ନୂଆଦିଲ୍ଲୀ: ହରିୟାଣାରେ ବିଜେପି ସାମ୍ନାରେ ଏକ ନୂଆ ସମସ୍ୟା ଉପୁଜିଛି। ବିଜେପି ରାଜ୍ୟ ସଭାପତି ମୋହନ ଲାଲ ବଡୌଲି ଗଣଦୁଷ୍କର୍ମ ମାମଲାରେ ଛନ୍ଦି ହୋଇଛନ୍ତି। ବର୍ତ୍ତମାନ ଏହି ମାମଲାର ତଦନ୍ତ ଜାରି ରହିଛି। ଏହି ସମୟରେ ଦଳର ବରିଷ୍ଠ ନେତାଙ୍କ ବିରୋଧରେ ଏହି ଅଭିଯୋଗ ଲାଗିଛି, ଯେତେବେଳେ ବିଜେପି ଦିଲ୍ଲୀରେ କ୍ଷମତା ହାସଲ କରିବାକୁ ଚେଷ୍ଟା କରୁଛି।
ହରିୟାଣାରେ ରାଜ୍ୟ ସଭାପତି ପଦ ପାଇଁ ନିର୍ବାଚନକୁ ବିଜେପି ସ୍ଥଗିତ ରଖିଛି ଏବଂ କୌଣସି ତାରିଖ ଘୋଷଣା କରିନାହିଁ। ଜାନୁଆରୀ ଶେଷରେ ଅନୁଷ୍ଠିତ ହେବାକୁ ଥିବା ନିର୍ବାଚନ ବର୍ତ୍ତମାନ ସ୍ଥାନୀୟ ସଂସ୍ଥା ନିର୍ବାଚନର ଫଳାଫଳ ଘୋଷଣା ହେବା ପରେ ଅନୁଷ୍ଠିତ ହେବ।
ଗୋଟିଏ ପଟେ ରାଜ୍ୟ ସଭାପତି ଅନ୍ୟ ବିଜେପି ନେତାଙ୍କ ସମର୍ଥନ ପାଇଥିବାବେଳେ ଅନିଲ ବିଜ କିନ୍ତୁ ସମର୍ଥନ କରିନାହାନ୍ତି। ସେ କହିଛନ୍ତି ଯେ, ବଡୌଲି ତାଙ୍କ ପଦରୁ ଇସ୍ତଫା ଦିଅନ୍ତୁ। ମୋହନ ଲାଲ ବଡୌଲି ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନିଙ୍କ ଘନିଷ୍ଠ ବୋଲି ବିବେଚନା କରାଯାଏ। ସେପଟେ କ୍ୟାବିନେଟ ମନ୍ତ୍ରୀ ଅନିଲ ବିଜ ତାଙ୍କ ସମ୍ପର୍କରେ ଏକ ବଡ଼ ବିବୃତ୍ତି ଦେଇଛନ୍ତି।
ଅନିଲ ବିଜ କହିଛନ୍ତି ଯେ, ଯେପର୍ଯ୍ୟନ୍ତ ମୋହନ ଲାଲ ବଡୌଲିଙ୍କ ତଦନ୍ତ ଚାଲିଛି, ସେ ହରିୟାଣା ବିଜେପି ସଭାପତି ପଦ ଛାଡିବା ଉଚିତ। ତେବେ ସେ ନିଶ୍ଚିତ ଯେ, ବଡୌଲି ସମ୍ପୂର୍ଣ୍ଣ ନିର୍ଦ୍ଦୋଷ ଏବଂ ଏହା ଖୁବ ଶୀଘ୍ର ତଦନ୍ତରେ ପ୍ରକାଶ ପାଇବ, କିନ୍ତୁ ତାହା ନହେବା ପର୍ଯ୍ୟନ୍ତ ସେ ଏହି ପଦରୁ ଇସ୍ତଫା ଦେବା ଉଚିତ୍।