ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ବନଖଣ୍ଡର ଘୋଡ଼ାହାଡ଼ ଓ ବାଘଲଟି ଜଳଭଣ୍ଡାର କ୍ରମାଗତ ଭାବେ ଶୁଖିବା, ବିଳମ୍ବିତ ମୌସୁମୀ, ଖୁବ୍ କମ୍ ପରିମାଣର ବର୍ଷା ଓ ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ୨ଟି ଡ୍ୟାମ୍ରେ ଏବର୍ଷ ପକ୍ଷୀ ସଂଖ୍ୟା କମିଥିବା ଦେଖିବାକୁ ମିଳିଛି। ବ୍ରହ୍ମପୁର ବନଖଣ୍ଡକୁ ୨୨ହଜାର ୭୭୭ ପକ୍ଷୀ ଆସିବା ବନ ବିଭାଗ ପକ୍ଷରୁ ହୋଇଥିବା ଗଣନାରୁ ସ୍ପଷ୍ଟ ହୋଇଛି। ଗତବର୍ଷଠାରୁ ୪ହଜାରରୁ କମ୍ ବୋଲି ଜଣାଯାଇଛି।
ଗତବର୍ଷ ଏହି ବନଖଣ୍ଡକୁ ୨୬ହଜାର ୯୮୫ ପକ୍ଷୀ ଆସିଥିଲେ ଚଳିତବର୍ଷ ଏହି ବନଖଣ୍ଡ ଅଧୀନରେ ଖପରାଖାଇ, ଲାଞ୍ଜିଗେଣ୍ଡି, ହଂସରାଳି, ପାଣିଚିରା ଗେଣ୍ଡି, ପାଣି ଚିରା, କୁକୁଭା, ରଙ୍ଗ ଗେଣ୍ଡି , ଧୁସୁରା ଗେଣ୍ଡି, ଗୋଠ ବଗୁଲି, ଗେଣ୍ଡାଳିଆ ପ୍ରଜାତିର ପକ୍ଷୀ ବହୁମାତ୍ରାରେ ଦେଖୁବାକୁ ମିଳିଛି। ପୂର୍ବବର୍ଷ ଭଳି ଚଳିତଥର ମଧ୍ୟ ବନଖଣ୍ଡର ବାହୁଦା ନଦୀ ଓ ସମୁଦ୍ରର ମିଳନ ସ୍ଥଳରେ ସର୍ବାଧିକ ପକ୍ଷୀଙ୍କ ସମାଗମ ହୋଇଥିଲା।
ବ୍ରହ୍ମପୁର ବନଖଣ୍ଡରେ ଠାବ ହୋଇଥିବା ମୋଟ ୧୪୫ ଟି ପ୍ରଜାତିର ୨୨ ହଜାର ୭୭୭ ପକ୍ଷୀଙ୍କ ମଧ୍ୟରୁ ବ୍ରହ୍ମପୁର ବନାଞ୍ଚଳରେ ୭୪ ପ୍ରଜାତିର ୧୪ହଜାର ୩୨୭ଟି, ଖଲ୍ଲିକୋଟ ବନାଞ୍ଚଳରେ ୧୨ ପ୍ରଜାତିର ୪ ହଜାର ୬୩୩, ଦିଗପହଣ୍ଡି ବନାଞ୍ଚଳରେ ୨୩ପ୍ରଜାତିର ୧୪୫୪ଟି, ସାମନ୍ତିଆପଲ୍ଲୀ ବନାଞ୍ଚଳରେ ୩୬ ପ୍ରଜାତିର ୨୩୬୩ଟି ପକ୍ଷୀଙ୍କ ସମାଗମ ହୋଇଥିବା ଜଣାଯାଇଛି।