମା କମ୍ପାନୀ ଅର୍ଥ ପ୍ରଦାନରେ ବିଳମ୍ବ କରନ୍ତି ତେବେ ତାଙ୍କୁ ଏହି ରାଶି ଉପରେ ୧୨% ସୁଧ ଦେବାକୁ ପଡ଼ିବ । କେନ୍ଦ୍ର ତୁରନ୍ତ ଏହି ରାଶିର ନିଜ ଭାଗ ଦେବ ବୋଲି ସେ କହିଛନ୍ତି। ଏଭଳି ପରିସ୍ଥିତିରେ ତୁରନ୍ତ ଟଙ୍କା ଦେବାର ବ୍ୟବସ୍ଥା କରିବାକୁ ସେ ରାଜ୍ୟମାନଙ୍କୁ ନିବେଦନ କରିଛନ୍ତି। କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ପାଣିପାଗ ଭିତ୍ତିକ ଫସଲ ପାଇଁ ଅନେକ ବ୍ୟବସ୍ଥା କରାଯିବା ସହ ନିକଟ ଅତୀତରେ କୃଷକଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଅନେକ ନିଷ୍ପତ୍ତି ନିଆଯାଇଛି ।
ଟମାଟୋ, ପିଆଜ ଓ ଆଳୁ ଭଳି ଫସଲ କ୍ଷେତ୍ରରେ ଅମଳର ସର୍ବୋଚ୍ଚ ସମୟରେ ଉତ୍ପାଦକ ଓ ଉପଭୋକ୍ତା ରାଜ୍ୟ ମଧ୍ୟରେ ମୂଲ୍ୟ ପାର୍ଥକ୍ୟକୁ ଦୂର କରିବା ପାଇଁ କେନ୍ଦ୍ରୀୟ ନୋଡାଲ ଏଜେନ୍ସିଦ୍ୱାରା କରଯାଉଥିବା ପରିବହନ ଏବଂ ସଂରକ୍ଷଣ ଖର୍ଚ୍ଚ ସରକାର ବହନ କରିବାକୁ ନିଷ୍ପତ୍ତି ନେଇଛନ୍ତି। ତୈଳବୀଜର ବିକଳ୍ପ ଭାବରେ ମୂଲ୍ୟ ନିଅଣ୍ଟ ଦେୟ ଯୋଜନା କାର୍ଯ୍ୟକାରୀ କରିବାକୁ ରାଜ୍ୟଗୁଡ଼ିକ ଆଗେଇ ଆସିବା ଉଚିତ, ଏଥିପାଇଁ ତୈଳବୀଜର ରାଜ୍ୟ ଉତ୍ପାଦନର ୨୫% ରୁ ୪୦% କୁ ବୃଦ୍ଧି କରାଯାଇଛି । ଏହି ଅବଧିକୁ ୩ ମାସରୁ ୪ ମାସକୁ ବୃଦ୍ଧି କରାଯାଇଛି। ୨୦୨୪-୨୫ ପାଇଁ ସୋୟାବିନରେ ଆର୍ଦ୍ରତା ସୀମା ୧୨%ରୁ ୧୫%କୁ ବୃଦ୍ଧି କରାଯାଇଛି। ବର୍ତ୍ତମାନ ସୁଦ୍ଧା ୬ଟି ରାଜ୍ୟରୁ ୧୧.୪୧ ଲକ୍ଷ ମେଟ୍ରିକ୍ ଟନ୍ ସୋୟାବିନ୍ କିଣାଯାଇଛି ଏବଂ ଏହା ଏବେ ବି ଜାରି ରହିଛି। କେନ୍ଦ୍ରମନ୍ତ୍ରୀ ଶ୍ରୀ ଶିବରାଜ ସିଂ ଚୌହାନ କହିଛନ୍ତି ଯେ କୃଷି ହେଉଛି ଭାରତୀୟ ଅର୍ଥନୀତିର ମେରୁଦଣ୍ଡ ଏବଂ କୃଷକମାନେ ଏହାର ଆତ୍ମା, କୃଷକଙ୍କ ସେବା କରିବା ଆମ ପାଇଁ ଭଗବାନଙ୍କ ଉପାସନା । ଏହି ଚିନ୍ତାଧାରାକୁ ପାଥେୟ କରି କୃଷି ବିଭାଗ ସମସ୍ତ ରାଜ୍ୟର ମିଳିତ ସହଯୋଗରେ କାର୍ଯ୍ୟ କରୁଛି। ବଜେଟ ବ୍ୟବସ୍ଥା ଓ ବିଭିନ୍ନ ଯୋଜନା ଲାଗି ଆମେ ମିଳିତ ଭାବେ ମତାମତ ଓ ପ୍ରସ୍ତାବ ପ୍ରଦାନ କରିବୁ ତଥା ଏକାଠି ସେହି ରାସ୍ତାରେ ଆଗକୁ ବଢ଼ିବୁ ବୋଲି ସେ ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି।